ETV Bharat / bharat

ରିଜର୍ଭ ବ୍ୟାଙ୍କକୁ ଉଡାଇବାକୁ ଧମକ, ଶକ୍ତିକାନ୍ତ-ସୀତାରମଣଙ୍କ ଇସ୍ତଫା ଦାବି

author img

By ETV Bharat Odisha Team

Published : Dec 27, 2023, 7:33 AM IST

Updated : Dec 27, 2023, 9:19 AM IST

RBI Receives Bomb Threat Email: ରିଜର୍ଭ ବ୍ୟାଙ୍କକୁ ବୋମାର ଉଡାଇବାକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା ଦାବିରେ ବିସ୍ଫୋରଣ ଧମକ ମିଳିଛି । ଅଧିକ ପଢ଼ନ୍ତୁ

ରିଜର୍ଭ ବ୍ୟାଙ୍କକୁ ଉଡାଇବାକୁ ଧମକ
ରିଜର୍ଭ ବ୍ୟାଙ୍କକୁ ଉଡାଇବାକୁ ଧମକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ (RBI) ବୋମାରେ ଉଡ଼ାଇଦେବାକୁ ଧମକ । ଆରବିଆଇ ସମେତ ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କଙ୍କୁ ବିସ୍ଫୋରଣ ଧମକ ମିଳିଛି । ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ଇ-ମେଲକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି । କେବଳ ସେତିକି ନୁହେଁ, ମୁମ୍ବାଇ ସହରର ୧୧ଟି ସ୍ଥାନରେ ବୋମା ଖଞ୍ଜାଯାଇଥିବା ମଧ୍ୟ ଧମକ ଦିଆଯାଇଛି । ଇ-ମେଲ କରିଥିବା ଅଜ୍ଞାତ ବ୍ୟକ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଇସ୍ତଫା ଦାବି କରି ଏହି ବିସ୍ଫୋରଣ ଧମକ ଦେଇଛି ।

ଇସ୍ତଫା ଦିଅନ୍ତୁ ନଚେତ୍ ଉଡାଇଦେବୁ: ମଙ୍ଗଳବାର ଦିନ ୧୦ଟା ୫୦ ମିନିଟ୍ ସମୟରେ ଖଲିଫାତ ଇଣ୍ଡିଆ ନାଁରେ ଏହି ଇ-ମେଲ ରିଜର୍ଭ ବ୍ୟାଙ୍କକୁ ଆସିଛି । ଇ-ମେଲ ଆଇଡି ନାଁ Khalifatindia@gmail.com ରହିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ମୁମ୍ବାଇରେ ଆତଙ୍କଜନକ ସ୍ଥିତି ଖେଳି ଯାଇଥିଲା । ଉକ୍ତ ଇ-ମେଲରେ ଉଲ୍ଲେଖ କରାଯାଇଛି, ''ବୁଧବାର ସାଢ଼େ ୧ଟା ସମୟରେ ମୁମ୍ବାଇର ୧୧ଟି ସ୍ଥାନରେ ବୋମା ବିସ୍ଫୋରଣ କରାଯିବ । ସେଥିମଧ୍ୟରୁ ୩ଟି ବୋମା ମୁମ୍ବାଇ ସ୍ଥିତି ରିଜର୍ଭ ବ୍ୟାଙ୍କ ଅଫିସ, ଚର୍ଚ୍ଚଗେଟ୍‌ ସ୍ଥିତ ଏଚଡିଏଫସି ହାଉସ ଏବଂ ଆଇସିଆଇସିଆଇ ବ୍ୟାଙ୍କ୍‌ ଟାୱାରରେ ଫୁଟିବ । ଆମେ ଉଭୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦାବି କରୁଛୁ । ଉଭୟ ଇସ୍ତଫା ଦିଅନ୍ତୁ ଏବଂ ଏହାର ଏକ ପ୍ରେସ୍‌ ବିବୃତ୍ତି ମଧ୍ୟ ଜାରି କରନ୍ତୁ ।''

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ଦୂତାବାସକୁ ବୋମାରେ ଉଡାଇବାକୁ ଧମକ, ଘଟଣାସ୍ଥଳରେ ଯାଞ୍ଚ ଆରମ୍ଭ

ଇ-ମେଲ୍‌ରେ ଦାବି କରାଯାଇଛି ଯେ, ଦୁହେଁ ଆର୍‌ବିଆଇ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ ବଡ଼ କେଳେଙ୍କାରୀରେ ଜଡ଼ିତ । ସରକାର ଏହି ଦୁଇ ଜଣଙ୍କ ସମେତ ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯଦି ଅପରାହ୍ଣ ସାଢ଼େ ୧ଟା ମଧ୍ୟରେ ଆମର ଦାବି ପୂରଣ ନହୁଏ ତାହାହେଲେ ଗୋଟିଏ ପରେ ଗୋଟିଏ ସ୍ଥାନକୁ ବୋମାରେ ଉଡାଇ ଦେବୁ । ତେବେ ଏହି ଧମକ କିଏ ଓ କାହିଁକି ଦେଇଥିଲା ସେନେଇ କିଛି ଜଣାପଡ଼ିନି । ମୁମ୍ବାଇ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଛାନଭିନ ଆରମ୍ଭ କରିଛି ।

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ: ସେହିପରି ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ କାହାରି କିଛି କ୍ଷତି ହୋଇନି । ଦୂତାବାସର ସବୁ କର୍ମଚାରୀ ଏବଂ କୂଟନୀତିଜ୍ଞମାନେ ସୁରକ୍ଷିତ ଥିବା ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସନ୍ଧ୍ୟା ପାଖାପାଖି ୫ଟା ବେଳେ ଏହି ବିସ୍ଫୋରଣ ହୋଇଛି ।

Last Updated :Dec 27, 2023, 9:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.