ETV Bharat / sports

Cricket World Cup 2023: ଟିମ୍‌ ଇଣ୍ଡିଆକୁ ଝଟ୍‌କା, ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବି ଖେଳିବେନି ଗିଲ୍‌

author img

By ETV Bharat Odisha Team

Published : Oct 9, 2023, 6:25 PM IST

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବି ଖେଳିବେନି ଗିଲ୍‌
ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବି ଖେଳିବେନି ଗିଲ୍‌

ବିଶ୍ବକପ୍‌ ୨୦୨୩ରେ ଭାରତ ଏହାର ଅଭିଯାନ ଆରମ୍ଭ କରିଦେଇଥିବା ବେଳେ ଦଳର ଯୁବ ତାରକା ଶୁଭମନ ଗିଲ୍‌ ଡେଙ୍ଗୁ କବଳରେ ରହିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିପାରିନଥିଲେ । ଏବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ମଧ୍ୟ ଗିଲ୍‌ ବାଦ ପଡ଼ିବା ନେଇ ସ୍ପଷ୍ଟ କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଏହି ଓପନିଂ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିଥିଲା । ହଠାତ ଅସୁସ୍ଥ ହୋଇପଡ଼ିବାରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ ଭାରତର ଯୁବ ତାରକା ବ୍ୟାଟର ଶୁଭମନ ଗିଲ୍‌ । ବର୍ତ୍ତମାନ ସେ ତାଙ୍କର ପ୍ରାଇମ୍‌ ଫର୍ମରେ ରହିଥିବାବେଳେ ବିଶ୍ବକପ୍‌ରେ ତାଙ୍କ ନିକଟରୁ ଅନେକ କିଛି ଆଶା ରଖିଥିଲେ କ୍ରିକେଟପ୍ରେମୀ । ଦଳ ମଧ୍ୟ ତାଙ୍କ ଉପରେ ବେଶ ନିର୍ଭର ଥିବା ଭଳି ମନେ ହେଉଥିଲା । ହେଲେ ହଠାତ ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ସେ ପ୍ରଥମ ମ୍ୟାଚ୍‌ରୁ ଦୂରେଇ ରହିଥିଲେ । ଏହି ମ୍ୟାଚ୍‌ରେ ଦଳ ଶୀର୍ଷକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ । ଏହାରି ଭିତରେ ବିସିସିଆଇ ଗିଲ୍‌ଙ୍କୁ ନେଇ ସଦ୍ୟତମ ମେଡିକାଲ୍ ରିପୋର୍ଟ ଜାରି କରିଛି ।

ଆଗାମୀ ଅକ୍ଟୋବର ୧୧ ତାରିଖ (ବୁଧବାର) ଆଫଗାନିସ୍ତାନ ବିପକ୍ଷରେ ବିଶ୍ବକପ୍‌ ୨୦୨୩ର ଦ୍ବିତୀୟ ମ୍ୟାଚ୍‌ ଖେଳିବ ଭାରତ । ଏହାରି ମଧ୍ୟରେ ବିସିସିଆଇ ଜାରି କରିଥିବା ଗିଲ୍‌ଙ୍କ ମେଡିକାଲ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳର ଓପନିଂ ବ୍ୟାଟର ଶୁଭମନ ଗିଲ୍‌ ଅକ୍ଟୋବର ୯ରେ ଦଳ ସହ ଦିଲ୍ଲୀ ଯାତ୍ରା କରିବେ ନାହିଁ । ଗିଲ୍‌ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ସେ ଚେନ୍ନାଇରେ ଡାକ୍ତରୀ ଦଳଙ୍କ ନଜରରେ ରହିବେ ବୋଲି ବିସିସିଆଇ କହିଛି । ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା କାରଣରୁ ସେ ପ୍ରଥମ ମ୍ୟାଚ୍ ଖେଳି ପାରିନଥିଲେ । ଏବେ ସେ ଦ୍ଵିତୀୟ ମ୍ୟାଚ୍‌ରୁ ମଧ୍ୟ ବାଦ୍ ପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଗିଲ୍‌ଙ୍କ ଅନୁପସ୍ଥିତି ଈଶାନ କିଷାନଙ୍କ ପାଇଁ ହୋଇପାରେ ସୁବର୍ଣ୍ଣ ସୁଯୋଗ

ଗିଲ୍‌ ଖେଳିନପାରିବା ଭାରତୀୟ ଦଳ ପାଇଁ ଏକ ବଡ଼ ଝଟ୍‌କା । କାରଣ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଦଳର ମୁକାବିଲା ପାକିସ୍ତାନ ସହ ରହିଛି । ଯଦି ଶୁଭମନ ଗିଲ୍‌ଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସିଧାସଳଖ ଖେଳାଯାଏ, ତେବେ ଏହା ଦଳ ପାଇଁ ଘାତକ ହୋଇପାରେ । କାରଣ ଯେ କୌଣସି ମ୍ୟାଚ୍ ପୂର୍ବରୁ ଅଭ୍ୟାସର ଆବଶ୍ୟକତା ରହିଛି । ଡେଙ୍ଗୁରୁ ସୁସ୍ଥ ହେବାପରେ ତାଙ୍କୁ ଅଭ୍ୟାସ ପାଇଁ ସମୟ ମିଳିବ ନାହିଁ । ତେଣୁ ଗିଲ୍‌ କେବେ ଡେଙ୍ଗୁରୁ ସୁସ୍ଥ ହୋଇ ସଂପୂର୍ଣ୍ଣ ଫିଟ୍‌ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରକାଶଯୋଗ୍ୟ, ଗିଲ୍‌ଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇଶାନ କିଷାନଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା । ହେଲେ ସେ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.