ETV Bharat / bharat

କଂଗ୍ରେସ ସାସଂଦ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ଆକ୍ରମଣ, ଫୁଲମାଳ ପିନ୍ଧାଇ ପିଟିଲେ ଦୁର୍ବୃତ୍ତ - Attack on Kanhaiya kumar

author img

By ETV Bharat Odisha Team

Published : May 17, 2024, 10:53 PM IST

ATTACK ON KANHAIYA KUMAR: କଂଗ୍ରେସ ସାଂସଦ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ଆକ୍ରମଣ । ପ୍ରଥମେ ଫୁଲମାଳ ପିନ୍ଧାଇବା ପରେ ପିଟିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ATTACK ON KANHAIYA KUMAR
ATTACK ON KANHAIYA KUMAR (ETV Bharat)

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ଆକ୍ରମଣ । କହ୍ନୈୟା ନିଜ ସମର୍ଥକଙ୍କ ସହ ଠିଆ ହୋଇଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ହଠାତ ଆକ୍ରମଣ କରିଛନ୍ତି । ପ୍ରଥମେ ଫୁଲମାଳ ପିନ୍ଧାଇବା ପରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ନ୍ୟୁ ଉସ୍ମାନପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, କହ୍ନୈୟା କୁମାର ନ୍ୟୁ ଉସ୍ମାନପୁର ଥାନା ଅଧିନସ୍ଥ କରତାର ନଗର ପୁସ୍ତା ନିକଟରେ ଥିବା ପୌର କାର୍ଯ୍ୟାଳୟ ନିକଟରେ ନିଜ ସମର୍ଥକଙ୍କ ସହ ଉପସ୍ଥିତ ଥିଲେ । ସେହି ସମୟରେ କିଛି ଲୋକ ସେଠାରେ ପହଞ୍ଚିଥିଲେ । ପ୍ରଥମେ କହ୍ନୈୟାଙ୍କୁ ଫୁଲମାଳ ପିନ୍ଧାଇ ମାରପିଟ ଆରମ୍ଭ କରିଦେଇଥିଲେ । ଆଜି ଅପରାହ୍ନ ପ୍ରାୟ 4ଟା ବେଳେ ଏହି ଘଟଣା ଘଟିଛି । ଏହି ଦୁର୍ବୃତ୍ତଙ୍କ ନିକଟରେ ମାରଣାସ୍ତ୍ର ଥିଲା ବୋଲି ଜଣାପଡ଼ିଛି । କହ୍ନୈୟାଙ୍କୁ ସେମାନେ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଏହି ସମୟରେ କହ୍ନୈୟାଙ୍କ ସହିତ ଆମ ଆଦମି ପାର୍ଟିର କାଉନସିଲର ଛାୟା ଗୌରବ ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- 3 ରାଜ୍ୟରେ 10 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାର, ଜଳନ୍ଧରରୁ ଚନ୍ନୀ

କାଉନସିଲର ଛାୟା ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କ ଓଢଣୀକୁ ଟାଣି ନେଇ ଏକ କୋଣକୁ ନେଇଯାଇଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା 30ରୁ 40 ଜଣଙ୍କ ଉପରେ କାଳି ଫିଙ୍ଗିଥିଲେ । ଏହି ଆକ୍ରମଣରେ ତିନିରୁ ଚାରି ଜଣ ମହିଳା ମଧ୍ୟ ଆହତ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ନେଇ ଉତ୍ତର ପୂର୍ବ ଦିଲ୍ଲୀ ଡିସିପି ଡଃ ଜୟ ତିର୍କି କହିଛନ୍ତି, "କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାର ନ୍ୟୁ ଉସ୍ମାନପୁର ସ୍ଥିତ ଆପ୍‌ କାର୍ଯ୍ୟାଳୟରେ ଏକ ବୈଠକ କରୁଥିଲେ । ସେଠାରେ ଆପ୍‌ କାଉନସିଲର ଛାୟା ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ ଯେତେବେଳେ କର୍ପୋରେଟର ଛାୟା କହ୍ନୈୟାଙ୍କୁ ଛାଡ଼ିବାକୁ ତଳକୁ ଆସିଥିଲେ, ସେତେବେଳେ ଏହି ଘଟଣା ଘଟିଥିଲା । କିଛି ଲୋକ କହ୍ନୈୟାଙ୍କୁ ପ୍ରଥମେ ଫୁଲମାଳ ପିନ୍ଧାଇବା ପରେ ତାଙ୍କ ଉପରେ କାଳି ଫଙ୍ଗିଥିଲେ । ଏହାପରେ ମାଡ ମାରିଥିଲେ । ଯେତେବେଳେ ଛାୟା ଏଥିରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରିଥିଲେ, ସେମାନେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିଲେ । ଛାୟାଙ୍କ ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରାଯାଉଛି ।"

ସୂଚନା ଥାଉ କି ଏହି ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କହ୍ନୈୟା କୁମାର ଜଣେ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଉଥିବାର ଦେଖିବାକୁ ମିଳୁଛି । ଏହି ସମୟ ମଧ୍ୟରେ କିଛି ଲୋକ ସେଠାରେ ପହଞ୍ଚି ସେମାନଙ୍କୁ ଫୁଲମାଳ ପିନ୍ଧାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହାପରେ ମାଡ ମାରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.