ETV Bharat / bharat

କାର-ବାଇକକୁ ଧକ୍କା ଦେଲା ଟ୍ରକ, ୫ ମୃତ ଓ ୩ ଗୁରୁତର

author img

By

Published : Mar 10, 2023, 8:34 PM IST

ଛତିଶଗଡ଼ର ବାଲୋଦ ଜିଲ୍ଲାରେ ଟ୍ରକ, କାର ଏବଂ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଅଛନ୍ତି । ଅଧିକ ପଢ଼ନ୍ତୁ

road accident in Chhattisgarh
road accident in Chhattisgarh

ରାୟପୁର: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଦ୍ରୁତଗାମୀ ଟ୍ରକ, କାର ଏବଂ ବାଇକ ମଧ୍ୟରେ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆତହ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ନାବାଳିକା ଥିବା ସୂଚନା । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲୋଦ ଜିଲ୍ଲାର ଡୋଲି ଥାନା ଅନ୍ତର୍ଗତ ମାର୍କାଟୋଲା ଗ୍ରାମରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ: OYO Founder Father Dies: ୨୦ ମହଲାରୁ ଖସି ବାପା ମୃତ, ୩ଦିନ ପୂର୍ବରୁ ପୁଅର ସରିଥିଲା ବିବାହ

ପୋଲିସର ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ଟ୍ରକଟି ଭାନୁପ୍ରତାପପୁରରୁ ବାଲୋଦ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ କାର ଏବଂ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଦଉଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କିଛି ସମୟ ପରେ ବାଲୋଦ ଥାନାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅତିରିକ୍ତ ପୋଲିସ ଅଧିକ୍ଷକ ଉଦ୍ଧାର କାର୍ଯ୍ୟର ନେତୃତ୍ବ ନେଇଥିଲେ । ଅନ୍ୟପଟେ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ନା ନାହିଁ ତାହାକୁ ନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: କେରଳରେ ଲାଗୁହେବ ନର୍ଥଇଷ୍ଟ୍ ମଡେଲ୍: ପୂର୍ବୋତ୍ତର ବିଜୟ ପରେ କେରଳ ଦଖଲ ଲକ୍ଷ୍ୟରେ ବିଜେପି

ପ୍ରକାଶ ଥାଉକି, ନିକଟରେ ଛତିଶଗଡ଼ର ଜଞ୍ଜଗିର-ଚମ୍ପା ଜିଲ୍ଲାରେ ପିକଅପ୍ ଭ୍ୟାନ ଓଲଟି ପଡ଼ି ୯ ଜଣ ଶ୍ରମିକ ଆହତ ହୋଇଥିଲେ । ମିନିମାଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନଟି ଅମରତାଲ ଗ୍ରାମରୁ ଚାଉଳ କାରଖାନାକୁ ଯାଉଥିଲା ଏବଂ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା । ସେହିପରି ମଧ୍ୟପ୍ରଦେଶର ମାନଞ୍ଜୀ ଗାଁର ହଜତାର ରୋଡ ନିକଟରେ ଗଛରେ ଦୃତଗାମୀ କାର ପିଟି ହୋଇ ପାଞ୍ଚଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ । କାରଟି ମାୱାନୀ ଗାଁରୁ ରାଜନଗରକୁ ଯାତ୍ରା କରୁଥିଲା । ତେବେ କାରଟି ଦୃତ ଗତିରେ ଯାଉଥିବା କାରଣରୁ ଡ୍ରାଇଭର ସନ୍ତୁଳନ ରକ୍ଷା କରି ପାରି ନଥିଲେ । ଫଳରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.