ETV Bharat / sports

Cricket World Cup 2023: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୬୯ ରନରେ ଡିଫେଣ୍ଡିଂ ଚମ୍ପିଆନକୁ ମାତ୍ ଦେଲା ଆଫଗାନିସ୍ତାନ

author img

By ETV Bharat Odisha Team

Published : Oct 15, 2023, 9:44 PM IST

Updated : Oct 15, 2023, 10:02 PM IST

ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ହରାଇ ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୮୪ ରନର ଲଢ଼ୁଆ ସ୍କୋର କରିଥିଲା । ଜବାବରେ କେବଳ ୨୧୫ ରନରେ ସମସ୍ତ ୱିକେଟ୍‌ ହରାଇଛି ଇଂଲଣ୍ଡ । ଅଧିକ ପଢ଼ନ୍ତୁ

୬୯ ରନରେ ଜିତିଲା ଆଫଗାନିସ୍ତାନ
Afghanistan wins by 69 runs

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଓପନର ରେହମାନୁଲ୍ଲା ଗୁର୍‌ବାଜଙ୍କ ୮୦ ରନ୍‌ର ଧୂଆଁଧାର ପାଳି ଓ ଇକ୍ରାମ ଅଲିଖିଲଙ୍କ ୫୮ ରନ୍‌ର ମହତ୍ବପୂର୍ଣ୍ଣ ପାଳି ବଳରେ ଦଳ ଇଂଲଣ୍ଡ ଆଗରେ ୨୮୫ ରନର ଲଢ଼ୁଆ ଟାର୍ଗେଟ ରଖିଥିଲା । ହେଲେ ଆଫଗାନିସ୍ତାନର ଘାତକ ବୋଲିଂ ଆଟାକ୍‌ ଇଂଲଣ୍ଡକୁ ୪୦.୩ ଓଭରରେ କେବଳ ୨୧୫ ରନ୍‌ରେ ଅଲ୍‌ଆଉଟ୍‌ କରିବାରେ ସକ୍ଷମ ହୋଇଛି । ଫଳରେ ୬୯ ରନରେ ବଡ଼ ବିଜୟ ହାସଲ କରିଛି ଆଫଗାନିସ୍ତାନ । ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ ପାଇଁ ମୁଜିବୁର ରେହମାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଆଫଗାନିସ୍ତାନ ବ୍ୟାଟିଂ: ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର୍‌ । ଆଫଗାନିସ୍ତାନ ପାଇଁ ପାଳି ଆରମ୍ଭ କରିଥିବା ରେହମାନୁଲ୍ଲା ଗୁର୍‌ବାଜ ଓ ଇବ୍ରାହିମ୍ ଜଦରାନ ଦଳ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ଉଭୟ ୧୧୪ ରନ୍‌ ଯୋଡ଼ିଥିଲେ । ଏହାପରେ ଜଦରାନ ୨୮ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଯାଇଥିଲେ । ଗୋଟିଏ ପଟେ ଗୁର୍‌ବାଜ ଦଳୀୟ ସ୍କୋରବୋର୍ଡକୁ ଗତି ଦେଉଥିବା ବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିଲା । ଏହାପରେ ୫୭ ବଲରେ ୮୦ ରନ୍‌ କରି ଗୁର୍‌ବାଜ ଆଉଟ୍‌ ହୋଇଥିଲେ । ତାଙ୍କ ପାଳିରେ ସେ ୮ ଚୌକା ଓ ୪ ଛକା ମଧ୍ୟ ମାରିଥିଲେ । ଏହାପରେ ଇବ୍ରାହିମ ଅଲିଖିଲ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୫୮ ରନ କରି ଆଉଟ ହୋଇଥିଲେ । ସେହିପରି ରସିଦ ଖାନ (୨୩) ଓ ମୁଜିବୁର ରେହମାନ (୨୮) ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ଅସମର୍ଥ ରହିଥିଲେ । ଫଳରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ କରି ସମସ୍ତ ୱିକେଟ୍‌ ହରାଇଥିଲା ।

ଇଂଲଣ୍ଡ ବୋଲିଂ: ଇଂଲଣ୍ଡ ପକ୍ଷରୁ ଆଦିଲ୍‌ ରସିଦ୍‌ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ମାର୍କ ଉଡ୍‌ ୯ ଓଭର ବୋଲିଂ କରି ୫୦ ରନ ବ୍ୟୟରେ ୨ଟି ୱିକେଟ ନେଇଥିଲେ । ସେହିପରି ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ ଓ ରିସି ଟପ୍‌ଲି ଦଳକୁ ଗୋଟିଏ ଲେଖାଏଁ ସଫଳତା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଫଗାନିସ୍ତାନର ଲଢ଼ୁଆ ବ୍ୟାଟିଂ, ଇଂଲଣ୍ଡ ଆଗରେ ୨୮୫ ଟାର୍ଗେଟ୍‌

ଇଂଲଣ୍ଡ ବ୍ୟାଟିଂ: ଏହାପରେ ଦ୍ବିତୀୟ ବିଜୟ ସନ୍ଧାନରେ ଥିବା ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ୨୮୫ ରନ୍‌ର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା । ହେଲେ ଦ୍ବିତୀୟ ଓଭରର ପ୍ରଥମ ବଲରେ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା । ଓପନର ଜନି ବେୟାରଷ୍ଟୋ ଫଜଲହକ୍‌ ଫାରୁକୀଙ୍କ ବଲରେ ପାଭିଲିୟନ ପହଞ୍ଚିଥିଲେ । ଏହାପରେ ଜୋ ରୁଟ୍‌ ମୁଜିବୁର ରେହମାନଙ୍କ ପ୍ରଥମ ଶିକାର ପାଲଟିଥିଲେ । ସେ କେବଳ ୧୧ ରନ କରି ପାଭିଲିୟନ ଫେରିଥିଲେ । ଡେଭିଡ୍‌ ମଲାନ ଓ ହ୍ୟାରୀ ବ୍ରୁକ୍‌ଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ହେଲେ ୩୨ ରନ କରି ଆଉଟ୍‌ ହୋଇଥିଲେ ମଲାନ । ଗୋଟିଏ ପଟେ ବ୍ରୁକ୍‌ ଆଫଗାନୀ ବୋଲରଙ୍କୁ ଆକ୍ରମଣ ଜାରି ରଖିଥିବାବେଳେ ଅନ୍ୟପଟେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଚାଲିଲା । ବ୍ରୁକ୍‌ ଦଳ ପାଇଁ ସର୍ବାଧିକ ୬୧ ବଲରୁ ୬୬ ରନର ପାଳି ଖେଳିଥିଲେ । ଅନ୍ୟ ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ ଦେଇନପାରିବାରୁ ଇଂଲଣ୍ଡ ୨୧୫ ରନରେ ସମସ୍ତ ୱିକେଟ୍‌ ହରାଇଛି ।

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନକୁ ପ୍ରଥମ ବିଜୟ ଦେବାପାଇଁ ଦଳର ସମସ୍ତ ବୋଲର ସନ୍ତୁଳିତ ପ୍ରଦର୍ଶନ ଦେଇଥିଲେ । ମୁଜିବୁର ରେହମାନ ଓ ରସିଦ ଖାନ ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଥିବାବେଳେ ମହମ୍ମଦ ନବୀଙ୍କୁ ୨ଟି ସଫଳତା ମିଳିଥିଲା । ସେହିଭଳି ଫଜଲହକ୍‌ ଫାରୁକୀ ଓ ନବୀନ ଉଲ୍‌ ହକ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 15, 2023, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.