ETV Bharat / bharat

ଭାରତରେ ଗତ 15 ବର୍ଷରେ ଗରିବୀରୁ ମୁକ୍ତ ହୋଇଛନ୍ତି 41କୋଟି: ଜାତିସଂଘ

author img

By

Published : Jul 11, 2023, 9:58 PM IST

ଭାରତରେ ଗତ 15 ବର୍ଷରେ ଗରିବିରୁ ମୁକ୍ତ ହୋଇଛନ୍ତି 41 କୋଟି: ଜାତିସଂଘ
ଭାରତରେ ଗତ 15 ବର୍ଷରେ ଗରିବିରୁ ମୁକ୍ତ ହୋଇଛନ୍ତି 41 କୋଟି: ଜାତିସଂଘ

ଗରିବି ମୁକ୍ତ ମିଶନରେ ଭଲ ପ୍ରଦର୍ଶନ କରିଛି ଭାରତ । ଗତ 15 ବର୍ଷରେ ଗରିବିରୁ ମୁକ୍ତ ହୋଇଛନ୍ତି 41କୋଟି । ଜାତିସଂଘ ରିପୋର୍ଟରେ ଆସିଲା ତଥ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଗତ ପ୍ରାୟ ଦେଢ ଦଶନ୍ଧି ମଧ୍ୟରେ ଆଖିଦୃଶିଆ ଭାବେ ହ୍ରାସ ପାଇଛି ଗିରିବି । ବର୍ଷ 2005-06 ରୁ ବର୍ଷ 2019-21 ମଧ୍ୟରେ ପ୍ରାୟ 41 କୋଟି ଭାରତୀୟ ଗରିବିରୁ ମୁକ୍ତ ହୋଇଥିବା ଜାତିସଂଘର ଏକ ସର୍ବେକ୍ଷଣ ରିପୋର୍ଟରେ ଏପରି ତଥ୍ୟ ଉନ୍ମୋଚନ ହୋଇଛି । ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (UNDP) ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଏବଂ ଅକ୍ସଫୋର୍ଡ ୟୁନିଭରସିଟିରେ ଦାରିଦ୍ର୍ୟ ଏବଂ ମାନବ ବିକାଶ ଇନିସିଏଟିଭ୍‌ (OPHI) ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ମଲ୍ଟିଡେମେନସିଆଲ୍ ଦାରିଦ୍ର୍ୟ ସୂଚକାଙ୍କ (MPI) ର ସର୍ବଶେଷ ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାରତ ଦାରିଦ୍ର୍ୟ ଦୂରୀକରଣ ମିଶନରେ ଗତ ଦେଢ ଦଶନ୍ଧି ମଧ୍ୟରେ ବେଶ ଭଲ ପ୍ରଦର୍ଶନ କରିଛି ।

ଏହି ଅନୁଧ୍ୟାନରେ ଭାରତ ସମେତ ବିଶ୍ବର 25ଟି ଦେଶର ଗତ 15 ବର୍ଷ ମଧ୍ୟରେ ସାମାଜିକ ସ୍ଥିିତି ବିଚାରକୁ ନିଆଯାଇଥିଲା । ଅନୁଧ୍ୟାନରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଦେଶଗୁଡିକର ସାମାଜିତ ଓ ଆର୍ଥିକ ସ୍ଥିତିରେ ଅଗ୍ରଗତି ଦେଖାଯାଇଛି । ଏହି ଦେଶଗୁଡ଼ିକ ମଧ୍ୟରେ କାମ୍ବୋଡିଆ, ଚୀନ୍, କଙ୍ଗୋ, ହୋଣ୍ଡୁରାସ, ଭାରତ, ଇଣ୍ଡୋନେସିଆ, ମୋରୋକ୍କୋ, ସର୍ବିଆ ଏବଂ ଭିଏତନାମ ପ୍ରମୁଖ ଅନ୍ତର୍ଭୁକ୍ତ ରହିଛନ୍ତି ।

ଜାତିସଂଘର ତଥ୍ୟ ଅନୁଯାୟୀ, ଏପ୍ରିଲ ମାସ ସୁଦ୍ଧା ଭାରତ 142.86 କୋଟି ଜନସଂଖ୍ୟା ସହ ଚୀନକୁ ଅତିକ୍ରମ କରିଛି । ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ରିପୋର୍ଟରେ ଏହା ପ୍ରମାଣିତ ହୋଇଛି ଯେ, ଦାରିଦ୍ର୍ୟ ଦୂରୀକରଣ ଦିଗରେ ଭାରତ ବେଶ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ମାତ୍ର 15 ବର୍ଷ ମଧ୍ୟରେ ମୋଟ ଲୋକସଂଖ୍ୟାର 41.5 କୋଟି ଲୋକଙ୍କ ସାମାଜିକ ଓ ଆର୍ଥିକ ମାପଦଣ୍ଡରେ ସୁଧାର ଆସିବା ସହ ସେମାନେ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ବର୍ଷ 2005-06 ରେ ଭାରତରେ ପ୍ରାୟ 64.5 ଲୋକ ଗିରିବିର ଶିକାର ଥିଲେ । ହେଲେ ବର୍ଷ 2015-16 ରେ ଏହି ସଂଖ୍ୟା ହ୍ରାସ ପାଇ 37 କୋଟିରେ ପହଞ୍ଚିଥିଲା । ବର୍ଷ 2019-21 ଅନୁସାରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇ 23 କୋଟିରେ ପହଞ୍ଚିଛି । ଯଦି ବର୍ଷ 2005-06 ଓ ବର୍ତ୍ତମାନ ସମୟର ଗରିବି ସୂଚକାଙ୍କକୁ ତୂଳନାତ୍ମକ ଭାବେ ଦେଖାଯାଏ ତେବେ ଭାରତରେ ପ୍ରାୟ 41 କୋଟି ଲୋକ ଗରିବିରୁ ମୁକ୍ତ ହେବାରେ ସଫଳ ହୋଇଛନ୍ତି ।


ଏହା ମଧ୍ୟ ପଢନ୍ତୁ:-ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇପାରିବ ଭାରତ: ବିଶ୍ୱ ମୁସଲିମ ଲିଗ ମୁଖ୍ୟ

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ପୋଷଣ ସୂଚକାଙ୍କ ଆଧାରରେ ବହୁମୁଖୀ ଦାରିଦ୍ର ତଥା ବଞ୍ଚିତ ଲୋକଙ୍କ ସଂଖ୍ୟା 2005-06 ମସିହାରେ 44.3 ପ୍ରତିଶତ ଥିବା ବେଳେ ବର୍ଷ 2019-21 ରେ ଏହି ସଂଖ୍ୟା 11.8 ପ୍ରତିଶତକୁ ହ୍ରାସ ପାଇଛି । ଏହି ସମୟ ଅବଧି ମଧ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ମଧ୍ୟ ଭାରତକୁ ବେଶ ଭଲ ସଫଳ ସଫଳତା ମିଳିଛି । ଏହି ସଂଖ୍ୟା 4.5 ପ୍ରତିଶତରୁ 1.5 ପ୍ରତିଶତକୁ ହ୍ରାସ ପାଇଛି । ସେହିପରି କେବଳ ଗରିବି କିମ୍ବା ପୋଷଣ ସୂଚକାଙ୍କ ନୁହେଁ ବରଂ ରିପୋର୍ଟ ଅନୁଯାୟୀ, ରନ୍ଧନ ଇନ୍ଧନରୁ ବଞ୍ଚିତ ଲୋକଙ୍କ ସଂଖ୍ୟା 52.9 ପ୍ରତିଶତରୁ 13.9 ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ, ପରିମଳରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ବର୍ଷ 2005-06 ରେ 50.4 ପ୍ରତିଶତ ଥିବା ବେଳେ 2019-21 ରେ 11.3 ପ୍ରତିଶତକୁ ହ୍ରାସ ପାଇଛି । ବିଭିନ୍ନ ସାମାଜିକ ଓ ଆର୍ଥିକ ଉନ୍ନତି ମାପଦଣ୍ଡରେ ଭାରତର ପ୍ରଦର୍ଶନ ମାତ୍ର ଦେଢ ଦଶନ୍ଧି ମଧ୍ୟରେ ବେଶ ଭଲ ରହିଥିବା ଏହି ଅନ୍ତର୍ଜାତୀୟ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.