ETV Bharat / bharat

80 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ, କାଲି ଗୁଜୁରାଟରେ ପହଞ୍ଚିବେ

author img

By ETV Bharat Odisha Team

Published : Nov 9, 2023, 9:56 PM IST

80 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ । କାଲି ଓ୍ବାଘା-ଅଟ୍ଟାରୀ ବର୍ଡରରେ ଭାରତକୁ ହେବେ ହସ୍ତାନ୍ତର । ତିନି ବର୍ଷ ପୂର୍ବେ ଗୁଜୁରାଟ ଉପକୂଳରୁ ଗିରଫ କରିନେଇଥିଲା ପାକିସ୍ତାନ । ଅଧିକ ପଢନ୍ତୁ

80 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ, କାଲି ଗୁଜୁରାଟରେ ପହଞ୍ଚିବେ
80 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ, କାଲି ଗୁଜୁରାଟରେ ପହଞ୍ଚିବେ

ଅହମ୍ମଦାବାଦ/ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ଗିରଫ ହୋଇ ପାକିସ୍ତାନ ଜେଲରେ ବନ୍ଦୀ ଥିବା 80 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ପାକିସ୍ତାନ । ଏମାନେ ସମସ୍ତେ ଗୁଜୁରାଟର ବାସିନ୍ଦା । ପାକିସ୍ତାନର ଏକାଧିକ ଜେଲରେ ଏମାନେ ଗତ 3 ବର୍ଷ ଧରି ବନ୍ଦୀ ଥିଲେ । ଏମାନଙ୍କୁ ଆଜି ମୁକ୍ତ କରାଯାଇଥିବା ବେଳେ ସେମାନେ ଆସନ୍ତାକାଲି ଓ୍ବାଘା-ଅଟ୍ଟରୀ ଅନ୍ତର୍ଜାତୀୟ ବର୍ଡରରେ ଭାରତକୁ ହସ୍ତାନ୍ତରିତ ହେବେ । ଗୁଜୁରାଟ ମତ୍ସ୍ୟ ବିଭାଗ ଟିମ ଏମାନଙ୍କୁ ଗ୍ରହଣ କରି ଗୁଜୁରାଟ ଆଣିବ । ପରେ ଆବଶ୍ୟକ ପ୍ରୋଟୋକଲ ଅନୁପାଳନ କରାଯାଇ ସେମାନଙ୍କୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବା ନେଇ ଗୁଜୁରାଟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଗୁଜୁରାଟ ଫିସେରୀ କମିଶନର ନୀତିନ ସଙ୍ଗଓ୍ବାନ କହିଛନ୍ତି, ଏହି 80 ମତ୍ସ୍ୟଜୀବୀଙ୍କୁ ଗତ 3 ବର୍ଷ ପୂର୍ବରୁ ପାକିସ୍ତାନ ସେନା ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ଗିରଫ କରିନେଇଥିଲା । ଏମାନେ ଗୁଜୁରାଟର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ । ଏମାନେ ପ୍ରାୟ 3 ବର୍ଷ ଧରି ପାକିସ୍ତାନ ଜେଲରେ ରହିଥିଲେ । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଗୁଜୁରାଟ ଓ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବେ ସେମାନଙ୍କୁ ପାକିସ୍ତାନ ମୁକ୍ତ କରିଛି । ଓ୍ବାଘା- ଅଟ୍ଟାରୀ ବର୍ଡରରେ ସମସ୍ତଙ୍କୁ ଗ୍ରହଣ କରାଯିବା ପରେ ଟ୍ରେନ ଯୋଗେ ଅହମ୍ମଦାବାଦ ଅଣାଯିବ ।

ଏହା ମଧ୍ୟ ପଢନ୍ତୁ :- MP Assembly polls: 87% BJP ପ୍ରାର୍ଥୀ କୋଟିପତି, 53% କଂଗ୍ରେସ ପ୍ରାର୍ଥଙ୍କ ନାମରେ ଅପରାଧିକ ମାମଲା

ଏବେ ସୁଦ୍ଧା ପାକିସ୍ତାନର ଏକାଧିକ ଜେଲରେ ପ୍ରାୟ 173 ଜଣ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଭାବେ ରହିଛନ୍ତି । ଏମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ନିରନ୍ତର ପ୍ରୟାସ ମଧ୍ୟ ଜାରି ରହିଛି । ନିକଟ କିଛି ବର୍ଷ ମଧ୍ୟରେ ପାକିସ୍ତାନରୁ ପ୍ରାୟ 4 ଶହ ଭାରତୀୟ ମତ୍ସ୍ୟଜୀବୀ ମୁକ୍ତ ହୋଇ ଭାରତ ଫେରିଛନ୍ତି । ଭାରତ ମଧ୍ୟ କେତକ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି । ଉଭୟ ଦେଶ ମଧ୍ୟରେ ବନ୍ଦୀ ମତ୍ସ୍ୟଜୀବୀଙ୍କ ମୁକ୍ତି ପାଇଁ ଦ୍ବିପାକ୍ଷିକ ପ୍ରକ୍ରିୟା ଜାରି ରହିଛି । ଗୁଜୁରାଟ ଓ କରାଚି ମଧ୍ୟରେ ଅନ୍ତର୍ଜାତୀୟ ଜଳସୀମାରେ ଦୁଇ ଦେଶର ମତ୍ସ୍ୟଜୀବୀ ପରସ୍ପର ସେନା ଦ୍ବାରା ଗିରଫ ହୋଇଥାନ୍ତି । ଅନେକ ସମୟରେ ଏମାନେ ସୀମା ଜାଣିନପାରି ଅନୁପ୍ରବେଶ କରିଥିବା ଜଣାପଡେ । ଅନ୍ୟ କିଛି ମାମଲାରେ ନିଶା କାରବାର ଘଟଣା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.