ETV Bharat / sports

ଫାଇନାଲ୍‌ରେ ଭାଙ୍ଗିଲା ହାଇଦ୍ରାବାଦ ବ୍ୟାଟିଂ ଅର୍ଡର, ଟ୍ରଫିଠୁ ୧୧୪ ରନ ଦୂରରେ କୋଲକାତା - IPL 2024 Final

author img

By ETV Bharat Odisha Team

Published : May 26, 2024, 9:33 PM IST

Updated : May 26, 2024, 9:55 PM IST

IPL 2024 FINAL: ଆଇପିଏଲ୍‌ ୨୦୨୪ ଫାଇନାଲରେ କଳଙ୍କିତ ରେକର୍ଡ ମୁଣ୍ଡେଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ । କୋଲକାତା ବୋଲରଙ୍କ ଘାତକ ଆକ୍ରମଣକୁ ସାମ୍ନା କରିନପାରି କେବଳ ୧୧୩ ରନରେ ଅଲ୍‌ ଆଉଟ୍‌ ହୋଇଛି ହାଇଦ୍ରାବାଦ । ଯାହା ଆଇପିଏଲ୍‌ ଇତିହାସର ସର୍ବନିମ୍ନ ଫାଇନାଲ ସ୍କୋର । ଟ୍ରଫି ଜିତିବାକୁ କୋଲକାତାକୁ ମାତ୍ର ୧୧୪ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

IPL 2024 FINAL
IPL 2024 FINAL (ETV Bharat Odisha)

ଚେନ୍ନାଇ: ଆଇପିଏଲ୍‌ ୨୦୨୪ ଫାଇନାଲ୍‌ ମୁକାବିଲାରେ କୋଲକାତା ବୋଲରଙ୍କ ଘାତକ ଆକ୍ରମଣରେ ଘାଇଲା ହେଲା ହାଇଦ୍ରାବାଦ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସମସ୍ତ ୱିକେଟ ହରାଇଛି । ଆଇପିଏଲ୍‌ ଇତିହାସରେ ଫାଇନାଲ୍‌ ମ୍ୟାଚ୍‌ରେ ସର୍ବନିମ୍ନ ସ୍କୋର କରିବାର ଅନାବଶ୍ୟକ ରେକର୍ଡ କରିଛି ପ୍ୟାଟ୍‌ କମିନ୍ସଙ୍କ ଦଳ । ଫଳରେ ଚଳିତ ସଂସ୍କରଣର ଟ୍ରଫି ହାତେଇବାକୁ କୋଲକାତା ନାଇଟ ରାଇଡର୍ସ ଆଗରେ ମାତ୍ର ୧୧୪ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍‌ କମିନ୍ସ । ହେଲେ ଆରମ୍ଭରୁ ଦଳ ଏପରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ପ୍ରଥମ ଓଭରରେ ମିଚେଲ୍‌ ଷ୍ଟାର୍କଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ ଅଭିଷେକ ଶର୍ମା । ଏହାପରେ ତୁରନ୍ତ ଖାତା ଖୋଲିବା ପୂର୍ବରୁ ଟ୍ରାଭିସ ହେଡ୍‌ଙ୍କୁ ଆଉଟ୍‌ କରିଥିଲେ ବୈଭବ ଆରୋରା । ପରବର୍ତ୍ତୀ କୌଣସି ବ୍ୟାଟର ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିନଥିଲେ । ଆଡେନ ମାର୍କ୍ରମ ୨୦ ରନ କରି ଆଉଟ୍‌ ହୋଇଥିବାବେଳେ ଦଳ ପାଇଁ ସର୍ବାଧିକ ସ୍କୋର କରିଥିଲେ ଅଧିନାୟକ ପ୍ୟାଟ୍‌ କମିନ୍ସ । ସେ ୧୯ ବଲରୁ ୨୪ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀତିଶ ରେଡ୍ଡୀ (୧୩) ଓ ହେନରିଚ୍‌ କ୍ଲାସେନ୍‌ (୧୬)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ ।

ଅନ୍ୟପଟେ କୋଲକାତା ପକ୍ଷରୁ ଆରମ୍ଭରୁ ଆକ୍ରାମକ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଚଳିତ ସଂସ୍କରଣର ସବୁଠାରୁ ଦାମୀ ଖେଳାଳି ମିଚେଲ୍‌ ଷ୍ଟାର୍କ ଘାତକ ଆକ୍ରମଣ ପ୍ରଥମ ଓଭରରୁ ହିଁ କରିଥିଲେ । ସେ ୩ ଓଭରରୁ ୧୪ ରନ ବ୍ୟୟରେ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟ ବୋଲରମାନେ ମଧ୍ୟ ଷ୍ଟାର୍କଙ୍କୁ ଭରପୁର ସାଥ ଦେଇଥିଲେ । ହର୍ଷିତ ରାଣା ୪ ଓଭର ବୋଲିଂ କରି ୨୪ ରନ ବ୍ୟୟରେ ୨ଟି ୱିକେଟ୍‌ ହାସଲ କରିଥିଲେ । ଆନ୍ଦ୍ରେ ରସେଲ୍‌ ସର୍ବାଧିକ ୩ଟି ୱିକେଟ୍‌ ଖସାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଭବ ଆରୋରା, ସୁନୀଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଫାଇନାଲ ଫାଇଟ: KKR-SRH ମୁକାବିଲା, କାହାର ହେବ ଟ୍ରଫି ? - IPL 2024

ହାଇଦ୍ରାବାଦର ଅଲୋଡ଼ା ରେକର୍ଡ: ଫାଇନାଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସର ଘାତକ ବୋଲିଂର ସାମ୍ନା କରିନପାରି କେବଳ ୧୧୩ ରନରେ ସମସ୍ତ ୱିକେଟ୍‌ ହରାଇଛି ହାଇଦ୍ରାବାଦ । ଏହା ସହିତ ଆଇପିଏଲ୍‌ରେ ଏକ ଅଲୋଡ଼ା ରେକର୍ଡ ମୁଣ୍ଡାଇଛି ପ୍ୟାଟ୍‌ କମିନ୍ସଙ୍କ ଦଳ । ଆଇପିଏଲ୍‌ ଇତିହାସରେ ଫାଇନାଲ୍‌ ମ୍ୟାଚ୍‌ରେ ଆଜି ହାଇଦ୍ରାବାଦର ସ୍କୋର (୧୧୩) ସର୍ବନିମ୍ନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 26, 2024, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.