ETV Bharat / bharat

Himachal Rains: ଗଲାଣି ୨୦୦ ଜଣଙ୍କ ଜୀବନ, ଏବେ ବି ୩୧ ନିଖୋଜ

author img

By

Published : Aug 4, 2023, 4:56 PM IST

Etv Bharat
Etv Bharat

ହିମାଚଳ ପ୍ରଦେଶ ବର୍ଷା ବିତ୍ପାତରେ ଆସିଲା ସରକାରଙ୍କ କ୍ଷୟକ୍ଷତି ରିପୋର୍ଟ । ଏଯାବତ ୨୦୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୬୫୬୩.୫୮ କୋଟି ମୂଲ୍ୟର ଭିତ୍ତିଭୂମି ନଷ୍ଟ ହୋଇଛି । ଅଧିକ ପଢନ୍ତୁ

ସିମଲା: ଲଗାଣ ବର୍ଷା ଫଳରେ ନିକଟରେ ହିମାଚଳ ପ୍ରଦେଶରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା । ଜଳ ପ୍ରଳୟରେ ଅନେକ ପ୍ରଭାବିତ ହୋଇଥିଲେ । ତେବେ ଏ ନେଇ ସରକାରୀ ସୂତ୍ରରୁ କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶ ବର୍ଷା ବିତ୍ପାତ ଯୋଗୁଁ ୧୯୯ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ବି ୩୧ ଜଣ ନିଖୋଜ ଥିବା ଜଣାପଡ଼ିଛି । ଏହାସହ ଅନେକ ଧନ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି ।

ଏ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁବରଣ କରିଥିବା ୧୯୯ ଜଣଙ୍କ ମଧ୍ୟରୁ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୫୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସଡକ ଦୁର୍ଘଟଣାରେ ୧୪୨ ଜଣଙ୍କ ମୃତ୍ୟୁ ଘଟିଛି । ପାହାଡ ଘେରା ରାଜ୍ୟ ହିମାଚଳ ପ୍ରଦେଶରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଥିଲା । ଯାହାଦ୍ବାରା ଏଯାବତ ୩୧ ଜଣଙ୍କ ପତ୍ତା ମିଳୁନଥିବା ବେଳେ ୨୨୯ ଜଣ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ-North India Flood: ବର୍ଷୁଛି ମୌସୁମୀ ଭାସୁଛି ଉତ୍ତର ଭାରତ, ଅଧିକ ପ୍ରଭାବିତ ହିମାଚଳ

ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ କହିବା ଅନୁସାରେ ଜନବସତିରୁ ବନ୍ୟା ଜଳ ଛାଡ଼ିବା ପରେ ଧୀରେଧୀରେ ଧନ ସମ୍ପତ୍ତି କ୍ଷୟକ୍ଷତି ରିପୋର୍ଟ ଅଧିକ ସାମ୍ନାକୁ ଆସୁଛି । ମୌସୁମୀ ବର୍ଷା ଯୋଗୁଁ ଅନେକ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଛି । ରାଜ୍ୟରେ ପ୍ରାୟ ୬୫୬୩.୫୮ କୋଟି ମୂଲ୍ୟର ଭିତ୍ତିଭୂମି ନଷ୍ଟ ହୋଇଥିବା ସୂଚନା ମିଳିଛି । ସେହିପରି ପ୍ରାୟ ୭୭୪ଟି ବାସଗୃହ ବନ୍ୟାଜଳରେ ଧୋଇ ହୋଇଯାଇଛି । ୭୩୧୭ ବାସଗୃହ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ୨୫୪ଟି ଦୋକାନ ଓ ୨୩୩୭ ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୭୯ ସ୍ଥାନରେ ଭୂସ୍ଖଳନ ସହ ୫୩ଟି ସ୍ଥାନରେ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା ।

ପ୍ରଶାସନ ପକ୍ଷରୁ ପୁନଃ ଭିତ୍ତିଭୂମି ସଜାଡ଼ିବା ପ୍ରକ୍ରିୟା ଜାରି ଥିଲେ ସୁଦ୍ଧା ଏଯାବତ ୩୦୦ ରାସ୍ତା ବନ୍ଦ ରହିଛି । ରାଜ୍ୟର ପ୍ରାୟ ୨୭୪ ବିଦ୍ୟୁତ୍‌ ଓ ୪୨ଟି ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଖାଲି ସେତିକି ନୁହେଁ, ବର୍ଷା ବିତ୍ପାତ ଯୋଗୁଁ ସିମଲା ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି । ସୋଲାନ ଜିଲ୍ଲାର କାଲକା-ଶିମଲା ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଏହି ବର୍ଷା ବିତ୍ପାତ ଯୋଗୁଁ ଆଗାମୀ ଅନେକ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପ ଅନେକ କ୍ଷତି ସହିବାକୁ ଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- HP Flood: କାଗଜ ଡଙ୍ଗା ଭଳି ଭାସିଯାଉଛି ବଡ଼ ବଡ଼ ଅଟ୍ଟାଳିକା, ଦମ୍ଭ ହୋଇ ଠିଆହୋଇଛି ପୁରାତନ ମନ୍ଦିର

ଏ ନେଇ ହିମାଚଳ ପ୍ରଦେଶ ଟୁରିଜିମ ଷ୍ଟେକହୋଲର୍ଡ୍ସ ଆସୋସିଏସନର ସଭାପତି ମହିନ୍ଦର ସେଠ କହିଛନ୍ତି, "ରାଜ୍ୟରେ ପ୍ରବଳ ବନ୍ୟା ପରେ ଧୀରେଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଥିବା ବେଳେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖାଯାଇଛି । ତେବେ ବନ୍ୟା ଯୋଗୁଁ ରାସ୍ତାଘାଟ ଧୋଇ ହୋଇଯାଇଥିବା ବେଳେ ଭୂସ୍ଖଳନ ପର୍ଯ୍ୟଟକଙ୍କୁ ଭୟଭୀତ କରିଛି । ଏଣୁ ସେମାନେ ନିଜ ଛୁଟିକୁ ସ୍ଥଗିତ ରଖିଛନ୍ତି ।" ଅନ୍ୟପଟେ ଆଗାମୀ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.