ETV Bharat / bharat

ସୋମବାର ନୁହରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା: ୧୪୪ ଧାରା ଜାରି, ଇଣ୍ଟରନେଟ୍ ସେବା ବନ୍ଦ

author img

By ETV Bharat Odisha Team

Published : Aug 27, 2023, 11:05 AM IST

ଆସନ୍ତାକାଲି(ସୋମବାର) ନୁହରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା । ସାରା ଜିଲ୍ଲାରେ ୧୪୪ ଧାରା ଜାରି । ଇଣ୍ଟରନେଟ ସେବା ବନ୍ଦ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ନୁହରେ ୧୪୪ ଧାରା ଜାରି
ନୁହରେ ୧୪୪ ଧାରା ଜାରି

ଚଣ୍ଡିଗଡ: ହରିୟାଣାର ନୁହ ଜିଲ୍ଲାରେ ପୁଣିଥରେ ୧୪୪ ଧାରା ଜାରି ହୋଇଛି । ଆସନ୍ତାକାଲି (ସୋମବାର) ହିନ୍ଦୁ ସଂଗଠନ ପକ୍ଷରୁ ନୁହରେ ବ୍ରଜ ମଣ୍ଡଳ ଶୋଭାଯାତ୍ରା ଆୟୋଜିତ କରିବାକୁ ଘୋଷଣା କରାଯିବା ପରେ ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ କଡା କଟକଣା ଲାଗୁ କରିଛି । ଶନିବାର ଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ନୁହରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ୧୪୪ ଧାରା ଲାଗୁ ସହ ସମସ୍ତ ସ୍କୁଲ, କଲେଜ ଓ ବ୍ୟାଙ୍କ ବନ୍ଦ ରଖାଯାଇଛି ।

ଅଗଷ୍ଟ ୨୮ ଅର୍ଥାତ୍ ଆସନ୍ତାକାଲି ନୁହରେ ପୁଣ ବ୍ରଜ ମଣ୍ଡଳ ଶୋଭାଯାତ୍ରା ବାହାର କରିବାକୁ ସର୍ବଜାତି ହିନ୍ଦୁ ମହାପଞ୍ଚାୟତ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଧୀରେନ୍ଦ୍ର ଖରଗାଟା ଅଧିକାରୀଙ୍କମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରି ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରସେବା ବନ୍ଦ କରିଛନ୍ତି । ଜିଲ୍ଲା ଡେପୁଟି କମିଶନର ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ଯେ, ଏହି ସମୟ ମଧ୍ୟରେ କେହି ଖଣ୍ଡା, ଲାଠି, ବର୍ଚ୍ଛା, କୁରାଢୀ, ଛୁରୀ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର(ଶିଖମାନଙ୍କ ଧାର୍ମିକ ପ୍ରତୀକ ବ୍ୟତୀତ) ନିଜ ପାଖରେ ରଖିପାରିବେ ନାହିଁ । ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିର୍ଦ୍ଦେଶ ସଶସ୍ତ୍ର ବାହିନୀ, ସାମରିକ ବାହିନୀ ଓ ପୋଲିସ ଉପରେ ଲାଗୁ ହେବ ନାହିଁ ।

ଏହାମଧ୍ୟ ପଢନ୍ତୁ: ନୁହ ହିଂସା ପଛରେ ବଡ଼ ଷଡ଼ଯନ୍ତ୍ର ! ଫେଲ୍ ମାରିଲା କି ଗୁଇନ୍ଦା ବିଭାଗ ?

ସମଗ୍ର ନୁହ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଉଛି । ଏହି ଆଦେଶ ଗୁଡିକର ସଠିକ୍ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଏହାବ୍ୟତୀତ ଜିଲ୍ଲା ବିକାଶ ଓ ପଞ୍ଚାୟତ ଅଧିକାରୀ, ତହସିଲଦାର, ସବ-ତହସିଲଦାର, ବିଡିଓ, ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନ ସୁରକ୍ଷା ବାହିନୀ ସହ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି ।

ଏହାପୂର୍ବରୁ ଜୁଲାଇ ୩୧ରେ ବ୍ରଜ ମଣ୍ଡଳ ଯାତ୍ରା ବେଳେ ନୁହରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ହିଂସାରେ ୫୦ରୁ ଅଧିକ ଗାଡି ମୋଟର ଜଳି ଯାଇଥିବା ବେଳେ ୨ ହୋମଗାର୍ଡ ଯବାନଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ହିଂସା କ୍ରମଶଃ ଆଖପାଖ ଜିଲ୍ଲାକୁ ବ୍ୟାପିବାରୁ ସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଏଥର ଯେଭଳି ସେମିତି ହିଂସାଜନକ ସ୍ଥିତି ସୃଷ୍ଟି ନହୁଏ ସେନେଇ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.