ETV Bharat / bharat

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୧୪୪ ଧାରା ଲାଗୁ

author img

By

Published : May 14, 2023, 12:16 PM IST

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଗୋଷ୍ଠୀ ସଂଘର୍ଷ
ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଗୋଷ୍ଠୀ ସଂଘର୍ଷ

ଆପତ୍ତିଜନକ ଇନଷ୍ଟାଗ୍ରାମ ପୋଷ୍ଟକୁ ମହାରାଷ୍ଟ୍ର ଅକୋଲାରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ଜଣେ ମୃତ ଓ ଦୁଇ ପୋଲିସ କର୍ମୀଙ୍କ ସମେତ ୮ ଆହତ । ଅଧିକ ପଢନ୍ତୁ

ମୁମ୍ବାଇ: ଆପତ୍ତିଜନକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ ଓ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ଜଣକର ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ପୋଲିସ କର୍ମୀଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ଗତକାଲି (ଶନିବାର) ରାତିରେ ମହାରାଷ୍ଟ୍ର ଅକୋଲା ଅନ୍ତର୍ଗତ ସିଟି ପୋଲିସ ଷ୍ଟେସନ ନିକଟରେ ଏହି ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ଧାରଣ କରିବା ପରେ ପୋଲିସ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରିଛି ।

ସଂଘର୍ଷର ସମୟର ଅନେକ ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ଉତ୍ୟକ୍ତ ଲୋକେ ଭଙ୍ଗାରୁଜା ଓ ପୋଡାଜଳା କରୁଥିବା ଦେଖାଯାଉଛି । ଅକୋଲା ଏସପି କହିବା ଅନୁସାରେ ସାମାନ୍ୟ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ପରସ୍ପର ଉପରେ ପଥରମାଡ କରିବା ସହ ପୋଡାଜଳା ଓ ଗାଡିମୋଟର ଭଙ୍ଗାରୁଜା କରିଛନ୍ତି । ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ଧାର୍ମିକ ଭାବନକୁ ଆଘାତ ଦେବା ଅଭିଯୋଗରେ ଏପରି ତୁମୁଳକାଣ୍ଡ ଘଟିଥିବା ଜଣାପଡିଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଗୋଟିଏ ଗୋଷ୍ଠୀ ଜଣେ ଧାର୍ମିକ ନେତାଙ୍କ ସମ୍ପର୍କରେ ଇନଷ୍ଟାଗ୍ରାମରେ ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏହାକୁ ନେଇ ଗତ ରାତିରେ କିଛି ଲୋକେ ଅକୋଲା ସ୍ଥିତ ସିଟି ପୋଲିସ ନିକଟରେ ରୁଣ୍ଡ ହୋଇଥିଲେ । ଏତିକି ବେଳେ ଅନ୍ୟ ସମ୍ପ୍ରଦାୟର ଲୋକେ ସେଠାରେ ପହଞ୍ଚିବା ପରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ପରସ୍ପର ଉପରେ ପଥରମାଡ କରିବା ପରେ ଭୀଷଣ ସଂଘର୍ଷ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Cyclone Mocha: ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁପାରେ ମୋକା, ୨୧୦ କିମି ରହିବ ପବନ ବେଗ

ଗଙ୍ଗାଧର ଛକ, ପୋଲା ଛକ ଏବଂ ହରିହରପେଠ ଅଞ୍ଚଳରେ ହିଂସା ଘଟିଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଅକୋଲା ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇ ୧୪୪ ଧାରା ଜାରି କରାଯାଇଛି । ଏନେଇ ଅକୋଲା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ହିଂସା ଘଟଣାରେ ପୋଲିସ ମାମଲା ରୁଜୁ କରି ଏବେସୁଦ୍ଧା ୨୬ ଜଣଙ୍କୁ ଗିରଫ କରିଛି । ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ଦୁଇ ପୋଲିସ କର୍ମୀଙ୍କ ସମେତ ୮ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.