ETV Bharat / bharat

ରାଜଭବନ ସାମ୍ନାରେ ପ୍ରସବ କଲେ ମହିଳା, ଆମ୍ବୁଲାନ୍ସ ନଆସିବାରୁ ନବଜାତ ଶିଶୁର ମୃତ୍ୟୁ

author img

By

Published : Aug 13, 2023, 8:22 PM IST

ରାଜଭବନ ସାମ୍ନାରେ ପ୍ରସବ କଲେ ମହିଳା, ଆମ୍ବୁଲାନ୍ସ ନଆସିବାରୁ ନବଜାତ ଶିଶୁ ମୃତ
ରାଜଭବନ ସାମ୍ନାରେ ପ୍ରସବ କଲେ ମହିଳା, ଆମ୍ବୁଲାନ୍ସ ନଆସିବାରୁ ନବଜାତ ଶିଶୁ ମୃତ

ଉତ୍ତର ପ୍ରଦେଶରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ମିଳିଲାନି ଆମ୍ବୁଲାନ୍ସ, ରିକ୍ସାରେ ହସ୍ପିଟାଲ ନେବା ବେଳେ ରାଜଭବନ ସମ୍ମୁଖରେ ପ୍ରସବ କଲେ ମହିଳା । ନବଜାତ ଶିଶୁ ମୃତ । ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଆମ୍ବୁଲାନ୍ସ ନମିଳିବାରୁ ରିକ୍ସାରେ ପ୍ରସୂତୀଙ୍କୁ ନିଆଯାଉଥିଲା ହସ୍ପିଟାଲ । ହେଲେ ରାଜଭବନ ସମ୍ମୁଖରେ ପ୍ରସବ କଲେ ପ୍ରସୂତୀ । ମାତ୍ର ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଆଖି ବୁଜିଲା ନଜଜାତ ଶିଶୁ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏପରି ଏକ ବିକଳ ଚିତ୍ର ଲକ୍ଷ୍ନୌରେ ଦେଖିବାକୁ ମିଳିଛି । ଏବେ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ଯ ବିଭାଗ ଆରମ୍ଭ କରିଛି ତଦନ୍ତ ।

ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ମଧ୍ୟାହ୍ନ ସମୟରେ ଲକ୍ଷ୍ନୌର ମଲ୍ ଆଭିନ୍ୟୁ ଏରିଆରେ ରହୁଥିବା ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକେ ସମ୍ପୃକ୍ତ ଗର୍ଭବତୀଙ୍କୁ ରିକ୍ସାରେ ହସ୍ପିଟାଲ ନେଉଥିଲେ । ଏହି ସମୟରେ ରାଜଭବନର 15 ନମ୍ବର ଗେଟ୍ ସାମ୍ନାରେ ପ୍ରସୂତୀଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିଛି ସ୍ଥାନୀୟ ମହିଳା ସହଯୋଗ କରି ମହିଳାଙ୍କ ସଫଳ ପ୍ରସବ ମଧ୍ୟ କରାଇଥିଲେ ।

ଏହା ପରେ ତୁରନ୍ତ ଉଭୟ ମା‘ ଓ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ସଠିକ ସମୟରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିନଥିଲା । ପ୍ରାୟ ଏକ ଘଣ୍ଟା ଧରି ପ୍ରସୂତୀ ଓ ନବଜାତକୁ ଏକ ମହିଳାମାନେ ଜଗି ରହି ଆମ୍ବୁଲାନ୍ସକୁ ଅପେକ୍ଷା କରି ରହିଥିଲେ । ଘଣ୍ଟାଏ ପରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉଭୟଙ୍କୁ ଜାଲକରୀ ବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ନବଜାତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ରାଜ୍ୟ ରାଜଧାନୀରେ ସ୍ବାସ୍ଥ୍ୟସେବାର ଅବହେଳିତ ଚିତ୍ର ପଦାରେ ପଡିଛି । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ କାରଣରୁ ଓ କାହାର ଦାୟିତ୍ବରେ ଅବହେଳା ପ୍ରଦର୍ଶନ ପାଇଁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି ସେନେଇ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ :-୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା: ଶିଶୁ ଉଦ୍ଧାର, ମିଳୁନି ବାପାଙ୍କ ପତ୍ତା


ଅନ୍ଯପଟେ ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି, ଜନ୍ମ ସମୟରେ ଶିଶୁଟି ସୁସ୍ଥ ଥିଲା । ହେଲେ ତୁରନ୍ତ ତାକୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକ ଥିଲା । ସେମାନେ ଏକାଧିକ ଥର ଆମ୍ବୁଲାନ୍ସକୁ ଫୋନ୍‌ କରିବା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଶିଶୁଟିର ମୃତ୍ୟୁ ହୋଇଛି । ତେବେ ଏହା କୌଣସି ଦୁର୍ଗମ କିମ୍ବା ଉପାନ୍ତ ଅଞ୍ଚଳ ନୁହେଁ ବରଂ ରାଜଭବନ ପରି ହାଇ-ସିକ୍ଯୁରିଟି ଜୋନ୍‌ରେ ଆମ୍ବୁଲାନ୍ସ ନପହଞ୍ଚି ପାରିବା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି । ବିରୋଧୀମାନେ ଯୋଗୀ ସରକାର ସ୍ବାସ୍ଥ୍ୟ ସେବାକୁ ନେଇ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.