ETV Bharat / bharat

ହାତ ଛାଡିଲେ, ଧନୁତୀର ଧରିଲେ ମିଲିନ୍ଦ ଦେଓରା

author img

By ETV Bharat Odisha Team

Published : Jan 14, 2024, 7:01 PM IST

Milind Deorajoins Eknath Shinde Shiv Sena: କଂଗ୍ରେସ ଛାଡିଥିଲେ, ଶିବସେନାରେ ମିଶିଲେ ମିଲିନ୍ଦ ଦେଓରା । ଏକନାଥ ସିନ୍ଦଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ । ଅଧିକ ପଢନ୍ତୁ

କଂଗ୍ରେସ ଛାଡିଥିଲେ, ଶିବସେନାରେ ମିଶିଲେ ମିଲିନ୍ଦ ଦେଓରା
କଂଗ୍ରେସ ଛାଡିଥିଲେ, ଶିବସେନାରେ ମିଶିଲେ ମିଲିନ୍ଦ ଦେଓରା

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡିଥିବା ପୂର୍ବତନ ଲୋକସଭା ସାଂସଦ ମିଲିନ୍ଦ ଦେଓରା ଆଜି ଶିବସେନାରେ ସାମିଲ ହୋଇଛନ୍ତି । ସେ ଆଜି ପୂର୍ବାହ୍ନରେ କଂଗ୍ରେସ ସହ ତାଙ୍କର ଦୀର୍ଘ 55 ବର୍ଷର ସମ୍ପର୍କ ଛିନ୍ନ କରି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଛାଡିବା ପରେ ମିଲିନ୍ଦ ଦେଓରା ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ସେ ଆଜି ଅପରାହ୍ନରେ ଶିବସେନା (ସିନ୍ଦେ ଗୋଷ୍ଠୀ) ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନରେ ବିଧିବଦ୍ଧ ଭାବେ ଶିବସେନାରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ସ୍ବାଗତ କରିବା ସହ ତାଙ୍କ ଯୋଗଦାନ ଶିବସେନାକୁ ଆହୁରି ସୁଦୃଢ କରିବ ବୋଲି କହିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ତଥା ଗାନ୍ଧୀ ପରିବାର ବେଶ ଅନୁଗତ କୁହାଯାଉଥିବା ମୁରଲୀ ଦେଓରାଙ୍କ ପୁଅ ହେଉଛନ୍ତି ମିଲିନ୍ଦ ଦେଓରା । 2004 ଓ 2009 ସାଧାରଣ ନିର୍ବାଚନରେ ମିଲିନ୍ଦ କଂଗ୍ରେସ ଟିକେଟରୁ ମୁମ୍ବାଇ-ଦକ୍ଷିଣ ସଂସଦୀୟ ଆସନରୁ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । 2012 ରୁ 2014 ପର୍ଯ୍ୟନ୍ତ ସେ କଂଗ୍ରେସର ନେତୃତ୍ବାଧୀନ ମନମୋହନ ସିଂ ସରକାରରେ ଯୋଗାଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ରରେ ମନ୍ତ୍ରୀ ବ୍ୟତୀତ ସେ ସାଙ୍ଗଠିକ ଦାୟିତ୍ବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ । 2014 ଓ 2019 ସାଧାରଣ ନିର୍ବାଚନରେ ସେ ଶିବସେନା ନେତା ଅରବିନ୍ଦ ସାୱନ୍ତଙ୍କଠାରୁ ପରାସ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ମହାରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟକା, ହାତ ଛାଡିଲେ ମିଲିନ୍ଦ ଦେଓରା

କଂଗ୍ରେସ ଆଜିଠାରୁ ମଣିପୁରରେ ବିଜେପି ସରକାର ବିରୋଧରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ଦଳ ମଣିପୁରରୁ ଆରମ୍ଭ କରିଥିବା ଏହି ଯାତ୍ରା ମୁମ୍ବାଇରେ ଶେଷ କରିବ । ଏହି ଯାତ୍ରା ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ଅନ୍ଯତମ ବରିଷ୍ଠ ଚେହେରା ମିଳିନ୍ଦ ଦେଉରା ଆଜି ଦଳରୁ ଇସ୍ତଫା ଦେଇ ବିଜେପିର ସହଯୋଗୀ ଶିବସେନାରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରରେ କଂଗ୍ରେସ ମହାବିକାଶ ଅଗାଡି ମେଣ୍ଟରେ ସହଯୋଗୀ ରହିଛି । ହେଲେ ଶିବସେନାରୁ ପୃଥକ ହୋଇଥିବା ବିଦ୍ରୋହୀ ଦଳ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଗତ ସପ୍ତାହରେ ମହାରାଷ୍ଟ୍ର ବାଚସ୍ପତି ପ୍ରକୃତ ଶିବସେନା ବୋଲି ମାନ୍ୟତା ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.