ETV Bharat / state

ଦ୍ବିତୀୟ ପତ୍ନୀଙ୍କ ଘରୁ ମିଳିଲା ପ୍ରଥମ ପତ୍ନୀଙ୍କ ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ

author img

By ETV Bharat Odisha Team

Published : Mar 6, 2024, 12:33 PM IST

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Woman's Suspicious Death: ପାରିବାରିକ ଗଣ୍ଡଗୋଳ ସାଜିଲା କାଳ । ଦ୍ୱିତୀୟ ପତ୍ନୀଙ୍କ ଘରୁ ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତ ପ୍ରଥମ ପତ୍ନୀଙ୍କ ପରିବାର ଲୋକ ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଖୋର୍ଦ୍ଧା: ପାରିବାରିକ କଳହ ହେଲା କାଳ । ଦ୍ୱିତୀୟ ପତ୍ନୀଙ୍କ ଘରୁ ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମହିଳାଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଆତ୍ମହତ୍ୟା ଜନିତ ମୃତ୍ୟୁର ରୂପ ଦେଇଥ‌ିବା ଅଭିଯୋଗ କରିଛନ୍ତି ମୃତ ପ୍ରଥମ ପତ୍ନୀଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ ହନ୍ତୁଆଡ଼ ଗାଁରେ । ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ବାଣପୁର ଥାନା ଅନ୍ତର୍ଗତ ବଡ଼ ହନ୍ତୁଆଡ ଗାଁର ମୁସଲିମ ସାହିର ହାୱା ବିବି ମୋହିଉଦ୍ଦିନ ମିର୍ଜାଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ବିବାଦ ଲାଗି ରହିଥିଲା । ଫଳରେ ହାୱା ସ୍ୱାମୀଙ୍କ ଘର ଛାଡ଼ି ଭୁବନେଶ୍ବରରେ ରହୁଥିଲେ । ଏହା ମଧ୍ୟରେ ମୋହିଉଦ୍ଦିନ ମହିରୁନ ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏହା ପରେ ଗତ କିଛି ଦିନ ହେବ ହାୱା ଓ ମୋହିଉଦ୍ଦିନଙ୍କ ପିଲାମାନେ ପାରିବାରିକ ବିବାଦର ସମାଧାନ କରିବା ସହ ତାଙ୍କୁ ଡାକିଆଣି ବାଣପୁରରେ ରହୁଥିଲେ । ସେହି ଘରେ ମୋହିଉଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ ମହିରୁନ ମଧ୍ୟ ରହୁଥିଲେ ।

ଗତକାଲି ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ହାୱାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଖବର ପାଇଥିଲେ ଭୁବନେଶ୍ବରରେ ରହୁଥ‌ିବା ତାଙ୍କ ଭାଇ ଆୟୁବ ଖାଁ । ଏହି ଖବର ପାଇ ସେ ମୋହିଦ୍ଦିନଙ୍କ ଘରେ ପହଞ୍ଚି ଘରେ ହାୱାଙ୍କ ମୃତଦେହ ପଡ଼ିଥ‌ିବା ଦେଖିବାକୁ ପାଇଥିଲେ । ହାୱାଙ୍କ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥ‌ିବାରୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥ‌ିବା ଅଭିଯୋଗ କରିଥିଲେ । ଏନେଇ ଆୟୁବ ବାଣପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି । ପାରିପାର୍ଶ୍ଵକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, 5 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.