ETV Bharat / sports

ଫାଇନାଲ ଫାଇଟ: KKR-SRH ମୁକାବିଲା, କାହାର ହେବ ଟ୍ରଫି ? - IPL 2024

author img

By ETV Bharat Odisha Team

Published : May 26, 2024, 12:14 PM IST

IPL 2024 Final: ଆଜି ଆଇପିଏଲରେ ଫାଇନାଲ ମ୍ୟାଚ । ଟ୍ରଫି ହାତେଇବାକୁ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ହେବ ଫାଇଟ । ଅଧିକ ପଢନ୍ତୁ

IPL 2024
IPL 2024 (@srhfansofficial)

ଚେନ୍ନାଇ: 65 ଦିନର ଯାତ୍ରା ପରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ ସିଜିନ 17 । ଲିଗ ପର୍ଯ୍ୟାୟ ଓ ପ୍ଲେ ଅଫ ପରେ ଆଜି ହେବ ଫାଇଲାନ ଫାଇଟ । ଚଳିତ ସିଜିନରେ କିଏ ହାତେଇବ ଟ୍ରଫି ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଉଦ୍ରାବାଦ ମଧ୍ୟରେ ଆରମ୍ଭ ହୋଇଯିବ ଫାଇନାଲ ଲଢେଇ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଛାଇଯିବ ପର୍ପଲ ଓ କମଳା ରଙ୍ଗର ଜର୍ସି । ଷ୍ଟାଡିୟମରେ ହେବ ଛକା ଚୌକାର ବର୍ଷା । ଟ୍ରଫି ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଫାଇଟ । ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ ମ୍ୟାଚ । ଫାଇନାଲ ମୁକାବିଲାକୁ ନେଇ ଉତ୍ସାହିତ ଦୁଇ ଦଳର ଫ୍ୟାନ୍ସ ।

IPL 2024
IPL 2024 (@srhfansofficial)

ତୃତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ KKR: ଆଇପିଏଲ ଇତିହାସରେ ବର୍ତ୍ତମାନ ସୁଦ୍ଧା 2 ଥର ଟ୍ରଫି ହାତେଇଛି କୋଲକାତା ନାଇଟ ରାଇଡର୍ସ । 2012- 2014 ସିଜିନରେ ଚେନ୍ନାଇ ଓ ପଞ୍ଜାବକୁ ହରାଇ ଫାଇନାଲରେ ଦଳ ବିଜୟୀ ହୋଇଥିଲା । 2021ରେ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ପରାଜିତ ହୋଇଥିଲା । ଚଳିତ ସିଜିନରେ ଦଳ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ପ୍ଲେ ଅଫକୁ ପ୍ରବେଶ କରିଥିଲା । ପ୍ରଥମ କ୍ବାଲିଫାୟର ମ୍ୟାଚରେ ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ତୃତୀୟ ଥର ପାଇଁ ଟାଇଟଲ ଅଧିକାରୀ ହେବାକୁ ଦଳ ଲକ୍ଷ୍ୟ ରଖିଛି ।

ଦ୍ବିତୀୟ ଥର ଟାଇଟଲ ଅଧିକାରୀ ହେବା ଲକ୍ଷ୍ୟରେ SRH: 2016 ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ଟ୍ରଫି ହାତେଇଥିଲା । ଏହାପରଠାରୁ ଦଳ ଟ୍ରଫିର ନିକଟତର ହୋଇ ପାରିନାହିଁ । 2018ରେ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ବିଜୟୀ ହୋଇପାରିନଥିଲା । ଏହାପର ସିଜିନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । କିନ୍ତୁ ଚଳିତ ସିଜିନରେ ଦଳ ଭଲ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି । ପ୍ୟାଟ କମିନ୍ସଙ୍କ ନେତୃତ୍ବାଧୀନ ଦଳ ଚଳିତ ଥର ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି ।

କାହାର ପଲ୍ଲା ରହିବ ଭାରି?

ଯଦି ଚଳିତ ସିଜିନରେ ଦୁଇ ଦଳର ପ୍ରଦର୍ଶନକୁ ଦେଖାଯାଏ, ତେବେ ଆଜି କେକେଆରର ପଲ୍ଲା ଭାରି ରହିବା ନେଇ ଆକଳନ କରାଯାଉଛି । କାହିଁକିନା ଦଳ ଲିଗ ପର୍ଯ୍ୟାୟ ଓ ପ୍ଲେ ଅଫରେ ହାଇଦ୍ରାବାଦକୁ ପରାସ୍ତ କରିଥିଲା । 8 ଓ୍ବିକେଟରେ କୋଲକାତା ବିଜୟୀ ହୋଇଥିଲା । ହାଇଦ୍ରାବାଦ ଲିଗ ଓ ପ୍ରଥମ କ୍ବାଲିଫାୟରରେ କୋଲକାତା ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । କିନ୍ତୁ ପୂର୍ବ ଭୁଲକୁ ସୁଧାରି ହାଇଦ୍ରାବାଦ ଆଜି କୋଲକାତା ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନକୁ ବିଦା କଲା ହାଇଦ୍ରାବାଦ, ରବିବାର KKR ସହ ଫାଇନାଲ ଟକ୍କର - IPL 2024

କୋଲକାତା ରଣନୀତି: ଚଳିତ ସିଜିନରେ ମେଣ୍ଟର ଗମ୍ଭୀରଙ୍କ ଯୋଜନା କାମ ଦେଇଛି । ଲିଗ ମ୍ୟାଚରେ ଦଳ ପ୍ରଭାବୀ ପ୍ରଦର୍ଶନ କରିଛି । ଫାଇନାଲରେ ବିଜୟୀ ହେବାକୁ ପୁରା ରଣନୀତି ପ୍ରସ୍ତୁତ କରିଛି ଆୟର ବାହିନୀ । ଦଳରେ ଦୁଇ ଅଲରାଉଣ୍ଡର ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ରହିଛି । ଏହି ଦୁଇ ଖେଳାଳି ପୂର୍ବ ମ୍ୟାଚଗୁଡିକରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଓପନିଂ ଯୋଡି ନାରିନ ଓ ଗୁରବାଜ ବିସ୍ଫୋରକ ବ୍ୟାଟିଂ କରିବା ନେଇ ଦଳ ଆଶାବାଦୀ । ସେହିପରି ମିଡିଲ ଅର୍ଡର ମଧ୍ୟ ସୁଦୃଢ ରହିଛି । ବୋଲିଂରେ ସ୍ପିନିଂରେ ନାରିନ ଓ ବରୁଣ ରହିଥିବା ବେଳେ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ଆଜି ହାଇଦ୍ରାବାଦ ବିପକ୍ଷରେ ଆତଙ୍କ ଖେଳାଇପାରନ୍ତି । ଟ୍ରାଭିସ ହେବ ଓ ଅଭିଶେଖଙ୍କ ଯୋଡିକୁ ଭାଙ୍ଗିବାକୁ ଜୋରଦାର ଉଦ୍ୟମ କରିବେ ବୋଲର ।

ହାଇଦ୍ରାବାଦ ରଣନୀତି: ଲିଗ ପର୍ଯ୍ୟାୟରେ 2ଟି ମ୍ୟାଚ ଓ ପ୍ରଥମ କ୍ବାଲିଫାୟରରେ ଦଳ ହାରିଥିଲେ ମଧ୍ୟ ଫାଇନାଲରେ କେକେଆରକୁ ହରାଇବାକୁ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବ କମିନ୍ସ ବାହିନୀ । ଦଳର ଦୁଇ ଓପନିଂ ଯୋଡି ଟ୍ରାଫିସ ହେଡ ଓ ଅଭିଶେଖ ଶର୍ମାଙ୍କୁ ଅଟକାଇବା କେକେଆର ବୋଲରଙ୍କ ନିକଟରେ କାଠିକର ପାଠ ହୋଇପାରେ । ଚଳିତ ସିଜିନରେ ଉଭୟ ଓଭର ପିଛା 13.65 ହାରରେ ରନ କରି ଆଇପିଏଲରେ ସବୁଠାରୁ ବିସ୍ଫୋରକ ଯୋଡି ଭାବେ ଉଭା ହୋଇଛନ୍ତି । ଏହି ଯୋଡି ଦୁଇଟି ମ୍ୟାଚରେ ପାଓ୍ବାର ପ୍ଲେରେ 100 ରନ କରିଥିଲେ । ସେହିପରି ହେନେରିଚ କ୍ଲାସେନ ମଧ୍ୟ ଭଲ ରନ କରିବା ନେଇ ଦଳ ଆଶାବାଦୀ । ବୋଲିଂରେ କମିନ୍ସ ଓ ଭୁବନେଶ୍ବର କୁମାର ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.