ETV Bharat / bharat

NCP Crisis: ‘ବୟସ 82 ହେଉକି 92, ମୁଁ NCP ମୁଖ୍ୟ’

author img

By

Published : Jul 6, 2023, 10:34 PM IST

Maharashtra: ‘ବୟସ 82 ହେଉକି 92, ମୁଁ ହିଁ NCP ମୁଖ୍ୟ ’
Maharashtra: ‘ବୟସ 82 ହେଉକି 92, ମୁଁ ହିଁ NCP ମୁଖ୍ୟ ’

ଦିଲ୍ଲୀରେ ଦଳର କାର୍ଯ୍ୟକାରିଣୀରେ ଶକ୍ତି ଦେଖାଇଲେ ସିନିୟର ପାଓ୍ବାର । ପୁତୁରାଙ୍କ ବୟସ ମନ୍ତବ୍ୟର ରଖିଲେ ସିଧା ଜବାବ । କହିଲେ ବୟସ ଯେତେ ହେଲେ ବି ସେ ହିଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ । ବାସଭବନରେ ଶରଦଙ୍କୁ ଭେଟିଲେ ରାହୁଲ । ଅଧିକ ପଢନ୍ତୁ

ମୁମ୍ବାଇ: ଏନସିପିରେ ବିଦ୍ରୋହ ପରେ ଆଜି (ଗୁରୁବାର) ଦିଲ୍ଲୀରେ ଦଳର କାର୍ଯ୍ୟକାରିଣୀରେ ଶକ୍ତି ଦେଖାଇଛନ୍ତି ସିନିୟର ପାଓ୍ବାର । ପୁତୁରାଙ୍କ ବୟସ ମନ୍ତବ୍ୟକୁ ନେଇ ସିଧା ହାମଲା କରିଛନ୍ତି । ବୟସ 82 ବର୍ଷ ହେଉ କି 92 ବର୍ଷ ସେହିଁ ହେଉଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ଗତକାଲି ସମର୍ଥକକୁ ସମ୍ବୋଧିତ କରି ବିଦ୍ରୋହ କରି ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ କହିଥିଲେ, ସମସ୍ତ ରାଜନୈତିକ ଦଳରେ ଅବସର ଗ୍ରହଣ କରିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି । ହେଲେ ଶରଦ ପାଓ୍ବାର ଦାୟିତ୍ବ ଛାଡୁ ନାହାନ୍ତି । ବୟସ 82 ହେଲାଣି ହେଲେ ତଥାପି ସେ ନୂଆ ପିଢିକୁ ନେତୃତ୍ବ ପାଇଁ ବାଟ ଛାଡୁନାହାନ୍ତି । ଅଜିତଙ୍କ ଏପରି ମନ୍ତବ୍ୟ ପରେ ଆଜି ଦଳର କାର୍ଯ୍ୟକାରିଣୀରେ ସିଧା ପ୍ରତିଜବାବ ରଖିଛନ୍ତି ଦାଦା ଶରଦ । ବୟସ ଯେତେ ହେଲେ ମଧ୍ୟ ସେ ହିଁ ଦଳର ସୁପ୍ରିମୋ ବୋଲି ସିଧା ଶୁଣାଇ ଦେଇଛନ୍ତି ପାର୍ଟିର ପ୍ରତିଷ୍ଠାତ ମୁଖ୍ୟ ଶରଦ ପାଓ୍ବାର ।

ଆଜି (ଗୁରୁବାର) ଦଳର କାର୍ଯ୍ୟକାରିଣୀ ବୈଠକ ପରେ ଶରଦ କହିଛନ୍ତି, ପ୍ରଫୁଲ୍ଲ ପଟେଲ, ସୁନୀଲ ତାଟକେରେ ଏବଂ ଏନଡିଏ ସହ ହାତ ମିଳାଇଥିବା ଅନ୍ୟ 9ଜଣଙ୍କୁ ବହିଷ୍କାର କରିବାକୁ ଏହି ବୈଠକ ପ୍ରସ୍ତାବ ଅନୁମୋଦନ କରାଯାଇଛି । ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ନେତା ପିସି ଚାକୋ କହିଛନ୍ତି, ଏହି ସଭାରେ ମୋଟ 8 ଟି ସଂକଳ୍ପ ପାରିତ ହୋଇଛି । ସତ ନିଶ୍ଚିୟ ସାମ୍ନାକୁ ଆସିବ । ଏବେ ମଧ୍ୟ ପୁରା ସଂଗଠନ ଶରଦ ପୱାରଙ୍କ ସହ ରହିଛି ।

ଆଜି ଦିଲ୍ଲୀ ସ୍ଥିତ ଶରଦ ପାୱାରଙ୍କ ବାସଭବନରେ ଏନସିପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶରଦ ପାୱାରଙ୍କ ସହ ତାଙ୍କ ସାଂସଦ ଝିଅ ତଥା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁପ୍ରିୟା ସୁଲେ, ଜିତେନ୍ଦ୍ର ଆୱାଜ ଏବଂ ଅନ୍ୟ ଏକାଧିକ ନେତା ଉପସ୍ଥିତ ଥିଲେ । ଏହି ବୈଠକ ପରେ ଶରଦ ଏହା ସ୍ପଷ୍ଟ କରିଛନ୍ତି ଯେ, ବିଦ୍ରୋହୀଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସବୁ ପରିସ୍ଥିତିରେ ଦଳ ତାଙ୍କ ରହିଛି ଓ ସେ ହିଁ ଦଳର ସର୍ବୋଚ୍ଚ ନେତା ।

ଏହା ମଧ୍ୟ ପଢନ୍ତୁ:-ଏକାଠି ହେବେ ଉଦ୍ଧବ ଓ ରାଜ ! ସଞ୍ଜୟ ରାଉତଙ୍କୁ ଭେଟିଲେ MNS ନେତା

ଅନ୍ୟପଟେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଶରଦଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ସୁପ୍ରିୟା ସୁଲେ ଓ ଅନ୍ୟ ନେତା ମଧ୍ୟ ଉପସ୍ଥିତ ରହିଥିଲେ । ବିଦ୍ରୋହ ଆରମ୍ଭ ହେବା ପରେ କଂଗ୍ରେସ ଶରଦଙ୍କୁ ନୈତିକ ସମର୍ଥନ ଦେଇଥିଲା । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ଫୋନରେ ଶରଦଙ୍କ ସହ କଥା ହେବା ସହ ସୌଜନ୍ୟମୂଳକ ସାହାସ ଦେଇଥିଲେ । ଘଟଣା କ୍ରମଶଃ ଜଟିଳ ହେବାର ଲାଗିଥିବା ବେଳେ ଆଜି ରାହୁଲ ସିଧା ଶରଦଙ୍କୁ ସାକ୍ଷାତ କରିଛନ୍ତି । ଅନ୍ୟପଟେ ଏହି ମାମଲା ଏବେ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛି । ଅଜିତ ନିଜ ଗୋଷ୍ଠୀରେ 40 ରୁ ଅଧିକ ବିଧାୟକ, ସାଂସଦ ଓ ବିଧାନ ପରିଷଦ ସଦସ୍ୟ ଥିବା ଦର୍ଶାଇ ଦଳର ନାମ ଓ ଚିହ୍ନ ତାଙ୍କ ଗୋଷ୍ଠୀକୁ ପ୍ରଦାନ କରିବାକୁ ପିଟିସନ ଦାଖଲ କରିଛନ୍ତି । ନିର୍ବାଚନ କମିଶନକଙ୍କ ନିଷ୍ପତ୍ତି ହିଁ ପାର୍ଟିର ଅଧିକାର ନେଇ ନିର୍ଣ୍ଣୟ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.