ETV Bharat / bharat

ମଣିପୁରରେ ମାସ୍କ ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ୍‌, ବ୍ୟାଙ୍କରୁ ଲୁଟିନେଲେ ୧୯ କୋଟି

author img

By ETV Bharat Odisha Team

Published : Dec 1, 2023, 9:41 PM IST

ମଣିପୁରରେ ମାସ୍କ ପିନ୍ଧା ଲୁଟେରାଙ୍କ ଆତଙ୍କ । ବ୍ୟାଙ୍କରୁ ଲୁଟିନେଲେ ୧୯ କୋଟି ଟଙ୍କା । ଅଧିକ ପଢନ୍ତୁ

Manipur bank robbery
Manipur bank robbery

ଇମ୍ଫାଲ: ମଣିପୁରରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌ । ମାସ୍କ ପିନ୍ଧା କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ମଣିପୁର ଉଖ୍ରୁଲ ଜିଲ୍ଲା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଲୁଟି ନେଇଛନ୍ତି ୧୮.୮୫ କୋଟି ଟଙ୍କା । ଗତ ଗୁରୁବାର ସନ୍ଧ୍ୟାରେ ବ୍ୟାଙ୍କରେ ଦୁର୍ବୃତ୍ତମାନେ ଏଭଳି ଆତଙ୍କ ଖେଳାଇ ଲୁଟ୍‌ କରିଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଯାଞ୍ଚ କରି ଏହି ଲୁଟେରା ଗୋଷ୍ଠୀଙ୍କୁ ଧରିବା ଲାଗି ଛାନଭିନ ଆରମ୍ଭ କରିଛି ।

ସିସିଟିଭି ଫୁଟେଜ ଅନୁସାରେ ୧୦ ଜଣିଆ ମାସ୍କ ପିନ୍ଧା ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ବ୍ୟାଙ୍କ ନିକଟରେ ପହଞ୍ଚିଥିଲେ । ତେବେ ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟରେ ଉଖ୍ରୁଲ ଭିଉଲ୍ୟାଣ୍ଡ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପହଞ୍ଚି ଆତଙ୍କ ଖେଳାଇଥିଲେ । ବ୍ୟାଙ୍କ କର୍ମଚାରୀ କହିଛନ୍ତି ଯେ ଏହି ଦୁର୍ବୃତ୍ତମାନେ ମାସ୍କ ପିନ୍ଧିବା ସହ ଅନ୍ୟ କୌଣସି ଭାଷାରେ କଥା ହେଉଥିଲେ । ଜଣେ ଲୁଟେରା କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ସ୍ଥାନରେ ଚୁପ୍‌ ହୋଇ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ କର୍ମଚାରୀମାନେ ଭୟରେ ଚୁପଚାପ୍‌ ଠିଆ ହୋଇଥିବା ବେଳେ ଅନ୍ୟ ଲୁଟେରାମାନେ ପୁଳା ପୁଳା ଟଙ୍କା ଲୁଟିଥିଲେ ।

ଏହା ବି ପଢନ୍ତୁ- ବନ୍ଧୁକ ମୁନରେ ବ୍ୟାଙ୍କରୁ ୩ ଲକ୍ଷ ଲୁଟ୍‌, ତଦନ୍ତ କରୁଛି ପୋଲିସ

ଏହି ଲୁଟ୍‌ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କୌଣସି ଗ୍ରାହକ ସେଠାରେ ଉପସ୍ଥିତ ନଥିଲେ । ତେବେ ବ୍ୟାଙ୍କ ଅପରାହ୍ନ ୪ଟା ପରେ ଗ୍ରାହକଙ୍କ ଲାଗି ବନ୍ଦ ହେଉଥିବାରୁ ସେହି ସମୟରେ ଅନ୍ୟ କେହି ଉପସ୍ଥିତ ନଥିଲେ । ସେପଟେ ବ୍ୟାଙ୍କ ମ୍ୟାନେଜର ମଧ୍ୟ ଛୁଟିରେ ଥିଲେ । ପୂର୍ବରୁ ବ୍ୟାଙ୍କ ପରିସରରେ ୭ ଜଣ ସୁରକ୍ଷାକର୍ମୀ ରହିଥାନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଲୁଟ୍‌ ସମୟରେ ମୁଖ୍ୟ ଫାଟକରେ ଜଣେ ମାତ୍ର ସୁରକ୍ଷାକର୍ମୀ ରହିଥିବା ବେଳେ ଅନ୍ୟମାନେ ଚା' ପିଇବା ଲାଗି ଯାଇଥିଲେ । ଲୁଟେରାମାନେ ହୁଏତ ଏହାର ସୁଯୋଗ ନେଇ ପଛ ଗେଟ୍‌ ଦେଇ ବ୍ୟାଙ୍କ ଭିତରେ ପଶିଥିଲେ ।

ଏହାପରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଟ୍ରେଜେରି ଖୋଲିବାକୁ ବାଧ୍ୟ କରିଥିଲେ । ବନ୍ଧୁକ ଦେଖାଇବା ଯୋଗୁଁ କର୍ମଚାରୀ ଜଣକ ଭୟରେ ଟ୍ରେଜେରି ଖୋଲିବା ପରେ ଲୁଟେରାମାନେ ପ୍ରାୟ ୧୮.୮୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ସେମାନେ ଗୁରୁବାର ସନ୍ଧ୍ୟାରେ ବ୍ୟାଙ୍କର ପଛ ପଟେ ୨ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ । ତେବେ ଏହି ଲୁଟ୍‌ ନେଇ ଉଖ୍ରୁଲ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ମଣିପୁରର ଅନ୍ୟ ବ୍ୟାଙ୍କଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.