ETV Bharat / politics

ପାଣ୍ଡିଆନଙ୍କୁ ବିଜେପିର କଟାକ୍ଷ; 'ସନ୍ଥକବି ଓ ସ୍ବଭାବ କବି ମଧ୍ୟରେ ଫରକ ଓଡିଶାର ଅସ୍ମିତା ଉପରେ ପର୍ଯ୍ୟବେଶିତ' - BJP Criticized VK Pandian

author img

By ETV Bharat Odisha Team

Published : May 17, 2024, 10:57 PM IST

BJP Criticized VK Pandian: ଭିକେ ପାଣ୍ଡିଆନଙ୍କୁ ମନମୋହନଙ୍କ କଟାକ୍ଷ । କହିଲେ ସନ୍ଥକବି ଏବଂ ସ୍ବଭାବ କବି ମଧ୍ୟରେ ଫରକ ଜାଣିବାକୁ ହେଲେ ଓଡିଶାର ସଂସ୍କୃତି, ଐତିହ୍ୟ ଉପରେ ଜାଣିବାର ଆବଶ୍ୟକତା ରହିଛି । ଅଧିକ ପଢ଼ନ୍ତୁ

BJP Criticized VK Pandian
BJP Criticized VK Pandian (ETV Bharat Odisha)

BJP Criticized VK Pandian (ETV Bharat Odisha)

ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନ ଭୁଲ ଉଚ୍ଚାରଣ କରିବା ପରେ ଜୋର ଧରିଛି ରାଜ୍ୟ ରାଜନୀତି । ଏ ବିଷୟରେ ଜାଣିବାକୁ ହେଲେ ଓଡିଶାର ସଂସ୍କୃତି, ଐତିହ୍ୟ ଉପରେ ଜାଣିବାର ଆବଶ୍ୟକତା ରହିଛି ବୋଲି କହି ତାଚ୍ଛଲ୍ୟ କରିଛି ବିଜେପି । ରାଜ୍ୟରେ ନିର୍ବାଚନୀ ତତଲା ହାୱା ପ୍ରଖର ବେଗରେ ବହୁଥିବାବେଳେ ସାରା ରାଜ୍ୟବାସୀଙ୍କ ନଜର ଏବେ ସମ୍ବଲପୁର ଲୋକସଭା ଆସନ ଉପରେ । କାରଣ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ହେଉଛି ହାଇଭୋଲଟେଜ ଫାଇଟ୍‌ । ସମ୍ବଲପୁରରେ ପ୍ରଣବଙ୍କ ପାଇଁ ପ୍ରଚାର କରିବା ସମୟରେ ସନ୍ଥ କବି ଗଙ୍ଗାଧର ମେହେରଙ୍କୁ ଭୁଲ ଉଚ୍ଚାରଣ କରିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ ।

ପାଣ୍ଡିଆନ ସ୍ଵଭାବ କବିକୁ ସନ୍ଥ କବି କହିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଏ ବିଷୟରେ ସମ୍ବଲପୁର ଲୋକେ ବିଚାର କରିବେ । ସନ୍ଥକବି ଏବଂ ସ୍ବଭାବ କବି ମଧ୍ୟରେ କଣ ଫରକ ରହିଛି ତାହା ଓଡିଶାର ଅସ୍ମିତା ଉପରେ ପର୍ଯ୍ୟବେଶିତ । ଏ ବିଷୟରେ ଜାଣିବାକୁ ହେଲେ ଓଡିଶାର ସଂସ୍କୃତି, ଐତିହ୍ୟ ଉପରେ ଜାଣିବାର ଆବଶ୍ୟକତା ରହିଛି । ଯେଉଁ ଲୋକ ଏହା କହିଛନ୍ତି, ଓଡିଶାର ପାଣି ପବନ ସହିତ ଆତ୍ମିକ ସମ୍ପର୍କ ବନାଇବାରେ ଅକ୍ଷମ ଅଛନ୍ତି । ତାଙ୍କ ଠାରୁ ଅଧିକ ଆଶା କରିବା ଠିକ ନୁହେଁ । ଏ ବିଷୟରେ କହିବାକୁ ହେଲେ ଓଡିଶାର ଐତିହ୍ୟ, ଅସ୍ମିତା ଉପରେ ଜାଣିବାର ଆବଶ୍ୟକତା ରହିଛି । ଏହି ଯେଉଁ ଘଟଣା ଘଟିଲା ଏହାକୁ ପ୍ରିଣ୍ଟିଂ ମିଷ୍ଟେକ୍‌ ନୁହେଁ, ବରଂ ଅପରାଧ । ଓଡ଼ିଆ ଅସ୍ମିତା କଥା ମୋଦି କଣ ପାଇଁ କହିଥିଲେ, ରାଜ୍ୟବାସୀ ଜାଣିବା ଦରକାର ।"

ସେ ଆହୁରି କହିଛନ୍ତି, "ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐହିତ୍ୟ ଅନନ୍ୟ । ଏବିଷୟରେ ଅବଗତ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ସ୍ବଭାବ କବି ଓ ସନ୍ଥକବି ଭିତରେ କେତେ ଫରକ ଅଛି ଜାଣିନାହାନ୍ତି, ସେମାନଙ୍କ ଠାରୁ ଆଶା ରଖିବା ବୃଥା । ଏସବୁ ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତା ଉପରେ ପର୍ଯ୍ୟବେଶିତ । ବିଜେଡିର ଗୁମାସ୍ତା ତଥା ଅଣଓଡ଼ିଆ ନେତା ଭିକେ ପାଣ୍ଡିଆନ ଜାଣିରଖିବା ଆବଶ୍ୟକ, ସନ୍ଥକବି ଭୀମ ଭୋଇ ହେଉଛନ୍ତି ଓଡ଼ିଶା ଲୋକଙ୍କ ପ୍ରାଣର କେନ୍ଦ୍ରବିନ୍ଦୁ । ସେହିପରି ସ୍ବଭାବ କବି ଗଙ୍ଗାଧର ମେହେର ହେଉଛନ୍ତି ସମସ୍ତଙ୍କ ସ୍ମରଣୀୟ । ପାଣ୍ଡିଆନ ସଭାରେ ସେମାନଙ୍କ ବିଷୟରେ ଯାହା କହିଛନ୍ତି ତାହା କେବଳ ଭୁଲ୍ ନୁହେଁ, ବରଂ ଓଡ଼ିଆ ବରପୁତ୍ରଙ୍କ ପାଇଁ ଅପମାନ ।"

ଏହା ମଧ୍ୟ ପଢ଼ନ୍ତୁ...ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରଦାର ପ୍ରଚାର, ଧର୍ମେନ୍ଦ୍ରଙ୍କୁ କଡ଼ା ଟାର୍ଗେଟ କଲେ ପାଣ୍ଡିଆନ - CM Campaign in Sambalpur

ସେହିପରି ରାଜ୍ୟରେ ନିର୍ବାଚନ ହିଂସା ଉପରେ ମନମୋହନ କହିଛନ୍ତି, "ଗଣ୍ଡଗୋଳ କିଏ କରୁଛି ଏ ଦିଗରେ ସଠିକ ତଦନ୍ତ ହେବା ଆବଶ୍ୟକ । ପୋଲିସ ସମସ୍ତ ସଠିକ ଦିଗରେ ତଦନ୍ତ କରିବା ଆବଶ୍ୟକ । ଏହା ହେଲେ ସତ୍ୟ ସାମ୍ନାକୁ ଆସିବ । ମୁଖ୍ୟ ନିର୍ବାଚନ ଅଧିକାରୀ ସବୁବେଳେ ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ କହୁଥିବାବେଳେ ଏହିଭଳି କାର୍ଯ୍ୟକ୍ରମ ଗ୍ରହଣୀୟ ନୁହେଁ । ବିଜେଡି ନେତାଙ୍କ ପାଖରେ ଗୋଟିଏ ଡର ପଶିଯାଇଛି ଯେ ବିଜେପି ଜିତିଲେ ସେମାନଙ୍କ ପାର୍ଟିକୁ ଭାଙ୍ଗିଦେବ ବୋଲି । ସେଥିପାଇଁ ସେମାନେ ପରାଜୟ ଭୟରେ ଏଭଳି ହିଂସା ନୀତି ଆପଣାଉଛନ୍ତି । ଶାସକ ଦଳ ପାଖରେ ପାୱାର ଥିବାରୁ ସେମାନେ ପୋଲିସ ଫୋର୍ସର ଖରାପ ବ୍ୟବହାର କରୁଛନ୍ତି । ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ଓ କର୍ମୀମାନଙ୍କୁ ଯେଉଁଭଳି ଆକ୍ରମଣ କରାଯାଉଛି, ସେଥିରୁ ବିଜେଡିର ଗୁଣ୍ଡାଗର୍ଦ୍ଦି ସ୍ପଷ୍ଟ ପ୍ରମାଣିତ ହେଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.