ETV Bharat / international

Russia-Ukraine War: ଖେରସନରେ ଋଷ ସେନାର ଆକ୍ରମଣ, ୨୧ ମୃତ

author img

By

Published : May 4, 2023, 10:48 AM IST

Updated : May 4, 2023, 10:58 AM IST

ଖେରସନରେ ଋଷିଆ ସେନାର ଆକ୍ରମଣ
ଖେରସନରେ ଋଷିଆ ସେନାର ଆକ୍ରମଣ

ୟୁକ୍ରେନର ଖେରସନରେ ଋଷିଆ ସେନାର ପ୍ରଚଣ୍ଡ ଆକ୍ରମଣ । ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮ ଆହତ । ଅଧିକ ପଢନ୍ତୁ

କିଭ୍: ବର୍ଷେ ବିତିଲାଣି, ମାତ୍ର ୟୁକ୍ରେନ-ଋଷିଆ ଯୁଦ୍ଧରେ ବିରାମ ଲାଗୁନି । ଓଲଟା ଦୁଇ ଦେଶ ମଧ୍ୟରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ୟୁକ୍ରେନ ଉପରେ ଗୁଳିଗୋଳ ବର୍ଷଣ ଓ ମିସାଇଲ ଆକ୍ରମଣ ଜାରି ରଖିଛି ଋଷିଆ । ଗତକାଲି ପୁଣିଥରେ ଋଷିଆ ସେନା ଖେରସନର ଗୋଟିଏ ସୁପରମାର୍କେଟ ଓ ରେଳ ଷ୍ଟେସନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ୨୧ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି, ରେଳ ଷ୍ଟେସନ, ଗୋଟିଏ ହାଡୱେୟାର ଷ୍ଟୋର, ଗ୍ରୋସେରୀ ସୁପରମାର୍କେଟ ଏବଂ ଏକ ଗ୍ୟାସ ଷ୍ଟେସନ ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ୨୧ ଜଣଙ୍କର ଜୀବନ ଯାଇଛି । ରାଜଧାନୀ କିଭ୍‌ରେ ମଧ୍ୟ ଦୁଇଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି । ଏହି ଘଟଣା ପରେ କିଭ୍ ଓବଲାଷ୍ଟ ସାମରିକ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ଡ୍ରୋନ ଆକ୍ରମଣ ଆଶଙ୍କା କରାଯାଇଛି । ତେଣୁ ଲୋକମାନଙ୍କୁ ବାହାରକୁ ନଯାଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ କିଭ୍, ଚେରନିଭ, ସୁମି, ପୋଲତାଭା, କିରୋଭୋରଦ, ଖାରକିଭ, ମାଇକୋଲିଭ, ଓଡେଶା, ଜାପୋରିଝରିଆ ଅଞ୍ଚଳରେ ଏୟାର ଷ୍ଟ୍ରାଇକ ଆଶଙ୍କା ଥିବାରୁ ହାଇଆଲର୍ଟ ଜାରି କରାଯାଇଛି ।

ଏହାରି ଭିତରେ ବୁଧବାର ବିଳମ୍ବିତ ରାତିରେ ଋଷ ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଡ୍ରୋନ ସାହାଯ୍ୟରେ ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ଋଷିଆ ଅଭିଯୋଗ କରିଛି । ପୁଟିନଙ୍କ ବାସଭବନ ଉପରେ ଖୁବ୍ ନିକଟରେ ଦୁଇଟି ଡ୍ରୋନ ଗୁଳିକରି ଉଡାଇ ଦିଆଯାଇଛି । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତକା ଆହୁରି ଘନେଇବାରେ ଲାଗିଛି ।

ଏହାମଧ୍ୟ ପଢନ୍ତୁ: ପୁଟିନଙ୍କୁ ହତ୍ୟା ଉଦ୍ୟମ ! ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନର ଦୁଇଟି ଡ୍ରୋନକୁ ଖସାଇଲା ମସ୍କୋ

ସେପଟେ ପୁଟିନଙ୍କୁ ହତ୍ୟା ଷଡଯନ୍ତ୍ର ସମ୍ପର୍କିତ ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ''ଆମେ ପୁଟିନଙ୍କ ଉପରକୁ ଆକ୍ରମଣ କରିନାହୁଁ । ଆମେ ନିଜ ମାଟି ପାଇଁ ଲଢେଇ କରୁଛୁ ।'' ଏସବୁ ମଧ୍ୟରେ ଆମେରିକା ପୁଣିଥରେ ୟୁକ୍ରେନକୁ ସହାୟତା କରିଛି । ଋଷ ସେନାର କଡା ଜବାବ ଦେବାକୁ ଆମେରିକା ଯୁକ୍ରେନ ପାଇଁ ୩୦୦ ମିଲିୟନର ସୁରକ୍ଷା ସହାୟତା ଘୋଷଣା କରିଛି । ପାଶ୍ଟାତ୍ୟ ଦେଶ ଗୁଡିକର ସହାୟତା ୟୁକ୍ରେନକୁ ବଳ ଦେଉଥିବା ବେଳେ ଯୁଦ୍ଧ ଥମିବାର ନାଁ ନେଉନି ।

Last Updated :May 4, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.