ETV Bharat / bharat

ୟୁପି ବିଧାନସଭାରେ ବସିଲା କୋର୍ଟ, ଦିନକ ପାଇଁ ଜେଲ୍ ଗଲେ ୬ ଜଣ ପୋଲିସ୍

author img

By

Published : Mar 4, 2023, 10:02 AM IST

କୋର୍ଟରେ ପରିଣତ ହେଲା ୟୁପି ବିଧାନସଭା
କୋର୍ଟରେ ପରିଣତ ହେଲା ୟୁପି ବିଧାନସଭା

୫୮ ବର୍ଷ ପରେ ଉତ୍ତରପ୍ରଦେଶ ବିଧାନସଭାରେ ବସିଲା କୋର୍ଟ । ଦିନକ ପାଇଁ ଜେଲ୍ ଗଲେ ୬ ଜଣ ପୋଲିସ୍ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ବସିଲା କୋର୍ଟ । ସ୍ବାଧିକାର ଭଙ୍ଗ ମାମଲାର ଶୁଣାଣି ହୋଇ ଦଣ୍ଡିତ ହେଲେ ୬ ଜଣ ପୋଲିସ କର୍ମୀ । ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ କୁମାର ଖନ୍ନା ଦିନକ ପାଇଁ ପୋଲିସ କର୍ମୀଙ୍କୁ କାରାଦଣ୍ଡରେ ଦଣ୍ଡିତ କଲେ । ଶୁକ୍ରବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ମନ୍ତ୍ରୀ ସୁରେଶ ଖନ୍ନାଙ୍କ ପ୍ରସ୍ତାବରେ ୫୮ ବର୍ଷ ପରେ ବିଧାନସଭା ଗୃହ କୋର୍ଟ ଭଳି କାର୍ଯ୍ୟ କରିଛି । ବିଧାନସଭା କୋର୍ଟରେ ୧୯ ବର୍ଷ ତଳର ସ୍ବାଧିକାର ଭଙ୍ଗ ମାମଲାର ଶୁଣାଣି କରାଯାଇ ୬ ଜଣ ପୋଲିସ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦିନକ ପାଇଁ ଜେଲ୍ ପଠାଯାଇଛି ।

ଦୋଷୀମାନଙ୍କୁ ଶୁକ୍ରବାର ରାତି ୧୨ଟା ଯାଏଁ ବିଧାନସଭା ପରିସରରେ ତିଆରି ଏକ ସ୍ବତନ୍ତ୍ର ଲକ୍ ଅପ୍ ଭିତରେ ରହିବାକୁ ପଡିଛି । ଏଥିପାଇଁ ଲକ୍ ଅପ୍‌ରେ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦଣ୍ଡିତ ହୋଇଥିବା ପୋଲିସ କର୍ମୀମାନେ ହେଲେ ବାବୁପୂରବାର ତତ୍କାଳୀନ ଥାନାଧିକାରୀ ଅବଦୁଲ ସମଦ, ତତ୍କାଳୀନ ଥାନାଧ୍ୟକ୍ଷ ରିଷିକାନ୍ତ ଶୁକ୍ଳା, ତତ୍କାଳୀନ ଏସଆଇ ତ୍ରିଲୋକ ସିଂହ, ତତ୍କାଳୀନ କନେଷ୍ଟବଳ ଛୋଟେ ସିଂହ ଯାଦବ, ବିନୋଦ ମିଶ୍ର ଓ ମେହରବାନ ସିଂହ ଯାଦବ ।

ଘଟଣା କ'ଣ ଥିଲା: ୨୦୦୪ ମସିହାରେ ତତ୍କାଳୀନ ବିଜେପି ବିଧାୟକ ସଲିଲ୍ ବିଷ୍ଣୋଇଙ୍କୁ ଏହି ପୋଲିସ କର୍ମୀମାନେ ଦୁର୍ବ୍ୟବହାର କରିଥିଲେ । କାନପୁରରେ ବିଜୁଳି କାଟ ନେଇ ତତ୍କାଳୀନ ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ । ସେଠାରେ ସମ୍ପୃକ୍ତ ପୋଲିସ କର୍ମୀମାନେ ତାଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଦୁଇ ଦଶନ୍ଧି ତଳର ଏହି ମାମଲାରେ ସଲିଲ୍ ବିଷ୍ଣୋଇ ପୋଲିସ କର୍ମୀମାନଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ । ଯେଉଁଥିପାଇଁ ଗତକାଲି ବିଧାନସଭାରେ କୋର୍ଟ ବସାଯାଇ ସମ୍ପୃକ୍ତ ପୋଲିସ କର୍ମୀମାନଙ୍କୁ ଦିନକ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖନ୍ନା କହିଛନ୍ତି, ସବୁ ଜନପ୍ରତିନିଧିମାନଙ୍କୁ ସମ୍ମାନ ଦିଆଯିବା ଉଚିତ୍ । କୌଣସି ଜନପ୍ରତିନିଧିଙ୍କ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିବା ଅଫିସରମାନଙ୍କ ଅଧିକାର ନୁହେଁ । ତେଣୁ ୨୦୦୪ ମସିହାର ସ୍ବାଧିକାର ଭଙ୍ଗ ମାମଲାରେ ଅଭିଯୁକ୍ତ ଥିବା ୬ ଜଣ ପୋଲିସ କର୍ମୀଙ୍କୁ ଦିନିକିଆ ସଜ୍ଜା ଦିଆଯିବା ପାଇଁ ସେ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ସମ୍ପୃକ୍ତ ପୋଲିସ୍ କର୍ମୀମାନଙ୍କୁ ଦିନକ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ବିରୋଧି ଦଳ ସଦସ୍ୟମାନେ ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିଲେ । କଂଗ୍ରେସ ବିଧାୟିକା ଅନୁରାଧା ମିଶ୍ର ମଧ୍ୟ ମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରି ଦଣ୍ଡବିଧାନ ଉପରେ ସହମତି ପ୍ରକାଶ କରିଥିଲେ । ସେହିପରି ବିଏସପି ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ । ଏନେଇ ପୀଡିତ ବିଜେପି ବିଧାୟକ ସଲିଲ୍ ବିଷ୍ଣୋଇ କହିଛନ୍ତି, ୧୯ ବର୍ଷ ପୁରୁଣା ମାମଲାରେ ପୋଲିସ କର୍ମୀମାନଙ୍କୁ ସଜ୍ଜା ହୋଇଛି । ଏହାଦ୍ବାରା ସମାଜରେ ଜନପ୍ରତିନିଧିମାନଙ୍କୁ ସମ୍ମାନ ଦିଆଯିବା ନେଇ ଏକ ବାର୍ତ୍ତା ଦିଆଯାଇଛି । ତେବେ ଦୋଷୀ ସାବ୍ୟସ୍ତ ପୋଲିସ ଅଧିକାରୀମାନେ ହାତଯୋଡି ନିଜ ଭୁଲ୍ ପାଇଁ କ୍ଷମାପ୍ରାର୍ଥନା କରିଥିଲେ ।

କହିରଖୁଛୁ କି, ୫୮ ବର୍ଷ ପରେ ଉତ୍ତରପ୍ରଦେଶ ବିଧାନସଭାରେ କୋର୍ଟ ବସିଛି । ଏହାପୂର୍ବରୁ ୧୯୬୪ ମସିହାରେ ଅନ୍ୟ ଏକ ମାମଲାର ବିଚାର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.