ETV Bharat / international

ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ, ଲଢି ପାରିବେନି ନିର୍ବାଚନ

author img

By ETV Bharat Odisha Team

Published : Dec 20, 2023, 8:43 AM IST

Updated : Dec 20, 2023, 10:00 AM IST

ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ
ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ

Donald Trump Declared Ineligible for Presidency: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା । ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷିତ କଲେ କୋର୍ଟ । ଅଧିକ ପଢନ୍ତୁ

ୱାଶିଂଟନ: ଆସନ୍ତାବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହାପୂର୍ବରୁ ରାଷ୍ଟ୍ରପତି ରେସରେ ଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେନି ଟ୍ରମ୍ପ । ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ ପାର୍ଟି ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ୨୦୨୧ କ୍ୟାପିଟାଲ ହିଂସା ମାମଲାରେ ଆମେରିକାର କୋଲୋରାଡୋ ହାଇକୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଯାହାଫଳରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରତିଦ୍ବନ୍ଦିତା ନ କରିପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

କୋଲାରାଡୋ କୋର୍ଟ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । କୋର୍ଟ ୪-୩ ସଂଖ୍ୟାଗରିଷ୍ଠତାରେ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ୧୪ ତମ ସଂଶୋଧନର 'ବିଦ୍ରୋହ ସମ୍ପର୍କିତ' ଧାରା ୩ ଅନୁସାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗ୍ରହଣ କରିବାକୁ ଟ୍ରମ୍ପ ଅଯୋଗ୍ୟ । ତେଣୁକରି ସେ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ନିର୍ବାଚନ ଲଢିପାରିବେ ନାହିଁ । ତେବେ ଆମେରିକୀୟ ସମ୍ବିଧାନର ଏହି ଧାରାରେ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବାରେ ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା ।

ଏହା ମଧ୍ୟ ପଢନ୍ତୁ : ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ, ମିଳିଲା ଜାମିନ

୨୦୨୧ ଜାନୁଆରୀ ୬ ଆମେରିକାର କ୍ୟାପିଟାଲ ହିଂସା ମାମଲାରେ କୋଲୋରାଡୋ କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି । କ୍ୟାପିଟାଲ ହିଂସାକୁ ଉସକାଇବା ଏବଂ ଟ୍ରମ୍ପ ସମର୍ଥକଙ୍କ ଭୂମିକାକୁ ଦୃଷ୍ଟିରେ ରଖି ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ତେବେ ଡୋନାଲ୍ଡ ଟ୍ରମ୍ପ କୋଲୋରାଡୋ କୋର୍ଟଙ୍କ ଏହି ରାୟକୁ ଆମେରିକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ।

କ'ଣ ଥିଲା ମାମଲା:

୨୦୨୦ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ପରାଜିତ ହୋଇଥିଲା । ନିର୍ବାଚନ ଫଳାଫଳ ପରେ ୨୦୨୧ରେ ବଡ ଧରଣର ହିଂସାକାଣ୍ଡ ଘଟିଥିଲା । ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିଯିବାରୁ ତାଙ୍କର ସମର୍ଥକମାନେ ୱାଶିଂଟନ ଡିସିର କ୍ୟାପିଟାଲ ହିଲ୍ ଘେରାଉ କରିଥିଲେ । ସେମାନେ କ୍ୟାପିଟାଲ ବିଲ୍ଡିଂରେ ଧସେଇ ପଶି ଆକ୍ରମଣ କରିଥିଲେ । ସେଠାରେ ଗୁଳିମାଡ, ବ୍ୟାପକ ଭଙ୍ଗାରୁଜା କରିବା ସହ ଅନେକ ଅଫିସ୍ କବଜା କରି ନେଇଥିଲେ । ଏହି ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ହିଂସାକୁ ନେଇ ୱାଶିଂଟନରେ ପବ୍ଲିକ ଏମର୍ଜେନ୍ସି ଘୋଷଣା କରାଯାଇଥିଲା । ଏହାପରେ କ୍ୟାପିଟାଲ ହିଂସା ଉସକାଇବା ମାମଲାରେ ତଦନ୍ତ କମିଟି ଟ୍ରମ୍ପଙ୍କୁ ଦାୟୀ କରିଥିଲା ।

Last Updated :Dec 20, 2023, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.