ETV Bharat / bharat

ପତ୍ନୀ ବାପଘରକୁ ଯିବା ପରେ ଅବସାଦଗ୍ରସ୍ତ ପିତା, ଝିଅକୁ ପିଟି ପିଟି କଲା ହତ୍ୟା

author img

By

Published : Jul 9, 2023, 6:07 PM IST

ପତ୍ନୀ ବାପଘରକୁ ଯିବା ପରେ ଅବସାଦଗ୍ରସ୍ତ ପିତାର ନାରକୀୟ କାଣ୍ଡ । ନିଜ ଝିଅକୁ ପିଟି ପିଟି କଲା ହତ୍ୟା । ଅଧିକ ପଢନ୍ତୁ

Etv Bharat
Etv Bharat

ଚଣ୍ଡିଗଡ଼: ପିତା ନିଜ ସନ୍ତାନକୁ ସବୁ ବିପଦରୁ ରକ୍ଷା କରିଥାଏ । ହେଲେ ଏଠାରେ ରକ୍ଷକ ସାଜିଛି ଭକ୍ଷକ । ନିଜ 12 ବର୍ଷର ଝିଅକୁ ପିଟି ପିଟି ହତ୍ୟା କରିଛି ପିତା । ଅଭିଯୁକ୍ତର ପତ୍ନୀ ବାପଘରକୁ ଯିବା ପରେ ସେ ଅବସାଦଗ୍ରସ୍ତ ଥିଲା ଏବଂ ମାଆ କେବେ ଘରକୁ ଆସିବ ବୋଲି ଝିଅକୁ ବାରମ୍ବାର ପଚାରି ଆସୁଥିଲା । ହେଲେ ଏ ସମ୍ପର୍କରେ ଝିଅ କିଛି ଜାଣିନଥିବା କହିବା ପରେ ଏଥିରେ କ୍ରୋଧିତ ହୋଇପଡ଼ିଥିଲା ଅଭିଯୁକ୍ତ । ଏହାପରେ ନିଜ ଝିଅର ସାଜିଲା ହତ୍ୟାକାରୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ହରିୟାଣା ପାନିପତ ଅଞ୍ଚଳରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପାନିପତ ଉଝା ଗାଁର ଅଧିବାସୀ ରିଙ୍କୁ ବୋଲି ଜଣାପଡ଼ିଛି । ରିଙ୍କୁ ଓ ପତ୍ନୀ ରିମ୍ପି ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହୋଇଥିଲା । ଏହାପରେ ପତ୍ନୀ ରିମ୍ପି ରାଗି ଯାଇ ନିଜ ବାପଘର ପଞ୍ଜାବର ରାଜପୁରାକୁ ଚାଲିଯାଇଥିଲା । ଏହାପରେ ରିଙ୍କୁ ନିଜ 12 ବର୍ଷର ଝିଅ ଓ ବୃଦ୍ଧା ମାଆ କିଶୋରି ବାଈଙ୍କ ସହିତ ଘରେ ରହୁଥିଲା । ରିଙ୍କୁ ପତ୍ନୀ ସମ୍ବନ୍ଧରେ ଝିଅକୁ ବାରମ୍ବାର ପଚାରୁଥିଲା । ହେଲେ କୁନି ଝିଅଟି ଏ ସମ୍ପର୍କରେ କିଛି ଜାଣିନଥିବା କହି ଆସୁଥିଲା । ଗତକାଲି ରାତି ପ୍ରାୟ 12ଟା ସମୟରେ ରିଙ୍କୁ ମଦ ପିଇ ଘରକୁ ଆସିଥିଲା ଏବଂ ଶୋଇଥିବା ଝିଅକୁ ଡାକି ପୁଣି ମାଆ ସମ୍ପର୍କରେ ପଚାରିଥିଲା । ପୂର୍ବଭଳି ଝିଅ କିଛି ଜାଣିନଥିବା କହିଥିଲା ।

ଏହା ବି ପଢନ୍ତୁ- ଝାରସୁଗୁଡ଼ାରେ ପୁଣି ବିଭତ୍ସ ହତ୍ୟାକାଣ୍ଡ, ମାଂସ ଦୋକାନୀଙ୍କୁ ପିଟିପିଟି ହତ୍ୟା କଲେ ମହିଳା

ଫୋନରେ ମାଆ ସହିତ କିଛି ବାର୍ତ୍ତାଳାପ ହୋଇଛି କି ନାହିଁ ବୋଲି ଅଭିଯୁକ୍ତ ରିଙ୍କୁ ପଚାରିଥିଲା । ଝିଅ ହରପ୍ରୀତ ଏ ନେଇ କିଛି ଜାଣିନଥିବା କହିଥିଲା । ଏହାପରେ ନିଶାସକ୍ତ ଅବସ୍ଥାରେ ହରପ୍ରୀତର ମୃତ୍ୟୁ ହେବା ପର୍ଯ୍ୟନ୍ତ ନିର୍ଦ୍ଦୟ ଭାବେ ଝିଅକୁ ପିଟିଥିଲା ଅଭିଯୁକ୍ତ ରିଙ୍କୁ । ଏହି ସମୟରେ ନାତୁଣୀକୁ ବଞ୍ଚାଇବା ଲାଗି କିଶୋରି ବାଈ ବହୁ ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ । ଏହାପରେ ବୃଦ୍ଧା ଜଣକ ଅଭିଯୁକ୍ତ ରିଙ୍କୁର ବନ୍ଧୁ ଘରକୁ ଯାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ହେଲେ ସେମାନେ ପହଞ୍ଚିବା ପୂର୍ବରୁ ହରପ୍ରୀତର ମୃତ୍ୟୁ ହୋଇସାରିଥିଲା ।

ଏହାପରେ ରିଙ୍କୁର ବନ୍ଧୁ ପୋଲିସକୁ ଏ ନେଇ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହରପ୍ରୀତର ମୃତଦେହକୁ ଜବତ କରିବା ସହ ରିଙ୍କୁକୁ ହେପାଜତକୁ ନେଇଛି । ଏ ନେଇ ଚାନ୍ଦନି ବାଗ ଥାନା ଅଧିକାରୀ ସୁନିଲ କୁମାର କହିଛନ୍ତି, "ଅଭିଯୁକ୍ତ ରିଙ୍କୁର ବନ୍ଧୁଙ୍କ କହିବା ଅନୁସାରେ ରିଙ୍କୁର ପତ୍ନୀ ବାପଘରକୁ ଯିବା ପରେ ସେ ଡିପ୍ରେସନରେ ରହୁଥିଲେ । ପତ୍ନୀର ଅନୁପସ୍ଥିତିରେ ରିଙ୍କୁ ପ୍ରାୟ ଅଧିକାଂଶ ସମୟ ନିଜ ସନ୍ତାନଙ୍କୁ ମାରପିଟ କରୁଥିଲା । ଗତକାଲି ଅଭିଯୁକ୍ତ ହରିପ୍ରୀତକୁ ମୃତ୍ୟୁ ପର୍ଯ୍ୟନ୍ତ ମାଡ଼ ମାରିଥିଲା । ଏବେ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରାଯାଉଛି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.