ETV Bharat / sports

Cricket World Cup 2023: ଦ୍ରାବିଡଙ୍କ କ୍ଲବ୍‌ରେ ରାହୁଲ, ରୋହିତଙ୍କୁ ପଛରେ ପକାଇ ହାସଲ କଲେ ଦ୍ରୁତତମ ବିଶ୍ବକପ୍‌ ଶତକ

author img

By ETV Bharat Odisha Team

Published : Nov 12, 2023, 11:04 PM IST

ରୋହିତଙ୍କୁ ପଛରେ ପକାଇ ହାସଲ କଲେ ଦ୍ରୁତତମ ବିଶ୍ବକପ୍‌ ଶତକ
ଦ୍ରାବିଡଙ୍କ କ୍ଲବ୍‌ରେ ରାହୁଲ

ବିଶ୍ବକପ୍‌ ୨୦୨୩ରେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରି ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି ୱିକେଟ୍‌କିପର-ବ୍ୟାଟର କେଏଲ୍‌ ରାହୁଲ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ସରିଲା ବିଶ୍ବକପ୍‌ ୨୦୨୩ର ଲିଗ୍‌ ପର୍ଯ୍ୟାୟ । ଦମଦାର ପ୍ରଦର୍ଶନ ସହ ସମସ୍ତ ୯ ମ୍ୟାଚ୍‌ ଜିତି ଲିଗ୍ ପର୍ଯ୍ୟାୟରେ ଅପରାଜିତ ରହିଛି ଟିମ୍‌ ଇଣ୍ଡିଆ । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ସହ ମ୍ୟାଚ୍‌ ଜିତି ଅଭିଯାନ ଶେଷ କରିଛି ଭାରତ । ତେବେ ଏହି ମ୍ୟାଚ୍‌ରେ ଶତକୀୟ ପାଳି ଖେଳି ଏକାଧିକ ରେକର୍ଡ କରିଛନ୍ତି ଭାରତୀୟ ୱିକେଟ୍‌କିପର-ବ୍ୟାଟର କେଏଲ୍‌ ରାହୁଲ । ରାହୁଲ ଦ୍ରାବିଡଙ୍କ ପରେ ଦ୍ବିତୀୟ ୱିକେଟକିପର-ବ୍ୟାଟର ଭାବେ ସେ ବିଶ୍ବକପ୍‌ ଶତକ ହାସଲ କରିଛନ୍ତି । ସେପଟେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦ୍ରୁତତମ ବିଶ୍ବକପ୍‌ ଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି କେଏଲ୍‌ ରାହୁଲ ।

ବିଶ୍ବକପ୍‌ ଶତକ ହାସଲକାରୀ ଦ୍ବିତୀୟ ଭାରତୀୟ ୱିକେଟ୍‌କିପର: ବର୍ତ୍ତମାନ ଭାରତୀୟ ଦଳର ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡ ଏକମାତ୍ର ୱିକେଟକିପର ଭାବେ ବିଶ୍ବକପ୍‌ ଇତିହାସରେ ଭାରତ ପାଇଁ ଏକ ଶତକ ହାସଲ କରିଥିବା ରେକର୍ଡ ନିଜ ନାମରେ ରଖିଥିଲେ । ସେ ୧୯୯୯ ବିଶ୍ବକପ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୧୪୫ ରନ୍‌ର ଇନିଂସ ଖେଳିଥିଲେ । ଏହା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ୱିକେଟ୍‌କିପର ବିଶ୍ବକପ୍‌ରେ ଶତକ ହାସଲ କରିପାରିନଥିଲେ । ଦ୍ବିତୀୟ ୱିକେଟ୍‌କିପର ଭାବେ ଭାରତ ପାଇଁ କେଏଲ୍‌ ରାହୁଲ ରବିବାର ନେଦରଲ୍ୟାଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଛନ୍ତି । ବିଶ୍ବକପ୍‌ରେ ୱିକେଟକିପର ଭାବରେ ଶତକ ହାସଲ କରିବାରେ ରାହୁଲ ଦ୍ବିତୀୟ ଭାରତୀୟ ବ୍ୟାଟର ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଲଢ଼େଇ କରି ୨୫୦ରେ ଅଟକିଲା ନେଦରଲ୍ୟାଣ୍ଡ, ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସେମି ପୂର୍ବରୁ ଚମକିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର, ଡଚ୍‌ ଦଳ ଆଗରେ ବିଶାଳ ୪୧୧ ରନ ଲକ୍ଷ୍ୟ

ରୋହିତଙ୍କୁ ପଛରେ ପକାଇଲେ ରାହୁଲ: ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଭାରତର ଦ୍ବିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ୧୩୧ ରନ୍‌ର ଇନିଂସ ଖେଳିଥିଲେ । ଏହି ମ୍ୟାଚ୍‌ରେ ସେ ୬୩ ବଲରେ ନିଜର ଶତକ ପୂରଣ କରିଥିଲେ । କିନ୍ତୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ରାହୁଲ ଏହି ରେକର୍ଡ ଭାଙ୍ଗି ରୋହିତଙ୍କୁ ପଛରେ ପକାଇଛନ୍ତି । ଏହି ମ୍ୟାଚ୍‌ରେ ସେ ୬୨ ବଲରେ ଶତକ ହାସଲ କରିଥିଲେ । ସେ ସମୁଦାୟ ୬୪ ବଲ୍‌ରୁ ୧୧ ଚୌକା ଓ ୪ ଛକା ବଳରେ ୧୦୨ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.