ETV Bharat / politics

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲ୍ଟେଜ ପ୍ରଚାର; ବାରିପଦା-ରାଇରଙ୍ଗପୁରରେ ମାଗିଲେ ଭୋଟ - CM Naveen Patnaik in Mayurbhanj

author img

By ETV Bharat Odisha Team

Published : May 24, 2024, 6:03 PM IST

CM Naveen Patnaik Campaign in Mayurbhanj: ମୟୂରଭଞ୍ଜରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଇରଙ୍ଗପୁର ଓ ବାରିପଦାରେ ଜନସଭାକୁ କଲେ ସମ୍ବୋଧିତ । ଯୋଡ଼ି ଶଙ୍ଖକୁ ମାଗିଲେ ଭୋଟ । ଅଧିକ ପଢ଼ନ୍ତୁ

CM Naveen Patnaik Campaign in Mayurbhanj
CM Naveen Patnaik Campaign in Mayurbhanj (ETV Bharat Odisha)

ରାଇରଙ୍ଗପୁର: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦାରେ ଆୟୋଜିତ ଜନସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଜନତାଙ୍କର ସମର୍ଥନ ଲୋଡିଛନ୍ତି । ଉଭୟ ସଭାରେ ମଧ୍ୟ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜୁଲାଇ ମାସରୁ ବିଜୁଳି ବିଲ୍ ଛାଡ଼, ମିଶନ ଶକ୍ତି ମହିଳାଙ୍କୁ ଭତ୍ତା ପ୍ରଦାନ ଓ ସମସ୍ତଙ୍କୁ BSKY ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦୋହରାଇଥିଲେ । ଜନସାଧାରଣଙ୍କ ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ନିର୍ବାଚନ ମଣ୍ଡଳୀ ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡି ବିଜୟୀ ହେବ ଓ ପୁଣି ଷଷ୍ଠ ଥର ପାଇଁ ସରକାର ଗଠନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Patnaik Campaign in Mayurbhanj (ETV Bharat Odisha)

ଜୁହାର କରି ଆରମ୍ଭ କଲେ ଭାଷଣ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁରସ୍ଥିତ ମହୁଲଡିହା କ୍ରିକେଟ ପଡ଼ିଆରେ ଅପରାହ୍ନ ୧୧.୩୫ ସମୟରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । ସେଠାରୁ ପ୍ରଥମେ ଦାଣ୍ଡବୋଷ ଗାଁକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସେଠାରୁ ତାଙ୍କୁ ମହୁଲଡିହା କ୍ରିକେଟ ପଡିଆଠାରେ ଆୟୋଜିତ ନିର୍ବାଚନୀ ପ୍ରଚାର ସମାବେଶକୁ ପାଛୋଟି ଆଣିଥିଲେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ତଥା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁଙ୍କ ସମେତ ବରିଷ୍ଠ ବିଜେଡି ନେତା ଓ କର୍ମକର୍ତ୍ତା । ପରେ ନିଜର ଚିରାଚରିତ ଢଙ୍ଗରେ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ସର୍ବ ପ୍ରଥମେ ସମସ୍ତଙ୍କୁ ଜୁହାର କରି ପ୍ରଚଣ୍ଡ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ସରକାରର ସଫଳତା ସହିତ ଓଡ଼ିଶାର ବିକାଶଧାରାକୁ କିପରି ଆଗେଇ ନିଆଯାଇପାରିବ, ସେଥିପାଇଁ ଉପସ୍ଥିତ ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ସମ୍ବୋଧନ କଲେ: ରାଇରଙ୍ଗପୁରରେ ସଭା ମଞ୍ଚରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତିଙ୍କୁ ଭଉଣୀ ସମ୍ବୋଧନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ । ଗତ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲେ ବି ବିଜେଡି ନିଃସର୍ତ୍ତ ସମର୍ଥନ ଦେଇଥିଲା । ଏହା ପୂର୍ବରୁ ମଧ୍ୟ ଅନେକ ଥର ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ଓ ନିଜେ ରାଷ୍ଟ୍ରପତି ନବୀନଙ୍କୁ ନିଜ ଭାଇ ବୋଲି ସମ୍ବୋଧନ କରିଛନ୍ତି ।

ଯୋଡ଼ି ଶଙ୍ଖକୁ ମାଗିଲେ ଭୋଟ: ଓଡ଼ିଶାର ମାଆ ଭଉଣୀମାନଙ୍କୁ ପ୍ରାଥମିକତା ଦେଇ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା, ବିଜେଡି ସରକାର ପୁଣି ଥରେ ଆସିଲେ ମାଗଣା ବିଦ୍ୟୁତ ସେବା ଯୋଗାଇବା ସହ ମଧ୍ୟବିତ୍ତ ପରିବାର ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବା ଉପରେ ଗୁରୁତ୍ବ ଦେଇଥିଲେ ନବୀନ ପଟ୍ଟନାୟକ । ବିଜେଡି ସମୟରେ ବିକାଶ ହୋଇଛି କି ? ଶଙ୍ଖ ଚିହ୍ନ ଭଲ କି ? ବିଜେଡି ସରକାର ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ଆଦି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପଚାରିବାରୁ ତାହାର ଉତ୍ତର ଉପସ୍ଥିତ ଜନସାଧାରଣ ହଁରେ ଦେଇଥିଲେ । ପରେ ସମସ୍ତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଓ ସାରସକଣା ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡିଙ୍କୁ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ତେବେ ଚଳିତ ନିର୍ବାଚନରେ ବିରୋଧୀ ଦଳକୁ ଭୋଟର କଡ଼ା ଜବାବ ଦେବେ ବୋଲି କହିଛନ୍ତି ନବୀନ । ଏଥି ସହିତ ଭିକେ ପାଣ୍ଡିଆନ ମଧ୍ୟ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ନବୀନ ସରକାରଙ୍କ ଲୋକପ୍ରିୟତା ଓ ବିଭିନ୍ନ ଜନହିତକର ଯୋଜନା ସବୁ ବଖାଣିବା ସହିତ ବହୁ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବାକୁ ଜନସାଧାରଣଙ୍କ ନିକଟରେ ନିବେଦନ କରିଥିଲେ । ତେବେ ଆଜିର ରାଇରଙ୍ଗପୁର ସଭାରେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ସାରସକଣା ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମିଛ କହିବାର ଗୋଟେ ସୀମା ଅଛି, ଦେଖନ୍ତୁ ମୁଁ ସମ୍ପୂର୍ଣ୍ଣ ଫିଟ୍‌: ନବୀନ - Naveen Patnaik to BJP

ଏଠାରୁ ସମାବେଶ ସାରି ବାରିପଦା ଅଭିମୁଖେ ପ୍ରସ୍ଥାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ମଧ୍ୟ ଛଉ ପଡ଼ିଆ ନିକଟରେ ଆୟୋଜିତ ସମାବେଶରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଉଦ‌ବୋଧନ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ । ବାରିପଦାଠାରେ ଆୟୋଜିତ ସଭାରେ ମୋରୋଡା ବିଧାୟିକା ପ୍ରାର୍ଥୀନୀ ପ୍ରିତୀନନ୍ଦା କାନୁନଗୋ, ବାଙ୍ଗିରିପୋଷି ବିଧାୟିକା ପ୍ରାର୍ଥୀନୀ ରଞ୍ଜିତା ମାରାଣ୍ଡି, ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି, ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କ ସମେତ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.