ETV Bharat / city

ଆସୁଛନ୍ତି ମା', ନୟାପଲ୍ଲୀ ଓ ସହିଦନଗର ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

author img

By

Published : Oct 2, 2022, 4:21 PM IST

ଆସୁଛନ୍ତି ମା',  ନୟାପଲ୍ଲୀ ଓ ସଦିଦନଗର ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ଆସୁଛନ୍ତି ମା', ନୟାପଲ୍ଲୀ ଓ ସଦିଦନଗର ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଦଶହରାକୁ ନେଇ ଚଳଚଞ୍ଚଳ ଭୁବନେଶ୍ବର । ଚଳିତ ବର୍ଷ ନୟାପଲ୍ଲୀ ପୂଜା ମଣ୍ଡପରେ ସଚେତନଧର୍ମୀ ତୋରଣ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଶହୀଦନଗର ପୂଜା ମଣ୍ଡପରେ ରାମମନ୍ଦିର ଆକୃତିର ତୋରଣ ପ୍ରଦର୍ଶିତ ହେବ । ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ

ଭୁୂବନେଶ୍ବର: ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳନ ହେବ ଦଶହରା । ପୁଣି ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମା' ଦୁର୍ଗା । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଆଉ ମା'ଙ୍କ ଧରାବତରଣକୁ ନେଇ ସବୁଠି ସାଜସଜା ସହ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀର ପ୍ରତିଟି ପୂଜା ମଣ୍ଡପରେ ଦୁର୍ଗା ପୂଜାକୁ ଧୁମ ଧାମରେ ପାଳନ କରିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି ।

ଆସୁଛନ୍ତି ମା', ନୟାପଲ୍ଲୀ ଓ ସଦିଦନଗର ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନୟାପଲ୍ଲୀ ପୂଜା ମଣ୍ଡପରେ ସଚେତନଧର୍ମୀ ତୋରଣ

ନୟାପଲ୍ଲୀ ପୂଜା ମଣ୍ଡପରେ ଦୁର୍ଗା ପୂଜାକୁ ନେଇ ମୂର୍ତ୍ତି ତିଆରି ଓ ତୋରଣ ପ୍ରସ୍ତୁତିରେ ଦିନରାତି ଏକ କରି ଦେଇଛନ୍ତି କାରିଗର । ଚଳିତ ବର୍ଷ ମଧ୍ୟ ଏଠାରେ ନିଆରା ପରିକଳ୍ପନାର ତୋରଣ ଝଲସିବ। ୩୫ ବର୍ଷରେ ପଦାର୍ପଣ କରିଥିବା ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପରେ ନିଆରା ଶୈଳୀରେ ପୂଜା କରିବାକୁ ଯାଉଛି କମିଟି। କାରଣ ଏଥର ମଣ୍ଡପରେ ଶୋଭାପାଇବ ସଚେତନଧର୍ମୀ ତୋରଣ। ଯାହାର ଥିମ ରହିଛି ସଭ୍ୟତାର ଆଲୋକରେ ମା'ର ଋଣ ଅର୍ଥାତ ନିରାଶ୍ରିତ ମା’ ବାପାଙ୍କ ଦୁଃଖଭରା କାହାଣୀକୁ ନେଇ ସଚେତନଧର୍ମୀ ତୋରଣ । ତୋରଣରେ ପ୍ରଦର୍ଶିତ ହେବ ଜରାଶ୍ରମରେ ଗୁମୁରି କାନ୍ଦୁଥିବା ବୃଦ୍ଧ ବାପାମା’ଙ୍କ ଚଳଣି। ଯୁବପିଢ଼ିକୁ ତଥା ସ୍ବାର୍ଥପର ସମାଜକୁ ଚେତାଇ ଦେବା ଉଦ୍ଦେଶ୍ୟରେ ଏଥର ଏହି ପୂଜା କମିଟି ମା’ ଜଗତଜନନୀଙ୍କୁ ‘ବୃଦ୍ଧାଶ୍ରମ’ରେ ଉପବେଶନ କରୁଛି । ତୋରଣ ତିଆରି ପାଇଁ ୩୦ରୁ ୪୦ ଜଣ ବଙ୍ଗୀୟ କାରିଗର ନିୟୋଜିତ ହୋଇଛନ୍ତି। ପୂଜା ବାବଦକୁ ୨୫ ଲକ୍ଷ ଟଙ୍କାର ବ୍ୟୟ ବଜେଟ ପ୍ରସ୍ତୁତ ହୋଇଛି। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୭ରୁ ୧୮ ଫୁଟ୍‌ ଏବଂ ମେଢ଼ର ଉଚ୍ଚତା ୨୦ରୁ ୨୧ ଫୁଟ ହେବ।

ସୁରକ୍ଷା ବ୍ୟବସ୍ଥା

ଷଷ୍ଠି ଠାରୁ ଭସାଣି ଯାଏଁ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ଷଷ୍ଠୀରେ ଭଜନ ସମାରୋହ, ସପ୍ତମୀରେ ମେଲୋଡି କାର୍ଯ୍ୟକ୍ରମ, ଅଷ୍ଟମୀରେ ଭଜନ ଓ ନବମୀରେ ମଧ୍ୟ ବଡ଼ ଧରଣର ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜାର ମୁଖ୍ୟ ଆକର୍ଷଣ ହେବ ଦଶମୀ ଦିନର ‘ରାବଣପୋଡ଼ି ଉତ୍ସବ’। କଟକଣା ଅନୁଯାୟୀ ଚଳିତ ବର୍ଷ ବାଣ ଫୁଟାଇବାକୁ ଅନୁମତି ନଥିବାରୁ ସେ ସବୁକୁ ବାଦ୍ ଦେଇ ବିଧି ମୁତାବକ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଜାତୀୟ ରାଜପଥରେ ଏହି ପୂଜା ମଣ୍ଡପ ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୦ ମହିଳା ଯୁବକ ଓ କିନ୍ନର ସ୍ବେଚ୍ଛାସେବୀମାନଙ୍କୁ ଏଠାରେ ନିୟୋଜିତ କରାଯିବ । ଭିଡକୁ ନଜରରେ ରଖି ଭକ୍ତଙ୍କ ସୁରକ୍ଷା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କମିଟି ସଦସ୍ୟ ଚିତ୍ରସେନ ବେହେରା ।

ଏହା ମଧ୍ୟ ପଢନ୍ତୁ-ଚଳଚଞ୍ଚଳ ମା’ ବୁଢୀ ଠାକୁରାଣୀ ପୀଠ, ଚାଲିଛି ନବରାତ୍ରୀ ପୂଜା

ମୁଖ୍ୟ ଆକର୍ଷଣ ମୂର୍ତ୍ତି ମେଲଣ

ଅନ୍ୟପଟେ ମୂର୍ତ୍ତି ମେଲଣ ପୂଜାର ମୁଖ୍ୟ ଆକର୍ଷଣ ପାଲଟିବ। ଭସାଣି ଦିନ ଏହି ମଣ୍ଡପକୁ ୨୦ଟି ପୂଜା ମଣ୍ଡପର ମେଢ଼ ଆସିବ ଓ ଏଠାରେ ଦେବୀଙ୍କ ମେଲଣ ହେବ। ଏତେ ସଂଖ୍ୟାରେ ମେଢ଼ ଓ ଦେବୀ ମୂର୍ତ୍ତି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମେଢ଼ଗୁଡ଼ିକ ଏହି ମଣ୍ଡପରୁ ବାହାରି ଇସ୍କନ, ସିଆରପି ଛକ, ଡିଏଭି ଛକ ଦେଇ ଗଙ୍ଗନଗର ଯାଏ ଯିବେ।

ଶହୀଦନଗର ପୂଜା ମଣ୍ଡପରେ ରାମମନ୍ଦିର ଆକୃତିର ତୋରଣ
ଅନ୍ୟପଟେ ଦଶହରାକୁ ନେଇ ଚଳଚଞ୍ଚଳ ଶହୀଦନଗର ପୂଜା ମଣ୍ଡପ । ମା'ଙ୍କ ଆଗମନକୁ ନେଇ କିଛି ନିଆରା କରିବାର ଲକ୍ଷ୍ୟ ରଖିଛି ପୂଜା କମିଟି। ଏଠାରେ ମା'ଙ୍କ ମୂର୍ତ୍ତି ପ୍ରସ୍ତୁତି ଶେଷ ପର୍ଯ୍ୟରେ ପହଞ୍ଚିଥିବା ବେଳେ ତାରକସି ରୂପା ମେଢ଼, ସୁନା ମୁକୁଟରେ ଝଲସିବେ ମା' । ପୂଜାକୁ ଟିକେ ଆକର୍ଷଣୀୟ କରିବା ପାଇଁ ଏଥର ରାମମନ୍ଦିର ଆକୃତିର ଏକ ସୁନ୍ଦର ତୋରଣ ଏଠାରେ ଶୋଭାପାଇବ । ଯାହାର ଉଚ୍ଚତା ୫୦ ଫୁଟ ହୋଇଥିବା ବେଳେ ଚଉଡା ୧୧୦ ଫୁଟ ରହିଛି ।

ସୁରକ୍ଷା ବ୍ୟବସ୍ଥା

ପୂଜାକୁ ଆକର୍ଷଣୀୟ କରାଯିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଜନପଥରେ ଏହି ପୂଜା ମଣ୍ଡପଟି ରହିଥିବା ବେଳେ ୧୦୦ ସ୍ବେଚ୍ଛାସେବୀ ଭିଡକୁ ନିୟନ୍ତ୍ରଣ କରିବେ । ଏହାସହ ଏଠାରେ ୨୫ ମେଢ଼ର ସମାଗମକୁ ନେଇ ଭସାଣି ଉସବ ପାଳନ ହେବ । ହେଲେ ପ୍ରଥମେ ଏହି ପୂଜା ମଣ୍ଡପରେ ରାବଣ ପୋଡ଼ କରାଯାଉଥିବା ବେଳେ ଚଳିତ ବର୍ଷ ପଡିଆ ସଂକୁଚିତ ହୋଇଥିବାରୁ ରାବଣ ପୋଡି ହେବ ନାହିଁ ବୋଲି କହିଛନ୍ତି ପୂଜା ମଣ୍ଡପର ସମ୍ପାଦକ । ଅନ୍ୟପଟେ ସବୁ ବର୍ଷ ପରି ଏଥର ମୁଖ୍ୟ ଆକର୍ଷଣ ରହିବ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧନା । ଏଥର ରାଜ୍ୟର ୪ଜଣ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ଶହୀଦନଗର ଓ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ରାଜଧାନୀର ଦୁଇଟି ପ୍ରମୁଖ ପୂଜା ମଣ୍ଡପ ହୋଇଥିବା ବେଳେ ଏଠାରେ ଭକ୍ତଙ୍କ ଭିଡ ଲାଗିବ । ଆଉ ଏହାକୁ ନଜରରେ ରଖି ଉଭୟ ପୂଜା ମଣ୍ଡପ ନିଆରା ଢଙ୍ଗରେ ପୂଜା କରୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିନା କଟକଣାରେ ମା'ଙ୍କୁ ଦର୍ଶନ କରିବାକୁ ଏବେ ଅପେକ୍ଷାରେ ଭକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.