ETV Bharat / bharat

Wrestlers Sexual Harassment Case: ଜୁଲାଇ ପହିଲାରେ ବ୍ରିଜଭୂଷଣଙ୍କ ବିରୋଧରେ ଦାଖଲ ଚାର୍ଜସିଟର ଶୁଣାଣି

author img

By

Published : Jun 27, 2023, 7:06 PM IST

ଜୁଲାଇ ପହିଲାରେ ବ୍ରିଜଭୂଷଣଙ୍କ ବିରୋଧରେ ଦାଖଲ ଚାର୍ଜସିଟର ଶୁଣାଣି କରିବେ ରାଉଜ ଆଭିନ୍ୟୁ କୋର୍ଟ । 15 ତାରିଖରେ 1000 ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ଦିଲ୍ଲୀ ପୋଲିସ । ପକ୍ସୋ ଆକ୍ଟକୁ କରାଯାଇଛି ପ୍ରତ୍ୟାହାର । ଅଧିକ ପଢନ୍ତୁ

Wrestlers sexual harassment case: ଜୁଲାଇ ପହିଲାରେ ବ୍ରିଜଭୂଷଣଙ୍କ ବିରୋଧରେ ଦାଖଲ ଚାର୍ଜସିଟର ଶୁଣାଣି
Wrestlers sexual harassment case: ଜୁଲାଇ ପହିଲାରେ ବ୍ରିଜଭୂଷଣଙ୍କ ବିରୋଧରେ ଦାଖଲ ଚାର୍ଜସିଟର ଶୁଣାଣି

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସିଟର ଜୁଲାଇ ପହିଲାରେ ଶୁଣାଣି ହେବ । ଏନେଇ ରାଉଜ ଆଭିନ୍ୟୁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ଚଳିତ ମାସ 15 ତାରିଖରେ ଦିଲ୍ଲୀ ପୋଲିସ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିସାରିଛି । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ହରଜିତ ସିଂ ଜଶପାଲ କହିଛନ୍ତି, ଏହି ଚାର୍ଜସିଟ ଏକ ଦୀର୍ଘ ଚାର୍ଜସିଟ । ତେଣୁ ଏହାର ତର୍ଜମା ଅଧିକ ସମୟ ସାପେକ୍ଷ । ଏହି ମାମଲାର ତଦନ୍ତକୁ ଅନୁଧ୍ୟାନ କରିବା ପାଇଁ ହୋଇଥିବା ମାମଲାକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ଆବଶ୍ୟକ ହେଲେ ଏହା ଉପରେ ବିଚାର କରାଯାଇ ପାରେ ବୋଲି କୋର୍ଟ କହିଛନ୍ତି ।

ଜୁନ 15 ତାରିଖରେ ଦୀର୍ଘ 1000 ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ଦିଲ୍ଲୀ ପୋଲିସ । ଏଥିରେ ପୂର୍ବରୁ ବ୍ରିଜଭୂଷଣଙ୍କ ବିରୋଧରେ ଲଗାଯାଇଥିବା ପକ୍ସୋ ଆକ୍ଟକୁ ପ୍ରତ୍ୟାହାର କରାଯାଇଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା । ଅଭିଯୋଗକାରୀଙ୍କ ମଧ୍ୟରେ ଥିବା ଜଣେମାତ୍ର ନାବାଳିକା କୁସ୍ତିଯୋଦ୍ଧା ନିଜ ଅଭିଯୋଗରେ ପରିବର୍ତ୍ତନ କରି ନୂତନ ବୟାନ ରେକର୍ଡ ପରେ ବ୍ରିଜଭୂଷଣଙ୍କ ବିରୋଧରେ ପକ୍ସୋ ଆକ୍ଟକୁ ପୋଲିସ ହଟାଇ ଦେଇଥିଲା । ସ୍ବତନ୍ତ୍ର ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବଙ୍କ ସୂଚନା ଅନୁସାରେ ଆଇପିସିର ଧାରା 354, 354 -D, 345-A ଏବଂ 506 (1) ଅନୁଯାୟୀ ଚାର୍ଜସିଟ ଦାଖଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- WFI Controversy: ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, 1000 ପୃଷ୍ଠାର ଚାର୍ଜ୍‌ସିଟ୍‌ ଦାଖଲ

ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ ସୁଦ୍ଧା ପୋଲିସ ପୋକ୍ସୋ ଆକ୍ଟ ମାମଲାରେ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବ୍ରଜିଭୂଷଣଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା । ନାବାଳିକା ଓ ତାଙ୍କ ବାପା ମତ ବଦଳାଇଥିବାରୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ମିଳିଥିଲା । ମୋଟ 7 ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗରେ ଦୁଇଟି କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । 6 ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ କୋର୍ଟରେ ଗୋଟିଏ ଚାର୍ଜସିଟରେ ଦାଖଲ ହୋଇଥିବା ବେଳେ ଦ୍ବିତୀୟ ଚାର୍ଜସିଟଟି ନାବାଳିକାଙ୍କ ଅଭିଯୋଗ ମାମଲାରେ ଦାଖଲ ହୋଇଥିଲା ।

ଚଳିତ ମାସ (ଜୁନ) 7 ତାରିଖରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆଲୋଚନା କରିଥିଲେ । ଜୁନ୍‌ 15 ତାରିଖରେ ବ୍ରିଜଭୂଷଣଙ୍କ ନାମରେ ଚାର୍ଜସିଟ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଜୁନ୍‌ 15 ତାରିଖ ଯାଏ ଆନ୍ଦୋଳନକୁ ସ୍ଥଗିତ କୁସ୍ତିଯୋଦ୍ଧା କରିଥିଲେ । ଦିଲ୍ଲୀ ପୋଲିସ ମଧ୍ୟ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରିଥିଲା । ଏବେ ଏହି ମାମଲାର ଶୁଣାଣି ଜୁଲାଇ ପହିଲାରେ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.