ETV Bharat / city

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, 4 ଘଣ୍ଟା ଦର୍ଶନ ବନ୍ଦ

author img

By

Published : Sep 7, 2022, 11:39 AM IST

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି
ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏନେଇ 4 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ପୁରୀ: ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି । ବାମନ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ସେପଟେ ଶ୍ରୀନଅରରେ ପାଳନ ହେବ ସୁନିଆଁ ଉତ୍ସବ । ଭାଦ୍ରବ-ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମଧ୍ୟାନ ଧୂପ ଉଠିବା ପରେ ପରେ ବାମନ ଜନ୍ମ ନୀତି ସମ୍ପାଦନ ହେବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ.୫.୦୦ ଟାରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାନସ ପକ୍ଷରୁ ସୂଚନା ମିଳିଛି ।

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି

ବାମନ ବେଶ ଧାରଣ କରନ୍ତି ମହାପ୍ରଭୁ

ସୁବର୍ଣ୍ଣ ନିର୍ମିତ ବାମନ ବିଗ୍ରହଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ, ନବବସ୍ତ୍ର, ଅଧିବାସ ହୋଇଥିବା ପବିତ୍ରା ଓ ଅଳଙ୍କାର ଆଦି ଲାଗି କରାଯାଏ । କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ । ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ । ପୌରାଣିକ କଥାକୁ ଯଦି ଦେଖିବା ତେବେ ଏହି ଦିନ ଭଗବାନ ବିଷ୍ଣୁ ନିଜର ୫ମ ଅବତାର ନେଇଥିଲେ । ଏହିଦିନ ବାମନ ରୂପରେ ଧରାପୃଷ୍ଠରେ ଅବତରଣ କରିଥିଲେ। ନୃସିଂହ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରି ଶ୍ରୀମନ୍ଦିରରେ ଏହି ବାମନ ଉତ୍ସବକୁ ପାଳନ କରାଯାଏ ।

ଏହିଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜା ଯାଇଥାଏ । ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରନ୍ତି । ତାଙ୍କ ସାଙ୍ଗରେ ସଜ୍ଜିତ ହୁଅନ୍ତି ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର । ଭାଇ ଭଉଣୀ ଯଥାକ୍ରମେ ରାଜବେଶ ଓ ସାଧାରଣ ବେଶରେ ଦର୍ଶନ ଦିଅନ୍ତି । ଏହିଦିନ ମହାପ୍ରଭୁଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡ଼ୁ ଧରି ଏକ ବାମନ ରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ସଜାଯାଇଥାଏ ।

ଏହା ବି ପଢନ୍ତୁ...ଦଶହରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ, ମେଢ଼ରେ ଲାଗିବ GPS

ଆଜି ସୁନିଆଁ ଉତ୍ସବ

ସେପଟେ ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ । ଆଜି ଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି 1430 ସାଲ 65 ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଆଜିଠାରୁ ଗଜପତି ମହାରାଜାଙ୍କର 65 ଅଙ୍କ ଆରମ୍ଭ ହେବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନୀତି ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ ।

ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ । ସୁନିଆଁ ହେଉଛି ଓଡ଼ିଶାର ରାଜକୀୟ ନବବର୍ଷ । କାରଣ, ଏହିଦିନ ଓଡ଼ିଶାର ରାଜାମାନଙ୍କର ରାଜତ୍ୱର ନୂଆ ବର୍ଷ ଗଣନା ହୋଇଥାଏ । ଏବେ ରାଜତନ୍ତ୍ର ନ ଥିଲେ ମଧ୍ୟ ରାଜ ପରିବାରମାନଙ୍କରେ ଏ ପର୍ବ ପାଳିତ ହୋଇଆସୁଛି । ବିଶେଷକରି ଏହିଦିନ ଓଡ଼ିଶାର ଗଜପତି ମହାରାଜାଙ୍କର ନୂତନ ଅଙ୍କ ପ୍ରଚଳନ ଏକ ଉତ୍ସବ ରୂପେ ପାଳିତ ହେଉଛି । ଏହିଦିନ ରାଜା ବା ଜମିଦାରମାନଙ୍କର ଅଭିଷେକ ହୋଇଥାଏ । ପୁରୀ ଶ୍ରୀନଅରରେ ମଧ୍ୟ ଗଜପତି ମହାରାଜାଙ୍କର ଅଭିଷେକ ହୁଏ । ପୂର୍ବେ ଏହିଦିନ ରାଜକର୍ମଚାରୀ ଓ ପ୍ରଜାମାନେ ରାଜାଙ୍କୁ ଧନ, ରତ୍ନ ଆଦି ନାନା ଉପହାର ଦେବାର ବିଧି ବା ପରମ୍ପରା ପ୍ରଚଳିତ ଥିଲା । ତାହା ‘ସୁନିଆଁ ଭେଟି’ ଭାବରେ କୁହାଯାଏ ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.