ETV Bharat / international

ସ୍ବିଡେନରେ କୁରାନ ପୋଡି ଘଟଣା; ଜାତିସଂଘରେ ପାକିସ୍ତାନ ପ୍ରସ୍ତାବକୁ ସମର୍ଥନ କଲା ଭାରତ

author img

By

Published : Jul 13, 2023, 8:13 AM IST

ଜାତିସଂଘରେ ପାକିସ୍ତାନ ପ୍ରସ୍ତାବକୁ ସମର୍ଥନ କଲା ଭାରତ
ଜାତିସଂଘରେ ପାକିସ୍ତାନ ପ୍ରସ୍ତାବକୁ ସମର୍ଥନ କଲା ଭାରତ

ସ୍ବିଡେନରେ ପବିତ୍ର କୁରାନ ପୋଡି ଘଟଣା । ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରେ ପାକିସ୍ତାନ ପ୍ରସ୍ତାବକୁ ସମର୍ଥନ କଲା ଭାରତ । ଅଧିକ ପଢନ୍ତୁ

ଜେନେଭା: ସ୍ବିଡେନରେ ପବିତ୍ର କୁରାନ ପୋଡ଼ି ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି । ପାକିସ୍ତାନ କୁରାନ ଜାଳିବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରେ ଧାର୍ମିକ ଘୃଣା ରୋକିବାକୁ ଏକ ପ୍ରସ୍ତାବ ଆଣିଥିଲା । ଉକ୍ତ ଡ୍ରାଫ୍ଟ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରାଯାଇଛି । ହେଲେ ବଡ କଥା ହେଉଛି, ପାକିସ୍ତାନର ଏହି ପ୍ରସ୍ତାବକୁ ଭାରତ ଜାତିସଂଘରେ ସମର୍ଥନ ଦେଇଛି । ଯେତେବେଳେ କି, ଆମେରିକା ପ୍ରସ୍ତାବର ବିରୋଧରେ ରହିଛି ।

ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦ(UNHRC) ପକ୍ଷରୁ କୁହାଯାଇଛି, ୫୭ ଇସଲାମିକ ରାଷ୍ଟ୍ର ସମୂହ ଓଆଇସି ପକ୍ଷରୁ ପାକିସ୍ତାନ ଜାତିସଂଘରେ ଧାର୍ମିକ ଘୃଣା ସହ ଜଡିତ ପ୍ରସ୍ତାବ ଉପସ୍ଥାପନ କରିଥିଲା । କିଛି ୟୁରୋପୀୟ ଏବଂ ଅନ୍ୟ ରାଷ୍ଟ୍ର ପବିତ୍ର କୋରୋନକୁ ଅପମାନିତ କରାଯିବା ଘଟଣାର ନିନ୍ଦା କରିଥିଲେ । ମାନବାଧିକାର ସୁରକ୍ଷା ପରିଷଦରେ ଏହି ପ୍ରସ୍ତାବକୁ ୪୭ ସଦସ୍ୟ ଦେଶ ମଧ୍ୟରୁ ୧୨ଟି ଦେଶ ବିରୋଧ କରିଥିଲେ । ଏହି ଦେଶଗୁଡିକ ମଧ୍ୟରେ ଆମେରିକା, ବ୍ରିଟେନ, ବେଲଜିୟମ, ଜର୍ମାନୀ, ରୋମାନିଆ, ଲିଥୁଆନିୟା, କୋଷ୍ଟାରିକା ଏବଂ ଫିନଲ୍ୟାଣ୍ଡ ସାମିଲ ଥିଲେ । କିନ୍ତୁ ଭାରତ ଏବଂ ଚୀନ ସମେତ ସମୁଦାୟ ୨୮ଟି ଦେଶ ପାକିସ୍ତାନର ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ନେପାଳ ସହ ୭ଟି ଦେଶରେ ଭୋଟଦାନରୁ ବିରତ ରହିଥିଲେ ।

ଏହାମଧ୍ୟ ପଢନ୍ତୁ: ଭାରତରେ ଗତ 15 ବର୍ଷରେ ଗରିବୀରୁ ମୁକ୍ତ ହୋଇଛନ୍ତି 41କୋଟି: ଜାତିସଂଘ

UNHRCରେ ପାକିସ୍ତାନର ପ୍ରସ୍ତାବ ଉପରେ ଯୁକ୍ତତର୍କ ସମୟରେ ଇସଲାମିକ ରାଷ୍ଟ୍ରଗୁଡିକ କହିଥିଲେ ଯେ, କୁରାନ ଜାଳିବା ଭଳି ଘଟଣା ଘୃଣାର ବିସ୍ତାର କରେ । ଫ୍ରିଡମ ଅଫ୍ ସ୍ପିଚ୍‌ ବା ବାକ୍ ସ୍ବାଧିନତା ନାଁରେ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯାଇ ପାରିବ ନାହିଁ । ଅନ୍ୟପଟେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏହି ଘଟଣାକ ନିନ୍ଦା କରିଥିଲେ ହେଁ ଯୁକ୍ତି ବାଢିଥିଲେ ଯେ, ବାକ୍ ସ୍ବାଧିନତାର ଅର୍ଥ ବେଳେବେଳେ ଅସହନୀୟ ବିଚାରଗୁଡିକ ସହ୍ୟ କରିବା ମଧ୍ୟ ଅଟେ ।

ଜାତିସଂଘରେ ପାକିସ୍ତାନକୁ ୨୮ ଦେଶର ସମର୍ଥନ ମିଳିବା ପରେ ପାକିସ୍ତାନର ଏକ ଖବରକାଗଜ ଏହାକୁ ପାଶ୍ଚତ୍ୟ ରାଷ୍ଟ୍ରର ବଡ଼ ପରାଜୟ ବୋଲି ଉଲ୍ଲେଖ କରିଛି । ଏହାସହିତ UNHRCରେ ଓଆଇସିର ଦବଦବା ରହିଥିବା ମଧ୍ୟ କୁହାଯାଇଛି । ସେପଟେ ଜାତିସଂଘ ମାନବାଧିକାର ପରିଷଦରେ ଆମେରିକାର ସ୍ଥାୟୀ ପ୍ରତିନିଧି ମିଶେଲ ଟେଲର କହିଛନ୍ତି ଯେ, ଏ ଦିଗରେ ଆମେରିକାର ଚିନ୍ତାକୁ ଗମ୍ଭୀରତାର ସହ ନିଆଗଲା ନାହିଁ । ଚିନ୍ତା କରିବାକୁ ଅଧିକ ସମୟ ଦିଆଯାଇଥିଲେ ଏବଂ ଖୋଲା ଆଲୋଚନା ହୋଇଥିଲେ ଆମେ ସମସ୍ତେ ଏହି ପ୍ରସ୍ତାବରେ ଏକାସଙ୍ଗେ ଆଗକୁ ବଢ଼ିବାର ରାସ୍ତା ଖୋଜି ପାରିଥାନ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.