ETV Bharat / bharat

Maharashtra: ୩୬ ଘଣ୍ଟାରେ ଗଲାଣି ୩୧ ରୋଗୀଙ୍କ ଜୀବନ, ଡିନ୍‌ଙ୍କୁ ଶୌଚାଳୟ ସଫା କରାଇଲେ ସାଂସଦ !

author img

By ETV Bharat Odisha Team

Published : Oct 3, 2023, 9:54 PM IST

Maharashtra: ୩୬ ଘଣ୍ଟାରେ ପ୍ରାଣ ହରାଇଥିଲେ ୩୧ ରୋଗୀ, ଡିନଙ୍କୁ ଶୌଚାଳୟ ସଫା କରାଇଲେ ସାଂସଦ !
Maharashtra: ୩୬ ଘଣ୍ଟାରେ ପ୍ରାଣ ହରାଇଥିଲେ ୩୧ ରୋଗୀ, ଡିନଙ୍କୁ ଶୌଚାଳୟ ସଫା କରାଇଲେ ସାଂସଦ !

ମହାରାଷ୍ଟ୍ରରେ ରୋଗୀ ମୃତ୍ୟୁ ପରେ ନନ୍ଦେଡ ସରକାରୀ ହସ୍ପିଟାଲରେ ପହଞ୍ଚିଲେ ସ୍ଥାନୀୟ ସାଂସଦ । ଡିନ୍‌ଙ୍କ ଦ୍ବାରା ସଫା କରାଇଲେ ଶୌଚାଳୟ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ଦୁଇଟି ସରକାରୀ ହସ୍ପିଟାଲରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ୪୯ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହେବାକୁ ନେଇ ରାଜ୍ୟର ସ୍ବାସ୍ଥ୍ୟ ସେବା ଓ ଭିତ୍ତିଭୂମି ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ସର୍ବାଧିକ ୩୬ ଘଣ୍ଟା ମଧ୍ୟରେ ୩୧ ରୋଗୀଙ୍କ ମୃତ୍ୟୁ ହୋଇଥିବା ନନ୍ଦେଡ ହସ୍ପିଟାଲ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଛି । ରୋଗୀ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ସାଂସଦ ହସ୍ପିଟାଲରେ ପହଞ୍ଚି ସ୍ଥିତି ପରଖିଥିଲେ । ଡିନଙ୍କୁ ଶୌଚାଳୟ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡିନ୍‌ ମଧ୍ୟ ଶୌଚାଳୟ ସଫା କରିଥିଲେ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଶାସନରେ ଥିବା ଶିବସେନାର ସାଂସଦ ହେମନ୍ତ ପାଟିଲ ଆଜି(ମଙ୍ଗଳବାର) ଅପରାହ୍ନରେ ହସ୍ପିଟାଲରେ ପହଞ୍ଚିଥିଲେ । ସେ ସେଠାରେ ସ୍ଥିତି ସମୀକ୍ଷା କରିବା ସହ ଆବର୍ଜନା ଓ ଅପରିଚ୍ଛନ୍ନତା ଦେଖି ବିରକ୍ତି ପ୍ରକାଶ କରିଥିଲେ । ହସ୍ପିଟାଲ ପରିସରରେ ଥିବା ଏକ ଶୌଚାଳୟକୁ ସେ ଡିନଙ୍କ ଦ୍ବାରା ସଫା କରାଇଥିବା କୁହାଯାଉଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ନିକଟରେ ସାଂସଦ ଛିଡା ହୋଇ ନିଜେ ପାଇପରେ ପାଣି ଚଳାଉଥିବା ବେଳେ ଡିନ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଛି । ସାଂସଦ ଅନ୍ୟ ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ସ୍ବଚ୍ଛ୍ବତା ନେଇ ବିରକ୍ତି ଭାବ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମଧ୍ୟ ସାଂସଦ ଚେତାବନୀ ଦେଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Maharashtra: ନନ୍ଦେଡ ପରେ ସାମ୍ଭାଜୀନଗର, 48 ଘଣ୍ଟାରେ 2 ସରକାରୀ ହସ୍ପିଟାଲରେ ୪୯ ମୃତ

ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ସରକାରୀ ହସ୍ପିଟାଲରେ ୪୯ ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତକାଲି (ସୋମବାର) ନନ୍ଦେଡ ସରକାରୀ ହସ୍ପିଟାଲରେ ୧୨ ଜଣ ନବଜାତକଙ୍କ ସହ ୨୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ପୁନଶ୍ଚ ଗତକାଲି ଠାରୁ ଆଜି ମଧ୍ୟାହ୍ନ ମଧ୍ୟରେ ସାମ୍ଭାଜୀନଗରର ଏକ ସରକାରୀ ହସ୍ପିଟାଲରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲରେ ଜୁରୁରୀ ଔଷଧ ମହଜୁଦ ନଥିବା କାରଣରୁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି । ହେଲେ ଏହାକୁ ଉଭୟ ହସ୍ପିଟାଲର କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ହସ୍ପିଟାଲର ସର୍ବାଧିକ କ୍ଷମତାଠାରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କଥା କହିଛନ୍ତି । ଅନ୍ୟପଟେ ଏହି ଖବର ପ୍ରସାରିତ ହେବା ପରେ ତମାମ ଜନପ୍ରତିନିଧି ହସ୍ପିଟାଲ ଗସ୍ତ କରି ସ୍ଥିତି ସମୀକ୍ଷା କରିବାରେ ଲାଗିଛନ୍ତି । ରାଜ୍ୟରେ ରାଜନୀତି ମଧ୍ୟ ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.