ETV Bharat / sports

Cricket World Cup 2023: ଆଫଗାନିସ୍ତାନ ବିପକ୍ଷ ବିପର୍ଯ୍ୟୟ ପରେ ଚିନ୍ତାରେ ବଟଲର, କହିଲେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ

author img

By ETV Bharat Odisha Team

Published : Oct 16, 2023, 5:42 PM IST

ଚିନ୍ତାରେ ବଟଲର, କହିଲେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ
ଚିନ୍ତାରେ ବଟଲର, କହିଲେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ

ବିଶ୍ବକପ୍‌ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ୬୯ ରନରେ ହରାଇ ଏହି ବିପର୍ଯ୍ୟୟ ସୃଷ୍ଟି କରିଥିଲା ଆଫଗାନିସ୍ତାନ । ଯାହାକୁ ନେଇ ଚିନ୍ତାରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଏକ ବଡ଼ ବିପର୍ଯ୍ୟୟ ଘଟିଥିଲା । ଦିଲ୍ଲୀର ଅରୁଣ ଜଟ୍‌ଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ଆଫଗାନିସ୍ତାନ । କ୍ରମାଗତ ଦୁଇଟି ପରାଜୟ ପରେ ଇଂଲଣ୍ଡ ବିପକ୍ଷରେ ୬୯ ରନରେ ଜିତି ଚଳିତ ସଂସ୍କରଣର ପ୍ରଥମ ବିଜୟର ସ୍ବାଦ ଚାଖିଥିଲା ଆଫଗାନିସ୍ତାନ । ତେବେ ୩ଟି ମ୍ୟାଚ୍‌ ଖେଳିଥିବା ଇଂଲଣ୍ଡ ଏଥିରୁ କେବଳ ଗୋଟିଏ ମ୍ୟାଚ୍‌ ଜିତିଥିବାବେଳେ ୨ଟିରେ ଶୋଚନୀୟ ଭାବେ ହାରିଛି । ଆଫଗାନିସ୍ତାନ ବିପକ୍ଷ ବିପର୍ଯ୍ୟୟ ପରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଚିନ୍ତା ପ୍ରକଟ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନଠାରୁ ତାଙ୍କ ଦଳକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଚଳିତ ବିଶ୍ବକପ୍‌ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ କିୱି ଦଳର ବ୍ୟାଟର ରଚିନ ରବୀନ୍ଦ୍ର ଓ ଡେଭନ କନୱେଙ୍କ ବିସ୍ଫୋରକ ଶତକୀୟ ପାଳି ବଳରେ ବଡ଼ ପରାଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିଲା ଦଳ । ଏହାପରେ ଯଦିଓ ବାଂଲାଦେଶ ବିପକ୍ଷରେ ୧୩୭ ରନରେ ଏକ ବଡ଼ ବିଜୟ ଦଳକୁ ମିଳିଥିଲା, ହେଲେ ଆଫଗାନିସ୍ତାନ ବିପକ୍ଷରେ ଏହି ବିଜୟଧାରାକୁ ଜାରି ରଖିବାରେ ଅସମର୍ଥ ହୋଇଛି ବଟଲର ବାହିନୀ । ରସିଦ ଖାନ ଓ ମୁଜିବୁର ରେହମାନଙ୍କ ଘାତକ ବୋଲିଂ ଆଟାକ୍‌ରେ ଇଂଲିଶ ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଏନେଇ ଅଧିନାୟକ ବଟଲର କହିଛନ୍ତି, "ବିଶ୍ବକପ୍‌ରେ ଆମେ ଏଭଳି ଆରମ୍ଭ କରିବାକୁ କେବେ ବି ଚାହିଁନଥିଲୁ । କିନ୍ତୁ ଏଭଳି ପରିସ୍ଥିତିରେ ଆମେ ପହଞ୍ଚିଛୁ । ଆମକୁ ଆଗକୁ ବଢ଼ିବାକୁ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିବ ।" ଏହି ସଙ୍କଟ ଦୂର କରିବାକୁ ତାଙ୍କ ଦଳ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ଥିବା କହିଛନ୍ତି ବଟଲର ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୬୯ ରନରେ ଡିଫେଣ୍ଡିଂ ଚମ୍ପିଆନକୁ ମାତ୍ ଦେଲା ଆଫଗାନିସ୍ତାନ

ସେ ଆହୁରି କହିଛନ୍ତି, "ଏହା ନିଶ୍ଚିତ ଭାବରେ ଏକ ବଡ ପ୍ରତିବନ୍ଧକ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପ୍ରଥମ ତିନୋଟି ଖେଳ କିପରି ହେବା ଦରକାର ସେନେଇ ଆମର ଏକ ଭିନ୍ନ ଯୋଜନା ରହିଥିଲା । ଆମକୁ ଦଳ ମଧ୍ୟରେ ଅନେକ ସ୍ଥିରତା ଏବଂ ବିଶ୍ବାସ ଦେଖାଇବାକୁ ପଡିବ । ଦଳରେ ବହୁତ ଭଲ ଖେଳାଳି ଅଛନ୍ତି । ହେଲେ ଆମେ ଯଥେଷ୍ଟ ଭଲ ଖେଳିନାହୁଁ । କିନ୍ତୁ ଆମକୁ ବିଶ୍ବାସ ରଖିବା ଆବଶ୍ୟକ । ଆମେ ଖରାପ ଆରମ୍ଭ କରିଥିଲୁ । ଖେଳର ପ୍ରଥମ ବଲ୍‌ ମୁଁ ମିସ୍‌ କରିଥିଲି । ଏବଂ ଏହା ପ୍ରଥମ ୧୦ ଓଭର ପାଇଁ ଏକ ପ୍ରକାର ଚାପ ସୃଷ୍ଟି କରିଥିଲା । ଆମେ ଚାହୁଁଥିବା କ୍ଷେତ୍ରକୁ ସଟ୍‌ ଖେଳିପାରିନାହୁଁ ।" ଏହି ମ୍ୟାଚ୍‌ରେ ଇଂଲଣ୍ଡ ବୋଲରଙ୍କ ଉପରେ ଚାପ ସୃଷ୍ଟି କରି ୮୦ ରନର ବିସ୍ଫୋରକ ପାଳି ଖେଳିଥିବା ଆଫଗାନୀ ଓପନର ଗୁର୍‌ବାଜଙ୍କୁ ପ୍ରଶଂସା କରିଛନ୍ତି ବଟଲର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.