ETV Bharat / state

ଚାଷୀମୂଲିଆ ସଙ୍ଘର ଆଦିବାସୀଙ୍କ ନାମରେ ୱାରେଣ୍ଟକୁ ନିନ୍ଦା, ସମ୍ଭାବ୍ୟ ଆନ୍ଦୋଳନ ଆଶଙ୍କା କଲେ ଆଇନଜୀବୀ

author img

By ETV Bharat Odisha Team

Published : Jan 20, 2024, 1:28 PM IST

ଚାଷୀମୂଲିଆ ସଙ୍ଘର ଆଦିବାସୀଙ୍କ ନାମରେ ୱାରେଣ୍ଟକୁ ନିନ୍ଦା
ଚାଷୀମୂଲିଆ ସଙ୍ଘର ଆଦିବାସୀଙ୍କ ନାମରେ ୱାରେଣ୍ଟକୁ ନିନ୍ଦା

Arrest warrant on Tribals: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଚାଷୀମୂଲିଆ ଆଦିବାସୀ ସଙ୍ଘର କର୍ମକର୍ତ୍ତାଙ୍କ ନାମରେ ୧୫ ବର୍ଷ ପରେ ବାହାରିଛି ଆରେଷ୍ଟ ୱାରେଣ୍ଟ । କିଛି କର୍ମକର୍ତ୍ତାଙ୍କୁ ଗିରଫ କରାଯିବା ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା । ଅଧିକ ପଢ଼ନ୍ତୁ

କୋରାପୁଟ: ନାରାୟଣପାଟଣା ବ୍ଲକ ଚାଷୀମୂଲିଆ ଆଦିବାସୀ ସଙ୍ଘର କର୍ମକର୍ତ୍ତାଙ୍କ ନାମରେ ୱାରେଣ୍ଟ୍‌ ବାହାରିଥିବା ବେଳେ ପ୍ରାୟ ଗତ ଛଅ ମାସ ହେବ ଜଣକ ପରେ ଜଣକୁ ପୋଲିସ ଗିରଫ କରୁଛି । ସଙ୍ଘର କିଛି କର୍ମକର୍ତ୍ତାଙ୍କୁ ଗିରଫ କରାଯିବା ପରେ ଅନ୍ୟ କର୍ମକର୍ତ୍ତା ଏବେ ଭୟଭୀତ ହୋଇଉଠିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାକୁ ସଙ୍ଘର ନେତା ନାଚିକା ଲିଙ୍ଗା ନିନ୍ଦା କରିଛନ୍ତି । ସେ ଏହାକୁ ବିରୋଧ କରିବା ସହିତ ଦୀର୍ଘ ୧୫ ବର୍ଷ ପରେ ୱାରେଣ୍ଟ ବାହାରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ସେତେବେଳେ କାହିଁକି ସେମାନଙ୍କୁ ଗିରଫ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀମୂଲିଆ ଆଦିବାସୀ ନେତା ନାଚିକା ଲିଙ୍ଗା ।

ସୂଚନା ଥାଉ, ଦୀର୍ଘ ୧୫ ବର୍ଷ ପୂର୍ବରୁ କୋରାପୁଟ ନାରାୟଣପାଟଣା ବ୍ଲକରେ ଜମି, ମଦ, ଗୋତି ପ୍ରଥାକୁ ନେଇ ଚାଷୀମୂଲିଆ ଆଦିବାସୀ ସଙ୍ଘର ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଫଳରେ ମଦ ମୁକ୍ତି, ଜମି ମୁକ୍ତି, ଗୋତି ମୁକ୍ତି ନାମରେ ଦଳର ସଭାପତି ନାଚିକା ଲିଙ୍ଗାଙ୍କ ନେତୃତ୍ବରେ ହଜାର ହଜାର ଆଦିବାସୀ ସାମିଲ ହୋଇ ସଙ୍ଘରେ ଯୋଗ ଦେଇଥିଲେ । ଦୀର୍ଘ ୧୦ ବର୍ଷରେ ବହୁ ହିଂସା ଘଟଣାରେ ସଙ୍ଘର ସଦସ୍ୟମାନେ ସାମିଲ ଥିବା ଅଭିଯୋଗ ହୋଇଥିଲା । ୨୦୦୯ ନଭେମ୍ବର ୨୦ରେ ଥାନା ଆକ୍ରମଣ ଅଭିଯୋଗରେ ସଙ୍ଘର ଦୁଇ ସଦସ୍ୟଙ୍କର ପୋଲିସ ଗୁଳିରେ ମୃତ୍ୟୁ ଘଟିବା ପରେ ଆରମ୍ଭ ହୋଇଥିଲା ଆତ୍ମସମର୍ପଣ । ହଜାର ହଜାର ସଂଖ୍ୟାରେ ସଙ୍ଘର ସଦସ୍ୟ ପୋଲିସ ନିକଟରେ ଗିରଫ ଭୟରେ ଆତ୍ମସମର୍ପଣ କଲେ ଓ ମୁଖ୍ୟସ୍ରୋତରେ ସାମିଲ ହେଲେ । ଶେଷରେ ସଙ୍ଘର ସଭାପତି ନାଚିକା ଲିଙ୍ଗା ମଧ୍ୟ ୨୦୧୩ରେ ଆତ୍ମସମର୍ପଣ କଲେ । ଆତ୍ମସମର୍ପଣ ପରେ ସଙ୍ଘ ଏକ ପ୍ରକାର ନୀରବ ହୋଇଗଲା । କିନ୍ତୁ ବିଭିନ୍ନ ଗ୍ରାମର ଶହ ଶହ ସଙ୍ଘ କର୍ମକର୍ତ୍ତାଙ୍କ ନାମରେ ହତ୍ୟା, ଘରଭଙ୍ଗା, ଲୁଟ୍, ହିଂସାକାଣ୍ଡରେ ସାମିଲ ଥିବା ମାମଲା କୋର୍ଟରେ ରହିଲା । ସେଥିମଧ୍ୟରୁ ଅଧିକାଂଶ ଚାଷୀମୂଲିଆ ସଙ୍ଘର ସଦସ୍ୟ ବେଲ୍‌ରେ ବାହାରି ସାରିଛନ୍ତି । କିନ୍ତୁ କୋର୍ଟରେ ମାମଲ ବିଚାରାଧୀନ ରହିଛି । କିଛି ଖଲାସ ହୋଇଛନ୍ତି ଓ ବହୁତ କିଛି ମାମଲା ବିଚାରଧୀନ ।

ଏହା ମଧ୍ୟ ପଢ଼ନ୍ତୁ...2 ଦଫା ଦାବି ନେଇ କଙ୍କଡାହାଡ ଥାନା ଘେରିଲେ ଆଦିବାସୀ

ତେବେ ପୁଣିଥରେ କୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ବିହୀନ ୱରେଣ୍ଟ ଆସିଥିବାରୁ ପୋଲିସ ହାତଗଣତି କିଛି ସଙ୍ଘ ସଦସ୍ୟଙ୍କୁ ଗିରଫ କରିଛି । ଏବେ ଶତାଧିକ ସଙ୍ଘ ସଦସ୍ୟଙ୍କ ନାମରେ ୱାରେଣ୍ଟ ରହିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ଏନେଇ କୋରାପୁଟର ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ରାଉତରାଏ କହିଛନ୍ତି, "ଯେଉଁ ସଙ୍ଘର ଆଦିବାସୀଙ୍କ ନାମରେ ୱାରେଣ୍ଟ ଆସିଛି, ସେସବୁ ସଦସ୍ୟ ବିଭିନ୍ନ କେସରେ ବେଲରେ ଆସିବା ସହ ସମସ୍ତ କେସରେ ଅନ୍ୟ କର୍ମକର୍ତ୍ତା ମୁକ୍ତି ପାଇସାରିଛନ୍ତି । ଅନେକ ସରକାରଙ୍କ କଥା ମାନି ଆତ୍ମସମର୍ପଣ କରିବାର ଦୀର୍ଘ ବର୍ଷ ପରେ ସେମାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିବା ନିନ୍ଦନୀୟ ।"

ନିଜ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ନାରାୟଣପାଟଣା ଅଞ୍ଚଳରେ ସଂଗଠିତ ହୋଇଥିବା ବିଶାଳ ଆନ୍ଦୋଳନରେ ଭାଗ ନେଇଥିବା ଆଦିବାସୀମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଏତିକି ବେଳେ ସେମାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନଘଟିଲେ ପୁଣିଥରେ ଅନୁରୂପ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ବରିଷ୍ଠ ଆଇନଜୀବୀ ଅଜିତ ପାତ୍ର ଆଶଙ୍କା କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.