ETV Bharat / bharat

‘ନା ମୁଁ ଟାଏର୍ଡ, ନା ରିଟାଏର୍ଡ’: ପୁତୁରା ବୟସ ମନ୍ତବ୍ୟର ଜବାବ ରଖିଲେ ଶରଦ

author img

By

Published : Jul 8, 2023, 8:21 PM IST

ପୁତୁରାଙ୍କ ବୟସ ମନ୍ତବ୍ୟର ଜବାବ ରଖିଲେ ଶରଦ
ପୁତୁରାଙ୍କ ବୟସ ମନ୍ତବ୍ୟର ଜବାବ ରଖିଲେ ଶରଦ

ପୁତୁରାଙ୍କ ବୟସ ମନ୍ତବ୍ୟର ଜବାବ ରଖିଲେ ଶରଦ । କହିଲେ ସେ ସେ କ୍ଳାନ୍ତ, ନା ସେ ଅବସର ନେବେ । ସେ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଜାରି ରଖିବେ । ଅଜିତ କହିଥିଲେ ବୟସ 82 ହେଲାଣି ତଥାପି ନେଉନାହାନ୍ତି ଅବସର । ଅଧିକ ପଢନ୍ତୁ

ମୁମ୍ବାଇ: ଶରଦ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସରେ ଜାରି ରହିଥିବା ଦଳୀୟ କନ୍ଦଳ ମଧ୍ୟରେ ନିଜ ବୟସକୁ ନେଇ ବିଦ୍ରୋହୀଙ୍କୁ କଡା ଜବାବ ଦେଇଛନ୍ତି ଶରଦ । ନାଁ ସେ କ୍ଳାନ୍ତ ନା ସେ ଅବସର ଗ୍ରହଣ କରିବେ । ସେ ସକ୍ରିୟ ରାଜନୀତିରେ ରହିବେ ଓ ଲୋକଙ୍କ ସେବା କରିବେ । ଦଳରୁ ବିଦ୍ରୋହ କରି ଉପମୁଖ୍ୟମନ୍ତ୍ରୀ ହୋଇଥିବା ପୁତୁରା ଅଜିତ ପାଓ୍ବାରଙ୍କ 83 ବର୍ଷ ବୟସ ମନ୍ତବ୍ୟରେ ଏପରି ଭାବେ ପ୍ରତିକ୍ରିୟା ରଖିଛନ୍ତି ଶରଦ ।

ଅଜିତ କରିଥିବା ବୟସାଧିକ ମନ୍ତବ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖି ଶରଦ କହିଛନ୍ତି, ‘‘ଆପଣ ଜାଣନ୍ତି କି ନାହିଁ, ମୋରାର୍ଜୀ ଦେଶାଇ କେତେ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ମୁଁ ପ୍ରଧାନମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀ ହେବାକୁ ଇଚ୍ଛା ରଖିନାହିଁ । ମୁଁ ଲୋକଙ୍କ ସେବା କରିବାକୁ ଚାହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଉକ୍ତିକୁ ଦୋହରାଇ ଶରଦ କହିଥିଲେ ‘‘ନାଁ ମୁଁ ଟାଏର୍ଡ, ନା ରିଟାଏର୍ଡ’’ । ଯେଉଁମାନେ ମୋ ରାଜନୈତିକ ଅବସର କଥା କହୁଛନ୍ତି, ସେମାନେ ଜାଣି ରଖିବା ଉଚିତ ମୁଁ ଏବେ ମଧ୍ୟ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।’’

ଅଜିତଙ୍କୁ ଦଳରେ ଅବହେଳା କରାଯାଇଛି । ସେ ଶରଦ ପାଓ୍ବାରଙ୍କ ପୁଅ ହୋଇନଥିବାରୁ ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ ସମ୍ପର୍କିତ ପ୍ରଶ୍ନରେ କୌଣସି ଉତ୍ତର ରଖିନାହାନ୍ତି ଶରଦ । ପ୍ରଶ୍ନକୁ ଏଡାଇ ଯିବା ସହ ଶରଦ କହିଛନ୍ତି, ପାରିବାରିକ ପ୍ରସଙ୍ଗରେ ସେ ଅଧିକ କିଛି ପ୍ରତିକ୍ରିୟା ରଖିବାକୁ ପସନ୍ଦ କରିବେ ନାହିଁ । ଶରଦ ଏହା ମଧ୍ୟ କହିଛନ୍ତି, ଅଜିତଙ୍କୁ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇଛି । ହେଲେ ତାଙ୍କ ଝିଅ ସୁପ୍ରିୟା ସୁଲଙ୍କୁ ଥରେ ମାତ୍ର ମନ୍ତ୍ରୀ କରାଯାଇନାହିଁ । ଏହା କରିବା ମଧ୍ୟ ସମ୍ଭବ ଥିଲା ବେଳେ ହେଲେ ସେ ଏପରି କରିନଥିଲେ । ଯେତେବେଳେ କେନ୍ଦ୍ରରେ ଏନସିପିର ଭାଗରେ ଏକ ମନ୍ତ୍ରୀ ପଦ ପଡୁଥିଲା, ସେତେବେଳେ ସୁପ୍ରିୟା ସାଂସଦ ଥାଇ ମଧ୍ୟ ଦଳର ଅନ୍ୟଜଣଙ୍କୁ ମନ୍ତ୍ରୀ ପଦ ମିଳିଥିଲା ବୋଲି ଶରଦ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-NCP Crisis: ‘ବୟସ 82 ହେଉକି 92, ମୁଁ NCP ମୁଖ୍ୟ’

ଏନସିପିରୁ ବିଦ୍ରୋହ କରି ସିନ୍ଦେ ନେତୃତ୍ବାଧୀନ ଶାସକ ମେଣ୍ଟରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅଜିତ ପାଓ୍ବାର । ସେହିପରି ତାଙ୍କ ସହ ଥିବା 8 ବିଦ୍ରୋହୀ ମଧ୍ୟ ମନ୍ତ୍ରୀ ପଦ ପାଇଛନ୍ତି । ଶାସକ ମେଣ୍ଟରେ ସାମିଲ ହେବା ପରେ ସେ ଏନସିପିର ନାମ ଓ ନିର୍ବାଚନୀ ଚିହ୍ନ ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । ସେହିପରି ସେ ଦାଦା ତଥା ପାର୍ଟିର ପ୍ରତିଷ୍ଠାତା ମୁଖ୍ୟ ଶରଦଙ୍କ ବିରୋଧରେ ବୟସାଧିକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଶରଦ 82 ବର୍ଷରେ ପହଞ୍ଚିଲେଣି । ସେ ବିଶ୍ରାମ ନେବା କଥା ଓ ଦଳର ନେତୃତ୍ବ ପାଇଁ ନୂଆ ପିଢିଙ୍କୁ ସୁଯୋଗ ଦେବା ଉଚିତ ବୋଲି ଅଜିତ କହିଥିଲେ । ଏହି ପ୍ରସଙ୍ଗରେ ଶରଦ ସିଧା ପ୍ରତିକ୍ରିୟା ରଖି ସେ 82 କି 92 ବର୍ଷ ହୋଇଥିଲେ ସୁଦ୍ଧା ଏବେ ବି ଦଳର ମୁଖ୍ୟ ବୋଲି କହିଥିଲେ । ଆଜି ମଧ୍ୟ ସେ ନା କ୍ଳାନ୍ତ ନା ଅସବର ନେବେ ବୋଲି ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.