ETV Bharat / sports

ବ୍ୟାଟରଙ୍କ ବିସ୍ଫୋରଣ ପରେ ହାର ମାନିଲେ ବୋଲର, ଦମଦାର ଶତକ ମାରି ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇଲେ ମ୍ୟାକ୍ସୱେଲ୍‌

author img

By ETV Bharat Odisha Team

Published : Nov 28, 2023, 10:58 PM IST

Updated : Nov 28, 2023, 11:07 PM IST

ଦମଦାର ଶତକ ମାରି ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇଲେ ମ୍ୟାକ୍ସୱେଲ୍‌
ଦମଦାର ଶତକ ମାରି ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇଲେ ମ୍ୟାକ୍ସୱେଲ୍‌

କ୍ରମାଗାତ ୩ୟ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଥିବା ଭାରତର ଆଶା ଧୂଳିସାତ୍‌ । ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ବେ ଫେଲ୍‌ ମାରିଲେ ବୋଲର । ଧୂଆଁଧାର ଶତକ ମାରି ଅଷ୍ଟ୍ରେଲିଆକୁ ସିରିଜ୍‌କୁ ଫେରାଇ ଆଣିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ଅଧିକ ପଢ଼ନ୍ତୁ

ଗୌହାଟୀ: ୩ୟ ଟି୨୦ରେ ହାର ମାନିଲେ ଭାରତୀୟ ବୋଲର । ୫ ୱିକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ୟଙ୍ଗଷ୍ଟାର ଧୂଆଁଧାର ବ୍ୟାଟିଂ କରିଥିଲେ ମଧ୍ୟ ବୋଲରଙ୍କ ବିଫଳତା କାରଣରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଗୌହାଟୀରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଋତୁରାଜ ଗାଏକ୍‌ୱାଡ୍‌ଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ଟାର୍ଗେଟ୍‌ ରଖିଥିଲା ଭାରତ । ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ରହିଥିଲା । ହେଲେ ସବୁ ଆଶାକୁ ଚୂରମାର କରିଦେଇଛନ୍ତି କଙ୍ଗାରୁ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । କେବଳ ୪୮ ବଲରେ ୧୦୪ ରନର ଧୂଆଁଧାର ପାଳି ଖେଳି ଅଷ୍ଟ୍ରେଲିଆକୁ ସିରିଜ୍‌କୁ ଫେରାଇ ଆଣିଛନ୍ତି ମ୍ୟାକ୍ସୱେଲ୍‌ ।

ଭାରତ ବ୍ୟାଟିଂ: ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ବାନ ପାଇଥିଲା । ତେବେ ଦଳକୁ ଏତେ ଭଲ ଆରମ୍ଭ ମିଳିନଥିଲା । ଗତ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଯୁବ ଓପନର ଯଶସ୍ବୀ ଜୟସ୍ବାଲ କେବଳ ୬ ରନ କରି ଆଉଟ୍‌ ହୋଇଥିଲା । ଈଶାନ କିଷାନ ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । କେବଳ ୨୪ ରନ୍‌ରେ ୨ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ଭାରତ । ଏହାପରେ ଅନ୍ୟତମ ଓପନର ଋତୁରାଜ ଗାଏକ୍‌ୱାଡ୍‌ଙ୍କ ସହ ମିଶି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ହେଲେ ସେ କେବଳ ୩୯ ରନ କରିବାରେ ସକ୍ଷମ ହୋଇଥିଲେ । ସୂର୍ଯ୍ୟକୁମାରଙ୍କ ଏହି ପାଳିରେ ୫ ଚୌକା ଓ ୨ ଛକା ସାମିଲ ଥିଲା । ସେ ଆଉଟ୍‌ ହେବାପରେ ଋତୁରାଜଙ୍କ ସାଥ ଦେଇଥିଲେ ଅନ୍ୟତମ ଯୁବ ତାରକା ବ୍ୟାଟର ତିଲକ ବର୍ମା । ତିଲକ ଆଜିର ମ୍ୟାଚ୍‌ରେ ୨୪ ବଲରୁ ୪ ଚୌକା ବଳରେ ୩୧ ରନର ଉପଯୋଗୀ ପାଳି ଖେଳିଥିଲେ । ଅନ୍ୟପଟେ ଶେଷ ପର୍ଯ୍ୟନ୍ତ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ ଗାଏକ୍‌ୱାଡ୍‌ । ସେ କେବଳ ୫୨ ବଲରୁ ନିଜର ଶତକ ହାସଲ କରିନେଇଥିଲେ । ଆଜି ମୋଟ ୫୭ ବଲରୁ ୧୨୩ ରନ କରିଛନ୍ତି ଗାଏକ୍‌ୱାଡ୍‌ । ତାଙ୍କର ଏହି ବିସ୍ଫୋରକ ପାଳିରେ ୧୩ ଚୌକା ଓ ୭ ଛକା ସାମିଲ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଋତୁରାଜଙ୍କ ଧୂଆଁଧାର ଶତକ, ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ୍‌ ୨୨୩

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଜାଶନ ବେରେନଡ୍ରଫଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବେରେନ୍‌ଡ୍ରଫଙ୍କ ସମେତ କେନ୍‌ ରିଚାର୍ଡସନ ଓ ଆରୋନ ହାର୍ଡି ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ । ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଗୋଟିଏ (ଶେଷ) ଓଭରରୁ ୩୦ ରନ ବ୍ୟୟ କରି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଶୃଙ୍ଖଳାରେ ଜୀବୀତ ରହିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଦଳର ଓପନିଂ ଯୋଡ଼ି ମଧ୍ୟ ବେଶ ଭଲ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ୪.୨ ଓଭରରେ ୪୭ ରନ୍‌ ଯୋଡ଼ିଥିଲେ । ଟ୍ରାଭିସ୍‌ ହେଡ୍‌ କେବଳ ୧୮ ବଲରୁ ୩୫ ରନ ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ହାର୍ଡି ୧୬ ଓ ଜୋଶ ଇଂଲିଶ୍‌ ୧୦ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ସହ ପାଳିକୁ ଆଗକୁ ବଢ଼ାଇଥିଲେ ମାର୍କସ ଷ୍ଟୋଇନିସ୍‌ । ହେଲେ କେବଳ ୧୭ ରନ କରି ଆଉଟ୍‌ ହୋଇଯାଇଥିଲେ ଷ୍ଟୋଇନିସ୍‌ । ଖାତା ଖୋଲିବା ପୂର୍ବରୁ ଟିମ୍‌ ଡେଭିଡ୍‌ ଆଉଟ୍‌ ହୋଇଥିଲେ । ଏହାପରେ ମ୍ୟାକ୍ସୱେଲ୍‌ଙ୍କ ସହ ମିଶି ଦଳକୁ ବିଜୟ ଦେଇଥିଲେ ଅଧିନାୟକ ମାଥ୍ୟୁ ୱେଡ୍‌ । ସେ ୧୬ ବଲରୁ ୨୮ ରନର ଉପଯୋଗୀ ବ୍ୟାଟିଂ କରିଥିଲେ । ଅନ୍ୟପଟେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ କେବଳ ୪୮ ବଲରୁ ୮ଟି ଲେଖାଏଁ ଛକା ଓ ଚୌକା ସହିତ ୧୦୪ ରନର ବିସ୍ଫୋରକ ପାଳି ଖେଳିଥିଲେ । ଫଳରେ ୩ୟ ମ୍ୟାଚ୍‌ ବିଜୟ ସହ ଶୃଙ୍ଖଳାକୁ ଫେରିଛି ଅଷ୍ଟ୍ରେଲିଆ ।

ଭାରତ ବୋଲିଂ: ଭାରତ ପକ୍ଷରୁ ରବି ବିଷ୍ଣୋଇ ସର୍ବାଧିକ ୨ଟି ୱିକେଟ୍‌ ନେଇଥିବା ବେଳେ ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ଅଭେଶ ଖାନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 28, 2023, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.