ETV Bharat / sports

ଋତୁରାଜଙ୍କ ଧୂଆଁଧାର ଶତକ, ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ୍‌ ୨୨୩

author img

By ETV Bharat Odisha Team

Published : Nov 28, 2023, 8:50 PM IST

Updated : Nov 28, 2023, 8:59 PM IST

ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ୍‌ ୨୨୩
ଋତୁରାଜଙ୍କ ଧୂଆଁଧାର ଶତକ

କଙ୍ଗାରୁ ବୋଲରଙ୍କୁ ଛେଚିଦେଲେ ଋତୁରାଜ ଗାଏକ୍‌ୱାଡ୍‌ । ୩ୟ ଟି୨୦ ମ୍ୟାଚ୍‌ରେ ହାସଲ କଲେ ବିସ୍ଫୋରକ ଶତକ । 'ଡୁ ଅର୍‌ ଡାଏ' ମ୍ୟାଚ୍‌ରେ ବିଜୟ ପାଇଁ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

ଗୌହାଟୀ: କଙ୍ଗାରୁ ବୋଲରଙ୍କ ଲାଇନ୍‌ ଲେନ୍ଥ୍‌ ବିଗାଡ଼ି ଦେଲେ ଋତୁରାଜ ଗାଏକ୍‌ୱାଡ୍‌ । ଗୌହାଟୀରେ ଖେଳାଯାଉଥିବା ୩ୟ ଟି୨୦ ମ୍ୟାଚ୍‌ରେ ଋତୁରାଜଙ୍କ ବିସ୍ଫୋରକ ଶତକ । ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ କେବଳ ୫୭ ବଲରୁ ୧୨୩ ରନ୍‌ର ବିସ୍ଫୋରକ ପାଳି ଖେଳି ଦଳକୁ ୨୨୨ ରନର ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି ଏହି ଯୁବ ଓପନର । ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ପ୍ରଥମ ୨ଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ଥିବା ଭାରତ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ପ୍ରଥମେ ଦମଦାର ବ୍ୟାଟିଂ କରିଛି । 'ଡୁ ଅର୍‌ ଡାଏ' ମ୍ୟାଚ୍‌ରେ ବିଜୟ ପାଇଁ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ଲକ୍ଷ୍ୟ ରହିଛି ।

ଭାରତ ବ୍ୟାଟିଂ: ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ବାନ ପାଇଥିଲା । ତେବେ ଦଳକୁ ଏତେ ଭଲ ଆରମ୍ଭ ମିଳିନଥିଲା । ଶେଷ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଯୁବ ଓପନର ଯଶସ୍ବୀ ଜୟସ୍ବାଲ କେବଳ ୬ ରନ କରି ଆଉଟ୍‌ ହୋଇଥିଲା । ଈଶାନ କିଷାନ ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । କେବଳ ୨୪ ରନ୍‌ରେ ୨ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ଭାରତ । ଏହାପରେ ଅନ୍ୟତମ ଓପନର ଋତୁରାଜ ଗାଏକ୍‌ୱାଡ୍‌ଙ୍କ ସହ ମିଶି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ହେଲେ ସେ କେବଳ ୩୯ ରନ କରିବାରେ ସକ୍ଷମ ହୋଇଥିଲେ । ସୂର୍ଯ୍ୟକୁମାରଙ୍କ ଏହି ପାଳିରେ ୫ ଚୌକା ଓ ୨ ଛକା ସାମିଲ ଥିଲା । ସେ ଆଉଟ୍‌ ହେବାପରେ ଋତୁରାଜଙ୍କ ସାଥ ଦେଇଥିଲେ ଅନ୍ୟତମ ଯୁବ ତାରକା ବ୍ୟାଟର ତିଲକ ବର୍ମା । ତିଲକ ଆଜିର ମ୍ୟାଚ୍‌ରେ ୨୪ ବଲରୁ ୪ ଚୌକା ବଳରେ ୩୧ ରନର ଉପଯୋଗୀ ପାଳି ଖେଳିଥିଲେ । ଅନ୍ୟପଟେ ଶେଷ ପର୍ଯ୍ୟନ୍ତ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ ଗାଏକ୍‌ୱାଡ୍‌ । ସେ କେବଳ ୫୨ ବଲରୁ ନିଜର ଶତକ ହାସଲ କରିନେଇଥିଲେ । ଆଜି ମୋଟ ୫୭ ବଲରୁ ୧୨୩ ରନ କରିଛନ୍ତି ଗାଏକ୍‌ୱାଡ୍‌ । ତାଙ୍କର ଏହି ବିସ୍ଫୋରକ ପାଳିରେ ୧୩ ଚୌକା ଓ ୭ ଛକା ସାମିଲ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି: ଫେରିଲେ ଟ୍ରାଭିସ୍‌ ହେଡ୍‌, ଚୂଡ଼ାନ୍ତ ଏକାଦଶରେ ଅଭେଶ ଖାନ

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଜାଶନ ବେରେନଡ୍ରଫଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବେରେନ୍‌ଡ୍ରଫଙ୍କ ସମେତ କେନ୍‌ ରିଚାର୍ଡସନ ଓ ଆରୋନ ହାର୍ଡି ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ । ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଗୋଟିଏ (ଶେଷ) ଓଭରରୁ ୩୦ ରନ ବ୍ୟୟ କରି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 28, 2023, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.