ETV Bharat / state

ଦକ୍ଷତା କେନ୍ଦ୍ର ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ: ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Mar 5, 2024, 7:34 AM IST

Updated : Mar 5, 2024, 8:43 AM IST

Skill India Centre
Skill India Centre

Dharmendra Pradhan Inaugurates Skill India Centre: ଅନୁଗୋଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Skill India Centre

ଅନୁଗୋଳ: ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଜିଲ୍ଲାରେ ଲୋକାର୍ପିତ ହୋଇଛି ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ) । ଓଡ଼ିଶାର ଯୁବପୀଢିଙ୍କ ଦକ୍ଷତା ବଢାଇବା ଦିଗରେ ସମ୍ବଲପୁର, ଢେଙ୍କାନାଳ ଓ ଦେବଗଡ ପରେ ଗତକାଲି (ସୋମବାର) ଅନୁଗୋଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏସଆଇସି ଜିଲ୍ଲାର ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, "ଯୁବପୀଢିଙ୍କୁ କୁଶଳୀ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଏବଂ ଏନଏସଡିସିର ମିଳିତ ଆନୁକୂଲ୍ୟରେ ଅତ୍ୟାଧୁନିକ ସ୍କିଲ୍ ଇଣ୍ଡିଆ ସେଣ୍ଟର ଜିଲ୍ଲାର ଆମଲାପଡା ଠାରେ ସ୍ଥାପିତ ହୋଇଛି । ଆଇଟିଆଇ, ଡିପ୍ଲୋମା, ସ୍ନାତକ ଡିଗ୍ରୀ ପାଇବା ପରେ ଜିଲ୍ଲାରେ ଯୁବଶକ୍ତିଙ୍କ ଦକ୍ଷତା ବଢାଇବା ଦିଗରେ ଏହି ସେଣ୍ଟର ସହାୟକ ହେବ । ସେମାନଙ୍କୁ ଆତ୍ମନିର୍ଭର କରିବା ତଥା ରୋଜଗାରକ୍ଷମ କରାଇବା ପାଇଁ ଏହି ସେଣ୍ଟରରେ ସ୍ୱଳ୍ପ ମୂଲ୍ୟରେ ଆଧୁନିକ ଦୁନିଆର କାର୍ଯ୍ୟ ପାଇଁ ତାଲିମ ଦିଆଯିବ । ପ୍ରତି ବର୍ଷ ୧୨୦୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ନିଜର କାପାସିଟି ବଢାଇବେ । ସେମାନଙ୍କର ଦକ୍ଷତାକୁ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଯୋଡାଯିବ । ଏହା ଦ୍ୱାରା ସେମାନେ ଭବିଷ୍ୟତରେ ରୋଜଗାର କ୍ଷମ ହେବେ ବା ଶତପ୍ରତିଶତ ରୋଜଗାର ପାଇବେ ।"

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଭାରତର ଯୁବଶକ୍ତିଙ୍କୁ ଡିଗ୍ରୀ ସହ କୁଶଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନା ରହିଛି । ଦେଶରେ ଯୁବଶକ୍ତିଙ୍କୁ ସମ୍ମାନର ସହ ଆଗକୁ ବଢିବା ଉପରେ ମୋଦୀ ସରକାରଙ୍କ ପ୍ରାଥମିକତା ରହିଛି । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ବର୍ତ୍ତମାନର ନୂଆପିଢିଙ୍କୁ ଡିଗ୍ରୀ ସହ ଦକ୍ଷ କରାଇଲେ ହିଁ ଆମ ଦେଶରେ ବଜାରଭିତ୍ତିକ ଅର୍ଥନୀତି ମଜଭୂତ୍ ହେବ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିପାରିବା । ସମ୍ବଲପୁର, ଢେଙ୍କାନାଳ ଓ ଦେବଗଡ଼ ପରେ ଅନୁଗୋଳରେ କ୍ରମାଗତ ଭାବରେ ପ୍ରତିଷ୍ଠିତ ଏହି ସ୍କିଲ୍ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ଟି ଟ୍ରେନିଂ ହଲ ଅଛି । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ ।"

ଏହା ମଧ୍ୟ ପଢନ୍ତୁ- ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ସେଣ୍ଟର ଲୋକାର୍ପିଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସେହିପରି ଏହି ଗସ୍ତକାଳରେ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳର ରାଣିଗୋଡାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ସହ ଶିମିଳିପଡା ଠାରେ ଜନ ଶିକ୍ଷଣ ସଂସ୍ଥାନ(ଜେଏସଏସ)ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଅନୁଗୋଳରେ ଉଦଘାଟିତ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ସହ ଶିକ୍ଷାର ନୂଆ ପରିଭାଷା ତିଆରି କରିବ । ସେହିପରି ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କର ଦକ୍ଷତା ବଢାଇବା ପାଇଁ ଜନ ଶିକ୍ଷଣ ସଂସ୍ଥାନ ସ୍ଥାପନା ହୋଇଛି । ଶିମିଳିପଡା ଠାରେ ନବକଳେବର ହୋଇଥିବା ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ମହିଳା ମାନଙ୍କର ଦକ୍ଷତା ବୃଦ୍ଧି ପାଇବ । ସେମାନେ ତାଲିମ ପାଇଁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ଲକ୍ଷପତି ଦିଦି ହେବାର ସ୍ଵପ୍ନ ପୂରଣ କରିପାରିବେ ।

ଇଟିଭି ଭାରତ, ଅନୁଗୋଳ

Last Updated :Mar 5, 2024, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.