ETV Bharat / politics

ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗୁରୁତର - Poll violence in Bolangir

author img

By ETV Bharat Odisha Team

Published : May 17, 2024, 7:10 AM IST

Attack On BJP Candidate: ବଲାଙ୍ଗୀରରେ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ତାଙ୍କର ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଦୁଇ ଜଣ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ
ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ (ETV Bharat Odisha)

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଏବଂ ତାଙ୍କର ସମର୍ଥକମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଏଥିରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ପୋଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ନିର୍ବାଚନ ପ୍ରଚାର ପାଇଁ ଯାଇ ଡୁଙ୍ଗୁରିପାଲିରୁ ଫେରୁଥିବା ସମୟରେ ବିଜେପି ପ୍ରାର୍ଥୀଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଆହତ କର୍ମୀ ହେଲେ ଡୋଲାମନି ବସ୍ତିଆ ଓ ଲମ୍ବୋଦର ମହାକୁଡ଼ । ବିଜେଡିର ଗୁଣ୍ଡାମାନେ ଏହି ମରଣାନ୍ତକ ଆକ୍ରମଣ କରିଥିବା ବିଜେପି ପ୍ରାର୍ଥୀ ସଙ୍ଗୀନ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବିଜେପି ପ୍ରାର୍ଥୀ ନବୀନ ଜୈନ କହିଛନ୍ତି ଯେ, ସେ ନିଜର ସମର୍ଥକଙ୍କ ସହ ତିନୋଟି ଗାଡିରେ ନିର୍ବାଚନ ପ୍ରଚାର ପାଇଁ ସଇଁତଳା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଯାଇଥିଲେ । ଡୁଙ୍ଗୁରିପାଲି ଗ୍ରାମର ଚନ୍ଦନ ଯାତ୍ରାରେ ସାମିଲ ହୋଇ ଟିଟିଲାଗଡ ଫେରୁଥିଲେ । ବାଟରେ କିଛି ଗୁଣ୍ଡାମାନେ ଆସି ତାଙ୍କ ଗାଡ଼ି ଅଟକାଇଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନେ ଗାଡି ଭିତରେ ଥିବା ସମର୍ଥକ ଓ କର୍ମୀମାନଙ୍କୁ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସମୟରେ ନବୀନ କୌଶଳକ୍ରମେ ଗାଡ଼ି ବୁଲାଇ ଏକ ଗାଁକୁ ପଶି ଯାଇଥିଲେ । ସେଠାରେ ଗାଁ ଲୋକେ ତାଙ୍କୁ ସୁରକ୍ଷା ଦେବା ସହ ସଇଁତଳା ପୋଲିସକୁ ଫୋନ କରିଥିଲେ । ସଇଁତଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା ଏବଂ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଶାସକ ଦଳର ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ବିଜେପି ପ୍ରାର୍ଥୀ ଅଭିଯୋଗ ଆଣିଛନ୍ତି ଏବଂ ଲୋକେ ଏହାର ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Violence In Khallikote

ସୂଚନା ଅନୁସାରେ, ଆକ୍ରମଣରେ ବିଜେପିର ଦୁଇ କର୍ମୀ ଡୋଲାମନି ବସ୍ତିଆ ଓ ଲମ୍ବୋଦର ମହାକୁଡ଼ ଗୁରୁତର ଅଛନ୍ତି । ଏନେଇ ଅଭିଯୋଗ ପରେ ସଇଁତଳା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବୀନ ଜୈନ ବିଜେପିର ଟିଟିଲାଗଡ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ ବିଜେଡି ପ୍ରାର୍ଥିନୀ ହୋଇଛନ୍ତି । ସେହପରି ସଇଁତଳା ଅଞ୍ଚଳର ବାହୁବଳୀ ନେତା ଭାବରେ ପରିଚିତ ସୁରେନ୍ଦ୍ର ସିଂହ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାପରେ ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କ ଆକ୍ରମଣ ଅଭିଯୋଗ ଉପରେ ପୋଲିସ୍ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.