ETV Bharat / bharat

କେରଳରେ ଲାଗୁହେବ ନର୍ଥଇଷ୍ଟ୍ ମଡେଲ୍: ପୂର୍ବୋତ୍ତର ବିଜୟ ପରେ କେରଳ ଦଖଲ ଲକ୍ଷ୍ୟରେ ବିଜେପି

author img

By

Published : Mar 10, 2023, 3:11 PM IST

Updated : Mar 10, 2023, 3:48 PM IST

ପୂର୍ବୋତ୍ତର ବିଜୟ ପରେ ବିଜେପି ଫୋକସରେ କେରଳ । ଆରଏସଏସ ସହାୟତାରେ ଖ୍ରୀଷ୍ଟିଆନ ବହୁଳ କେରଳରେ ନର୍ଥଇଷ୍ଟ୍ ମଡେଲ ପ୍ରୟୋଗ କରି ପଦ୍ମ ଫୁଟାଇବାକୁ ଦଳ ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ

ପୂର୍ବୋତ୍ତର ବିଜୟ ପରେ କେରଳ ଦଖଲ ଆଶାରେ ବିଜେପି
ପୂର୍ବୋତ୍ତର ବିଜୟ ପରେ କେରଳ ଦଖଲ ଆଶାରେ ବିଜେପି

ବିଲାଲ ଭଟ୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ପୂର୍ବୋତ୍ତରରେ ବିଜୟର ବାନା ଉଡାଇଛି ଭାରତୀୟ ଜନତା ପାର୍ଟି । ତିନି ଉତ୍ତର-ପୂର୍ବ ରାଜ୍ୟରେ ବିକାଶର ନାରା ଦେଇ ସଦ୍ୟ ସମାପ୍ତ ନିର୍ବାଚନରେ ବିଜେପି ଅବିଶ୍ବସନୀୟ ସଫଳତା ହାସଲ କରି ଉଦାହରଣ ପାଲଟିଛି । ତେବେ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡିକରେ କ୍ଷମତା ଦଖଲ କରିବା ବିଜେପି ପାଇଁ ଏତେ ସହଜ ନଥିଲା କି ରାତାରାତି ଏଠାରେ ପଦ୍ମ ଫୁଟି ଯାଇନି । ଏହିସବୁ ରାଜ୍ୟରେ ବିଜେପିର ସଫଳତା ପଛରେ ସହଯୋଗୀ ଦଳ ଆରଏସଏସର ପ୍ରମୁଖ ଭୂମିକା ରହିଛି । ଆରଏସଏସ୍ ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି ସକ୍ରିୟ ରହିଥିବା କାରଣରୁ ଉତ୍ତରପୂର୍ବରେ ବିଜେପି ପାଇଁ ପଥ ପରିଷ୍କାର ହୋଇଛି ।

ପୂର୍ବୋତ୍ତରରେ ବିଜେପି ସହଜ ଏଣ୍ଟ୍ରି ମାରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଆରଏସଏସ୍‌ର ଉଦ୍ୟମ ତାହାର ମହତ୍ତ୍ବକାଂକ୍ଷୀ ଲକ୍ଷ୍ୟକୁ ଚରିତାର୍ଥ କରିଥିଲା । ପୂର୍ବୋତ୍ତରରେ ବିଜେପି ସଫଳତାର ଅନ୍ୟ ଏକ କାରଣ ହେଉଛି, କଂଗ୍ରେସ ଦୃଷ୍ଟିରେ ଉତ୍ତରପୂର୍ବ କେବଳ ଉଗ୍ରବାଦ ପ୍ରଭାବିତ ରାଜ୍ୟ ହୋଇ ରହିଲା ଯାହାକୁ କେବଳ ଶକ୍ତି ବଳରେ ନିୟନ୍ତ୍ରଣ କରାଯାଇ ପାରିବ । ଏଠାରେ ବିଦ୍ରୋହ ଓ ସଂଘର୍ଷ ବ୍ୟତୀତ ଦଳ ଅନ୍ୟ କିଛି ଦେଖିପାରିଲା ନାହିଁ । ଏହି କାରଣରୁ କ୍ରମଶଃ ଏଠାରେ ନିଜର ପତିଆରା ହରାଇ ବସିଲା କଂଗ୍ରେସ । ଏପରି ଭାବେ ଦୂରଦୃଷ୍ଟିର ଅଭାବ ହିଁ ସଦ୍ୟସମାପ୍ତ ନିର୍ବାଚନରେ ଦଳ ପତନର କାରଣ ହେଲା ।

ଉତ୍ତରପୂର୍ବରେ କଂଗ୍ରେସ କେବଳ ଶାନ୍ତିର କଥା କହିଲା । କଂଗ୍ରେସ ନେତାମାନେ ରାଜ୍ୟରେ ଉଗ୍ରବାଦ ଉପରେ ଅଙ୍କୁଶ ଲଗାଇବା ଓ ଶାନ୍ତି ପ୍ରତିଷ୍ଠାର ନାରା ସହ ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ । ବିଗତ ନିର୍ବାଚନଗୁଡିକ ସମୟରେ କଂଗ୍ରେସ ପ୍ରାର୍ଥୀଙ୍କ ନିକଟରେ କେବଳ ଏହି ପ୍ରତିଶ୍ରୁତି ବ୍ୟତୀତ ଅନ୍ୟ କିଛି ନଥିଲା । ଫଳରେ ଧୀର ଧୀରେ ପୂର୍ବୋତ୍ତରରେ କଂଗ୍ରେସ ଗୁରୁତ୍ବ ହରାଇଲା । ଯେଉଁଠି କଂଗ୍ରେସ ଶାନ୍ତିର କଥା କହୁଥିଲା ସେଠାରେ ବିଜେପି ଲୋକଙ୍କ ମନରେ ବିକାଶର ସ୍ବପ୍ନ ବୁଣିଲା । ଉତ୍ତରପୂର୍ବକୁ ବିକାଶ ପଥରେ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଲା । ଉତ୍ତରପୂର୍ବବାସୀଙ୍କୁ ବଦଳାଇବା ପରିବର୍ତ୍ତେ ସେମାନଙ୍କ ମଧ୍ୟରୁ ଜଣେ ହେବାକୁ ନିଷ୍ପତ୍ତି ନେଲା ଦଳ ।

ଦେଶରେ ବିଜେପିକୁ ହିନ୍ଦୁ ଦଳ ଭାବେ ବିଚାର କରାଯାଉଥିବାବେଳେ ଏପରି ସ୍ଥଳେ ଖ୍ରୀଷ୍ଟିଆନ ବହୁଳ ନାଗାଲାଣ୍ଡ ଓ ମେଘାଳୟରେ ନିଜର ସ୍ଥିତି ଜାହିର କରିବା ଦଳ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । କାରଣ ଏହି ଦୁଇ ରାଜ୍ୟରେ ଖ୍ରୀଷ୍ଟିଆନ ଜନସଂଖ୍ୟା ଯଥାକ୍ରମେ ୮୮ ପ୍ରତିଶତ ଓ ୭୫ ପ୍ରତିଶତ ଅଟେ । ସେଥିପାଇଁ ବିଜେପି ଆଞ୍ଚଳିକ ଦଳଗୁଡିକ ସହ ମେଣ୍ଟ କରି କ୍ଷମତାରେ ବସିବା ପାଇଁ ଯୋଜନା କଲା ।

୨୦୧୩ ନିର୍ବାଚନରେ ନାଗାଲାଣ୍ଡରେ ବିଜେପିର ପରାଜୟ ପରେ ୨୦୧୪ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି କିସାମା ଠାରେ ହର୍ନବିଲ୍ ପର୍ବରେ ନାଗାଲିମ୍ ନାରା ଦେଇଥିଲା । କାରଣ ବିଜେପି ଭଲ ଭାବେ ଜାଣିଥିଲା ଯେ ଏହି ପର୍ବ ନାଗାଲାଣ୍ଡର ସବୁ ସମ୍ପ୍ରଦାୟର ଲୋକଙ୍କ ଭାବାବେଗ ସହ ଗଭୀର ଭାବେ ଜଡିତ । ଏହାସହିତ ବିଜେପି ଯେ କେବଳ ହିନ୍ଦୁଙ୍କ ପାଇଁ, ଏହି ଚିନ୍ତାଧାରା ଲୋକଙ୍କ ମନରୁ ଦୂର କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଥିଲା ।

ଏହି କ୍ରମରେ ୨୦୧୮ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆଲପୋନ୍ସ କମନାଥନମଙ୍କୁ ନାଗାଲାଣ୍ଡର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା । ଯିଏକି କେରଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଟନ୍ତି । କମନାଥନମ ରାଜ୍ୟରେ ଚର୍ଚ୍ଚଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ଘୋଷଣା କରିବା ସହ ଖ୍ରୀଷ୍ଟିଆନ ସମୁଦାୟଙ୍କ ପ୍ରତି ଦଳ ପକ୍ଷରୁ ସଦଭାବନା ଓ ସହାନୁଭୂତି ପ୍ରଦର୍ଶନ କରିଥିଲେ । ଏହାପରେ ଯଦିଓ ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିଥିଲା ତଥାପି ଲୋକମାନେ ଅନ୍ୟ ଏକ ବିକଳ୍ପର ସନ୍ଧାନରେ ରହିଥିଲେ । କଂଗ୍ରେସ ସର୍ବଦା ବିକାଶ ବଦଳରେ ଉଗ୍ରବାଦ ପ୍ରସଙ୍ଗରେ ଅଧିକ ଗୁରୁତ୍ବାରୋପ କରୁଥିବାରୁ ବିଜେପି ପାଇଁ ଏହା ସୁଯୋଗ ଆଣିଥିଲା ।

ବିଜେପି ଉତ୍ତରପୂର୍ବବାସୀଙ୍କ ସହ ଅଧିକ ଜଡିତ ହୋଇ ରହିବା ପାଇଁ ଅନେକ ସମୟରେ ଏଠାକୁ ବଡ ବଡ ଚେହେରାକୁ ପଠାଇଲା । ପ୍ରଧାନମନ୍ତ୍ରୀ ମୋଦି ନିଜେ ୫୦ରୁ ଅଧିକ ଥର ଏହି ରାଜ୍ୟ ଗସ୍ତ କରିଥିଲେ । ସେହିପରି ୭୦ରୁ ଊର୍ଦ୍ଧ୍ବ ବିଜେପି ମନ୍ତ୍ରୀ ୪୦୦ରୁ ଅଧିକ ଥର ଉତ୍ତରପୂର୍ବ ଗସ୍ତ କରିଥିଲେ । ଏହାସହିତ ବିଜେପି ଆଞ୍ଚଳିକ ଦଳଗୁଡିକୁ ଆର୍ଥିକ ସହଯୋଗ କରିବା ସଙ୍ଗେ ସଙ୍ଗେ କଂଗ୍ରେସ ଭୋଟ ବିରୁଦ୍ଧରେ ସ୍ଥିତି ମଜବୁତ କରିବାକୁ ସହୟତା କରିଥିଲା ।

ଏବେ ଉତ୍ତରପୂର୍ବ ବିଜୟ ପରେ ଏବେ କେରଳରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ଏଠାରେ ବିଜେପି ଗତ ନିର୍ବାଚନରେ ରାଜ୍ୟରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଏହାସତ୍ତ୍ବେ ମଧ୍ୟ ଦଳ ଆରଏସଏସ ୟୁନିଟ ସହୟତାରେ କେରଳ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । କାରଣ ସାରା ରାଜ୍ୟରେ ଆରଏସଏସ ୟୁନିଟ୍ ବେଶ୍ ସକ୍ରିୟ ରହିଛି । ତେଣୁ ବିଜେପି ଏଠାରେ ଉତ୍ତରପୂର୍ବ ମଡେଲ ଲାଗୁ କରି କ୍ଷମତା ଅକ୍ତିଆର କରିବା ଯୋଜନାରେ ରହିଛି ।

Last Updated : Mar 10, 2023, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.