ETV Bharat / politics

3 ରାଜ୍ୟରେ 10 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାର, ଜଳନ୍ଧରରୁ ଚନ୍ନୀ - Congress candidates

author img

By ETV Bharat Odisha Team

Published : Apr 14, 2024, 9:53 PM IST

Congress releases another list of 10 mp candidates : 3 ରାଜ୍ୟରେ 10 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ । ଉତ୍ତର-ପୂର୍ବ ଦିଲ୍ଲୀ ଆସନରେ ବିଜେପିର ମନୋଜ ତିଓ୍ବାରୀଙ୍କ ବିରୋଧରେ ଲଢିବେ କହ୍ନେୟା କୁମାର । ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ମଧ୍ୟ ହେଲେ ଲୋକସଭା ପ୍ରାର୍ଥୀ । ଅଧିକ ପଢନ୍ତୁ

3 ରାଜ୍ୟରେ 10 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ଦିଲ୍ଲୀରୁ କହ୍ନେୟା କୁମାର, ଜଳନ୍ଧରରୁ ଚନ୍ନୀ
3 ରାଜ୍ୟରେ 10 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ଦିଲ୍ଲୀରୁ କହ୍ନେୟା କୁମାର, ଜଳନ୍ଧରରୁ ଚନ୍ନୀ

ନୂଆଦିଲ୍ଲୀ: ଆଜି ଭାରତୀୟ ଜାତୀୟ କଂଗ୍ରେସ ଦିଲ୍ଲୀ, ପଞ୍ଜାବ ଓ ଉତ୍ତର ପ୍ରଦେଶର 10 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦଳର ଯୁବନେତା କହ୍ନେୟା କୁମାର ଉତ୍ତର-ପୂର୍ବ ଦିଲ୍ଲୀ ଆସନରେ ଲଢିବାକୁ ଯାଉଛନ୍ତି । ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କୁ ଏଥର ସାଧାରଣ ନିର୍ବାଚନ ଲଢାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଜଳନ୍ଧର ସଂସଦୀୟ କ୍ଷେତ୍ରରୁ ଚନ୍ନୀ ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । କହ୍ନେୟା କୁମାର ବିଜେପି ପ୍ରାର୍ଥୀ ମନୋଜ ତିଓ୍ବାରୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ ।

ଆଜି ତାଲିକାରେ ଦଳ ପଞ୍ଜାବରୁ ସର୍ବାଧିକ 6 ପ୍ରାର୍ଥୀ, ଦିଲ୍ଲୀରୁ 3 ଓ ଉତ୍ତର ପ୍ରଦେଶର ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦିଲ୍ଲୀର ଚାନ୍ଦିନଚୌକରୁ ଜେ.ପି ଅଗ୍ରଓ୍ବାଲ, ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ କହ୍ନେୟା କୁମାର, ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଉଦିତ ରାଜ ନିର୍ବାଚନରେ ଲଢିବେ । ସେହିପରି ପଞ୍ଜାବ ଜଳନ୍ଧର ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କୁ ଟିକେଟ ମିଳିଥିବା ବେଳେ ଅମୃତସରରୁ ଗୁରୁଜିତ ସିଂ ଆହୁଜା, ଫତେହଗଡ-ସାହିବ ଆସନରୁ ଅମର ସିଂ, ଭଟିଣ୍ଡାରୁ ଜିତ ମୋହିନ୍ଦର ସିଂ ସିଦ୍ଧୁ, ସଙ୍ଗରୁରରୁ ସୁଖାପାଲ ସିଂ ଖଇରା, ପଟିଆଲାରୁ ଡଃ.ଧରମବୀର ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ଦଳ । ଉତ୍ତର ପ୍ରଦେଶର ଗୋଟିଏ ଆସନ ଆହ୍ଲାବାଦରେ ଉଜ୍ଜଳ ରେଓ୍ବାତି ରମଣ ସିଂ ପ୍ରାର୍ଥୀ ହୋଇଛନ୍ତି । ଆଜିର 10 ଲୋକସଭା ଆସନ ସହ ଦଳ ଓଡିଶା ବିଧାନସଭା ନିର୍ବାଚନ ପାଇଁ 75 ବିଧାୟକ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛି ।

ଗତକାଲି 3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଗୁଜୁରାଟ, ଓଡିଶା, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ ଆସନରେ ପ୍ରାର୍ଥୀ ଦେଇଥିଲା ଦଳ । ହିମାଚଳ ପ୍ରଦେଶ ମଣ୍ଡି ଆସନରେ ରାଜ୍ୟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂଙ୍କୁ ଲୋକସଭା ନିର୍ବାଚନ ଲଢାଇଛି ଦଳ । ବିକ୍ରମାଦିତ୍ୟ ବିଜେପି ପ୍ରାର୍ଥୀ ତଥା କଙ୍ଗନା ରଣାଓ୍ବାତଙ୍କ ବିରୋଧରେ ନିର୍ବାଚନ ଲଢିବେ । ଚଣ୍ଡିଗଡ ଆସନରୁ ଦଳର ବରିଷ୍ଠ ନେତା ମନୀଷ ତିଓ୍ବାରୀଙ୍କୁ ଟିକେଟ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- 3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ; ମଣ୍ଡିରୁ ବିକ୍ରମାଦିତ୍ୟ, ଚଣ୍ଡିଗଡରୁ ମନୀଷ ତିଓ୍ବାରୀ - Congress candidates list

ପ୍ରଥମ ପର୍ଯ୍ୟାୟରେ ଦଳର ଷ୍ଟାର-ପ୍ରଚାରକ ରାହୁଲ ଗାନ୍ଧୀଙ୍କ ନାମ ଘୋଷଣା ସରିଥିବା ବେଳେ ଏବେ ମଧ୍ୟ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ରାୟ-ବରେଲୀ ଓ ଆମେଠୀରେ ଦଳ ପ୍ରାର୍ଥୀ ଘୋଷଣା କରିବା ବାକି ରଖିଛି । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମା’ ସୋନିଆ ଗାନ୍ଧୀଙ୍କ ପାରମ୍ପରିକ ଆସନ ରାୟ-ବରେଲୀରୁ ପ୍ରାର୍ଥୀ ଭାବେ ନିର୍ବାଚନ ଡେବ୍ୟୁ କରିପାରନ୍ତି ବୋଲି ଏକ ପ୍ରକାର ସୂତ୍ରରୁ ଜଣାପଡିଥିଲେ ସୁଦ୍ଧା ଦଳ ଏବେ ସୁଦ୍ଧା ଔପଚାରିକ ଘୋଷଣା କରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.