ETV Bharat / bharat

2024 General poll: ଉତ୍ତର ପ୍ରଦେଶରେ ଏକାକୀ 65 ଆସନରେ ଲଢିବ ସପା, ଇଣ୍ଡିଆ ମେଣ୍ଟ ଦଳଙ୍କୁ ମାତ୍ର 15 !

author img

By ETV Bharat Odisha Team

Published : Nov 2, 2023, 5:18 PM IST

2024 General poll: ଉତ୍ତର ପ୍ରଦେଶରେ ଏକାକୀ 65 ଆସନରେ ଲଢିବ ସପା, ‘ଇଣ୍ଡିଆ’ ମେଣ୍ଟର ଅନ୍ୟ ଦଳଙ୍କୁ ମାତ୍ର 15 !
2024 General poll: ଉତ୍ତର ପ୍ରଦେଶରେ ଏକାକୀ 65 ଆସନରେ ଲଢିବ ସପା, ‘ଇଣ୍ଡିଆ’ ମେଣ୍ଟର ଅନ୍ୟ ଦଳଙ୍କୁ ମାତ୍ର 15 !

ଉତ୍ତର ପ୍ରଦେଶରେ ଏକାକୀ 65 ଆସନରେ ଲଢିବାକୁ ସଜବାଜ ହେଉଛି ସାମାଜବାଦୀ ପାର୍ଟି । ଅବଶିଷ୍ଟ ମାତ୍ର 15 ଆସନରେ କଂଗ୍ରେସ ସମେତ ଅନ୍ୟ ‘ଇଣ୍ଡିଆ’ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ବୁଝାମଣା । ଆସନ ଭାଗବଣ୍ଟା କନ୍ଦଳ ଆରମ୍ଭର ସୂଚନା ପ୍ରାୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ବିଜେପିକୁ ଟକ୍କର ଦେବା ପାଇଁ ଗଠନ ହୋଇଥିବା ବିରୋଧୀଙ୍କ ମହାମେଣ୍ଟ ‘ଇଣ୍ଡିଆ’ ସମ୍ପୂର୍ଣ୍ଣ ସାଙ୍ଗଠନିକ ରୂପ ପାଇବା ପୂର୍ବରୁ ଏଥିରେ ଫାଟ ଦେଖାଯିବା ଆରମ୍ଭ ହୋଇଗଲାଣି । ଆସନ ଭାଗବଣ୍ଟା ଅଙ୍କ ଛିଡାଇ ମେଣ୍ଟର ଅସ୍ଥିତ୍ବ ବଜାୟ ରଖିବା ନେଇ ବିଜେପି ଯେଉଁ ଆଶଙ୍କା ପ୍ରକାଶ କରିଥିଲା ତାହା ଧିରେ ଧିରେ ସଠିକ ପ୍ରମାଣିତ ହେବା ପରି ଲାଗୁଛି ।

ଦେଶର ସର୍ବବୃହତ୍ତ ରାଜ୍ୟ ଓ ଜାତୀୟ ରାଜନୀତିର ସମୀକରଣକୁ ପ୍ରଭାବିତ କରୁଥିବା ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏକାକୀ 65 ଆସନରେ ଲଢିବାକୁ ନିଷ୍ପତ୍ତି ନେଇଛି । ମୋଟ 80ଟି ଲୋକସଭା ଆସନ ମଧ୍ୟରୁ ଅବଶିଷ୍ଟ 15ଟି କଂଗ୍ରେସ ସମେତ ଅନ୍ୟ ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳଙ୍କୁ ଛଡାଯିବା ନେଇ ପାର୍ଟି ସୂତ୍ରରୁ ସୂଚନା ମିଳିଛି । ଦଳ ରାଜ୍ୟରେ ଏକାକୀ 65 ଆସନରେ ସାଂସଦ ପ୍ରାର୍ଥୀ ଦେବା ନେଇ ଯୋଜନା ସହ ପ୍ରସ୍ତୁତି ଆରମ୍ଭ କରିସାରିଥିବା ସୂଚନା ମିଳିଛି ।

ସମାଜବାଦୀ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଦଳ ଏକାକୀ 65 ଆସନରେ ଲଢିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଆସନ ଓ୍ବାରୀ ପ୍ରାର୍ଥୀ ସ୍ଥିର କରିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଅବଶିଷ୍ଟ 15 ଆସନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ମେଣ୍ଟ ସହଯୋଗୀ ଦଳ ପ୍ରାର୍ଥୀ ଦେବା ନେଇ ଆଲୋଚନା କରିବେ । ସେହିପରି ରାଜ୍ୟରେ କଂଗ୍ରେସ ଗଡ କୁହାଯାଉଥିବା ଓ ଗାନ୍ଧୀ ପରିବାର ଦଖଲରେ ରହିଆସିଥିବା ଆମେଠୀ ଓ ରାୟବରେଲୀ ଆସନ ଏହି ଅବଶିଷ୍ଟ 15 ଆସନ ମଧ୍ୟରେ ରହିଛି । ସମାଜବାଦୀ ପାର୍ଟି ଏନେଇ ପ୍ରକ୍ରିୟା ଆରମ୍ଭ କରିସାରିଥିବା ବେଳେ ଆସନ ବୁଝାମଣା ନେଇ ‘ଇଣ୍ଡିଆ’ ମେଣ୍ଟ କୌଣସି ସୂଚନା ଦେଇନି । ଏପରି ସ୍ଥଳରେ ଦେଶର ବଡ ରାଜ୍ୟ ଉତ୍ତର ପ୍ରଦେଶରେ ମେଣ୍ଟ ଆସନ ବୁଝାମଣା କନ୍ଦଳର ସାମ୍ନା କରିବାକୁ ଯାଉଥିବା ପ୍ରାୟତଃ ଦୃଶ୍ୟମାନ ହେଉଛି ।

ଏହା ମଧ୍ୟ ପଢନ୍ତୁ:- Cash for query case: ପ୍ୟାନେଲ ମିଟିଂରେ ହଙ୍ଗାମା, ଅଧାରୁ ଚାଲିଆସିଲେ ମୋଇତ୍ରା ଓ ଡାନିସ ଅଲ୍ଲୀ

ରାୟବରେଲୀରୁ କଂଗ୍ରେସ ଭେଟେରାନ ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି । ଏଥର ମଧ୍ୟ ସେ ନିଜ ପାରମ୍ପରିକ ଆସନରୁ ଲଢିପାରନ୍ତି । ସେହିପରି ଆମେଠୀରୁ 1999 ରୁ 2014 ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ନିର୍ବାଚିତ ହୋଇଥିଲେ । ଅବଶ୍ୟ 2019 ରେ ନିଜ ପାରମ୍ପରିକ ଆସନରେ ତାଙ୍କୁ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହେବାକୁ ପଡିଥିଲା । ତେଣୁ ଏହି ଦୁଇ ଆସନରେ ଏଥର ସୋନିଆ ଓ ରାହୁଲଙ୍କୁ ପୁଣି ପ୍ରାର୍ଥୀ ଭାବେ ଦେଖାଯାଇପାରେ । ଅନ୍ୟପଟେ ସମାଜବାଦୀ ପାର୍ଟିର ଏହି ଏକାଧିକାର ନିଷ୍ପତ୍ତି ନେଇ ମେଣ୍ଟ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.