ETV Bharat / bharat

ନୁହ ହିଂସା ପଛରେ ବଡ଼ ଷଡ଼ଯନ୍ତ୍ର ! ଫେଲ୍ ମାରିଲା କି ଗୁଇନ୍ଦା ବିଭାଗ ?

author img

By

Published : Aug 3, 2023, 3:07 PM IST

ନୁହରେ ହିଂସା ପରେ ଅନେକ ଚକିତ କଲାଭଳି ଖବର ସାମ୍ନାକୁ ଆସୁଛି । ତେବେ କିଏ ଏହି ହିଂସା ପାଇଁ ଦାୟୀ ? ଫେଲ୍ ମାରିଲା କି ଗୁଇନ୍ଦା ବିଭାଗ ନା ସୁରକ୍ଷାରେ ତ୍ରୁଟି ପାଇଁ ଏତେ ବଡ ଘଟଣା ଘଟିଗଲା । ଅଧିକ ପଢନ୍ତୁ

ନୁହ ହିଂସା ପଛରେ ବଡ ଷଡଯନ୍ତ୍ର
ନୁହ ହିଂସା ପଛରେ ବଡ ଷଡଯନ୍ତ୍ର

ଚଣ୍ଡିଗଡ: ନୁହ ହିଂସା ପାଇଁ କିଏ ଦାୟୀ ତାହାର ଯାଞ୍ଚ ସରକାର କରୁଛନ୍ତି, କିନ୍ତୁ ଯେଉଁଭଳି ଭାବେ ଏତେବଡ଼ ଘଟଣାକ୍ରମ ହେଲା, ତାହା ସରକାରଙ୍କ ପ୍ରସ୍ତୁତି ଉପରେ ମଧ୍ୟ ବଡ଼ ପ୍ରଶ୍ନ ଛିଡା କରୁଛି । ପ୍ରଶ୍ନ ହେଲା, କ'ଣ ବ୍ରଜମଣ୍ଡଳ ଶୋଭାଯାତ୍ରାରେ ସୁରକ୍ଷା ନେଇ ପୋଲିସ ପ୍ରଶାସନର ପ୍ରସ୍ତୁତିରେ ତ୍ରୁଟି ଥିଲା, ନା ଗୁଇନ୍ଦା ବିଭାଗ ଫେଲ୍ ମାରିଥିଲା ? ନୁହ ହିଂସାରେ ଶହଶହ ସଂଖ୍ୟକ ଗାଡ଼ିମୋଟର ଜଳିଗଲା, ୬ଟି ପରିବାରରେ ଦୁଃଖର ଛାୟା ଖେଳିଗଲା, ଗୁଳିମାଡ଼, ପୋଡ଼ାଜଳା ହେଲା । କିନ୍ତୁ ଉପଦ୍ରବୀଙ୍କ ଆଗରେ ପୋଲିସ ପୁରା ହାତ ଟେକି ଦେଲା । ତେବେ କେମିତି ଏତେସବୁ କାଣ୍ଡ ଅତି ସହଜରେ ହୋଇଗଲା ? ପୁରା ଘଟଣାକୁ ଦେଖିଲେ ଏହି ହିଂସା ପାଇଁ ପୂର୍ବରୁ ବଡ଼ ଚକ୍ରାନ୍ତ କରାଯାଇଥିବାର ଜଳଜଳ ଦିଶୁଛି । ହେଲେ ପୋଲିସକୁ କେମିତି ଏ ବାବଦରେ ଟିକିଏ ବି ସୁରାଗ୍‌ ମିଳିଲାନି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ହିଂସା ଦିନ ଛୁଟିରେ ଥିଲେ ନୁହ ଏସ୍‌ପି: ଏହି ଘଟଣାରେ ସବୁଠୁ ବଡ଼ କଥା ହେଲା ହିଂସା ଦିନ ଜିଲ୍ଲା ଏସ୍‌ପି ଛୁଟିରେ ଥିଲେ । ତାଙ୍କର ଅନୁପସ୍ଥିତିରେ ପାଲୱଲ ଏସ୍‌ପିଙ୍କୁ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଯାହା ସୂଚନା ହସ୍ତଗତ ହୋଇଛି ହିଂସା ସମୟରେ ସେ ମଧ୍ୟ ଉପସ୍ଥିତ ନଥିଲେ । ଏସପିଙ୍କ ଛୁଟି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି, "୧୦-୧୨ ଦିନ ପୂର୍ବରୁ ଏସ୍‌ପି ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ପାଇଁ ଛୁଟିରେ ଯାଇଥିଲେ । ସେ ସମୟରେ ହିଂସାର କୌଣସି ଆଶଙ୍କା ନଥିଲା । ଯେତେବେଳ ସମ୍ଭାବନା ନଜର ଆସିଲା ଜିଲ୍ଲାର ଡେପୁଟି କମିଶନର ଦୁଇ ପକ୍ଷଙ୍କ ସହ ବୈଠକ କରିଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଆଶ୍ବାସନା ଦିଆଯାଇଥିଲା । ହେଲେ ହଠାତ୍ ସବୁ କିଛି ଘଟିଗଲା ।"

ଶୋଭାଯାତ୍ରା ଦାୟିତ୍ବରେ ଥିଲେ ୯୦୦ ପୋଲିସ କର୍ମୀ: ଏହାମଧ୍ୟ ଶୁଣିବାକୁ ମିଳୁଛି ଯେ, ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ଶୋଭାଯାତ୍ରା ପାଇଁ ୯୦୦ ପୋଲିସ କର୍ମୀଙ୍କ କାନ୍ଧରେ ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା । ହେଲେ ଯେଉଁଭଳି ଭାବେ ଉପଦ୍ରବୀମାନେ ତାଣ୍ଡବ ରଚିଲେ ତାହାକୁ ଦେଖିଲେ ଲାଗୁଛି କି ସେମାନଙ୍କ ମଧ୍ୟରେ ପୋଲିସର ତିଳେ ମାତ୍ର ଭୟ ନଥିଲା । ସେହିପରି ଶୋଭାଯାତ୍ରାରେ ସାମିଲ ଲୋକମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ । ପୋଲିସ ପକ୍ଷରୁ ଉପଯୁକ୍ତ ପ୍ରସ୍ତୁତି କରାଯାଇ ନଥିଲା କହିଥିଲେ । ଯେଉଁ କାରଣରୁ ଉପଦ୍ରବୀମାନେ ୩ ପଟୁ ଘେରିଯାଇ ଆକ୍ରମଣ କରିଥିଲେ । ଏତେ ବଡ଼ ଷଡ଼ଯନ୍ତ୍ର ବିଷୟରେ ପୋଲିସ ପାଖରେ କିଛି ସୂଚନା ନଥିବା କଥା ହରିୟାଣା ଶିକ୍ଷାମନ୍ତ୍ରୀ ବି ସ୍ବୀକାର କରିଛନ୍ତି ।

ହିଂସା ପାଇଁ ଦାୟୀ କିଏ: ହିନ୍ଦୁବାଦୀ ନେତା ମୋନୁ ମାନେସରର ଶୋଭାଯାତ୍ରାରେ ସାମିଲ ହେବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଥିଲା । ଏହି କାରଣରୁ ସେଠାରେ ହିଂସା ଘଟିଲା ବୋଲି ଦାବି ହେଉଛି । ଅର୍ଥାତ୍ ଏଥିପାଇଁ ମୋନୁ ମାନେସରକୁ ଦାୟୀ କରାଯାଉଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, "ମୋନୁ ବିରୋଧରେ ରାଜସ୍ଥାନ ସରକାର ମାମଲା ରୁଜୁ କରିଛନ୍ତି । ତାକୁ ଗିରଫ କରିବାକୁ ପୋଲିସ ଖୋଜୁଛି । ମୋନୁକୁ ଖୋଜିବାରେ ଆମେ ରାଜସ୍ଥାନ ପୋଲିସକୁ ସବୁ ପ୍ରକାର ସହାୟତା କରିବୁ ବୋଲି ଜଣାଇଛୁ । ସେପଟେ ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ଯେ, ହିଂସା ମାମଲାରେ ମୋନୁର ଭୂମିକା ଥିଲେ ତା' ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ହିଂସା ପଛରେ ବାହାର ଲୋକଙ୍କ ମଧ୍ୟ ହାତ ଥିବାର ସନ୍ଦେହ କରାଯାଉଛି । ବାହାରୁ କିଛି ଲୋକ ଉପଦ୍ରବୀଙ୍କ ସହ ସାମିଲ ହୋଇପାରନ୍ତି । ସାଇବର ଡିପାର୍ଟମେଣ୍ଟ୍‌ ଏହାର ତଦନ୍ତ କରୁଛି । ସୋସିଆଲ ମିଡିଆ ଓ ଟେଲିଫୋନିକ ବାର୍ତ୍ତାଳାପର ରେକର୍ଡ ଯାଞ୍ଚ କରାଯାଉଛି । ସିସିଟିଭି ଫୁଟେଜ ବି ପୋଲିସ ଚେକ୍ କରୁଛି । ଏବେସୁଦ୍ଧା ଘଟଣାରେ ୧୧୬ ଜଣଙ୍କୁ ଗିରଫ କରାଯାଇସାରିଛି ।

ଗୁଇନ୍ଦା ବିଭାଗ ଉପରେ ପ୍ରଶ୍ନ: ଯୋଜନାବଦ୍ଧ ଭାବେ ହିଂସାକୁ ରୂପ ଦିଆଯାଇଥିବା ରାଜ୍ୟ ସରକାର ବାରମ୍ବାର କହୁଛନ୍ତି । କେହି ନା କେହିଁ ଏଥିପାଇଁ ଷଡ଼ଯନ୍ତ୍ର ରଚିଛି । କିନ୍ତୁ ପ୍ରଶ୍ନ ହେଲା, କେମିତି ଗୁଇନ୍ଦା ବିଭାଗ ନାକରେ ଏତ ବଡ଼ ଷଡଯନ୍ତ୍ରର ଗନ୍ଧ ବାଜିଲା ନାହିଁ । କ'ଣ ଏଠି ଗୁଇନ୍ଦା ଫେଲ୍ ମାରିଗଲା କି ? ଯେଉଁଥି ପାଇଁ ଏସବୁ ଘଟିଗଲା । ଯେଉଁପରି ଭାବେ ଦଙ୍ଗାକାରୀମାନେ ପଥର ଓ ହଥିଆର ପ୍ରସ୍ତୁତ ରଖିଥିଲେ, ସେଥିରୁ ଷଡ଼ଯନ୍ତ୍ରର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଆଉ ଗୁଇନ୍ଦା ବିଭାଗ ଏସବୁ ସୁରାକ ପାଇବାରେ ବିଫଳ ହୋଇଥିବା ମଧ୍ୟ ଭଲ ଭାବେ ବାରି ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.