ETV Bharat / bharat

Sikkim Flood: ହଜାରେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 6, 2023, 4:57 PM IST

Sikkim Flood
Sikkim Flood

ସିକ୍କିମରେ ପ୍ରକୃତିର କରାଳ ରୂପ । ହଜାରେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ

ଗାଙ୍ଗଟକ୍‌: ବାଦଲଫଟା ବର୍ଷା ଓ ବନ୍ୟା ଫଳରେ ସିକ୍କିମରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଏଯାବତ 22 ଜଣଙ୍କ ଜୀବନ ଯାଇଥିବା ବେଳେ 103 ଜଣ ନିଖୋଜ ଅଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି କ୍ଷୟକ୍ଷତି ରିପୋର୍ଟ । ସିକ୍କିମ ମୁ୍ଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ କହିବା ଅନୁସାରେ ରାଜ୍ୟରେ ହଜାରେ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ଗତ ବୁଧବାର ସିକ୍କିମର ଉତ୍ତରାଞ୍ଚଳ ଲୋହନକ ହ୍ରଦରେ ବାଦଲଫଟା ବର୍ଷା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯବାନ ଶହୀଦ: ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର, କାଲି ପହଞ୍ଚିବ ପାର୍ଥିବ ଶରୀର

ଶୁକ୍ରବାର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ପାକୟୋଙ୍ଗ ଜିଲ୍ଲାର ରାଙ୍ଗପୋ ଟାଉନ୍‌ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ କ୍ୟାମ୍ପରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ରିଲିଫ କ୍ୟାମ୍ପ ବୁଲିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,"ଏହି ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ହଜାରେରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ତେବେ ଏନେଇ ଏକ କମିଟି ଗଠନ କରାଯିବ । କମିଟିର ରିପୋର୍ଟ ପରେ ଏହାର ତଥ୍ୟ ପ୍ରଦାନ କରାଯିବ । ତେବେ ଏଭଳି ସ୍ଥିତିରେ ଆମର ପ୍ରାଥମିକତା ରହିବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବା ।"

ଏହା ବି ପଢନ୍ତୁ- Sikkim flash floods: ଜଲପାଇଗୁଡିର ତିସ୍ତା ନଦୀରୁ ୧୭ ମୃତଦେହ ଉଦ୍ଧାର, ଚିହ୍ନଟ ପ୍ରକ୍ରିୟା ଜାରି

ସିକ୍କିମ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ବନ୍ୟା ଯୋଗୁଁ କେତେକ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଜ୍ୟର ଉତ୍ତରାଞ୍ଚଳରେ ଯୋଗାଯୋଗ ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି । ପ୍ରକୃତିର କୋପରେ ପ୍ରାୟ 25 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ଏଭଳି ସ୍ଥିତିର ସମୀକ୍ଷା କରିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ । କେନ୍ଦ୍ର ପକ୍ଷରୁ ଆର୍ଥିକ ସହାଯତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିବା ବେଳେ ଶାହ 44.8 କୋଟି ଟଙ୍କା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF)କୁ ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ- ସିକ୍କିମରେ ପ୍ରକୃତିର କୋପ; ବନ୍ୟାରେ ଗଲାଣି ୧୪ ଜୀବନ, ଏବେ ବି ୧୦୨ ନିଖୋଜ

ସୂଚନା ଥାଉ କି ସିକ୍କିମର ମୁଖ୍ୟ ଶାସନ ସଚିବ ଭିବି ପାଠକଙ୍କ ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତି ୧୦ଟା ୪୨ ସମୟରେ ଲୋହନକ ହ୍ରଦରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଏହାର ବନ୍ଧରେ ଘାଇ ସୃଷ୍ଟି ହେବା ସହ ତିସ୍ତା ନଦୀରେ ଅଚାନକ ବନ୍ୟା ଆସିଥିଲା । ଚୁଙ୍ଗଥାଙ୍ଗ ସ୍ଥିତ ତିସ୍ତା ଡ୍ୟାମରେ 12ରୁ 14 ଜଣ ଶ୍ରମିକ କାମ କରୁଥିବା ବେଳେ ବନ୍ୟା ଆସିବା ଯୋଗୁଁ ସମସ୍ତେ ସେଠାରେ ଫସି ଯାଇଥିଲେ । ସେହିପରି ବାରଦାଙ୍ଗ ଅଞ୍ଚଳରେ ଏବେ ବି 22 ଯବାନ ନିଖୋଜ ହୋଇଯାଇଥିଲେ । ଏଥିରେ ଥିବା ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.