ETV Bharat / state

ଅଗ୍ନିବର୍ଷାରୁ ନାହିଁ ନିସ୍ତାର, ଆହୁରି 4 ଦିନ ଜାଳିବ - ODISHA WEATHER

author img

By ETV Bharat Odisha Team

Published : Apr 18, 2024, 7:18 PM IST

ଆହୁରି ୪ ଦିନ ଜଳିବ ଓଡ଼ିଶା , 20 ତାରିଖ ପରେ ମିଳିବ ଆଶ୍ବସ୍ତି !
ଆହୁରି ୪ ଦିନ ଜଳିବ ଓଡ଼ିଶା , 20 ତାରିଖ ପରେ ମିଳିବ ଆଶ୍ବସ୍ତି !

WEATHER UPDATE: ରାଜ୍ୟରେ ଆହୁରି ୪ ଦିନ ହିଟ୍ ୱେବ୍ ସ୍ଥିତି । ଦିନ ୨ଟା ୩୦ ସୁଦ୍ଧା ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଆସନ୍ତା 20 ପରେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ଆହୁରି ୪ ଦିନ ଜଳିବ ଓଡ଼ିଶା , 20 ତାରିଖ ପରେ ମିଳିବ ଆଶ୍ବସ୍ତି !

ଭୁବନେଶ୍ବର: ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେବ୍ । ଦିନ ୨ଟା ୩୦ ସୁଦ୍ଧା ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଆହୁରି ୪ ଦିନ ରହିବ ହିଟ୍ ୱେବ୍ ସ୍ଥିତି । ଆଜିଠୁ ୩ ଦିନ ପ୍ରବଳ ଗରମ ଅନୁଭୂତ ହେବା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗତ ୪ ଦିନ ହେବ ରାଜ୍ୟରେ ହିଟ୍ ୱେବ୍ ରହିଥିବାବେଳେ ଆଉରି ୪ ଦିନ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତେବେ କିଛି ଜିଲ୍ଲାରେ ସିଭିୟର ହିଟ୍ ୱେବ୍ ସ୍ଥିତି ସହିତ ଅନ୍ୟ କିଛି ଜିଲ୍ଲାକୁ ହିଟ୍ ୱେବ୍ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟକୁ କ୍ରମାଗତ ଭାବେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ୪ ଦିନ ମଧ୍ୟ ଏହି ସ୍ଥିତି ଜାରି ରହିବା ସହ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଆସନ୍ତା ୨୪ ଘଣ୍ଟାରେ ନୂଆପଡ଼ା ମୟୂରଭଞ୍ଜ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକରେ ସିଭିୟର ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ବୌଦ୍ଧ ଜିଲ୍ଲାରେ ସିଭିୟର ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ଜଗତସିଂପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ଢେ଼ଙ୍କାନାଳ, ଗଞ୍ଜାମ, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, କେନ୍ଦୁଝରରେ ହିଟ୍ ୱେବ୍ ପାଇଁ ୟେଲୋ ଆଲର୍ଟ ଦିଆଯାଇଛି । ଆସନ୍ତା ୨୧ ତାରିଖ ଯାଏଁ ଜାରି ରହିବ ଖରା ଏବଂ ଗରମ ।

୨୦ ତାରିଖ ପରେ ପାଗ ବଦଳିବ । ୨୧ ରୁ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଝଡ ତୋଫାନ ସାଙ୍ଗକୁ ଘଡଘଡି ବିଜୁଳି ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ଗୁରୁଚାପ ବଳୟ ସକ୍ରିୟ ହେବ ଯାହା ବଙ୍ଗୋପସାଗରର ଜଳୀୟବାଷ୍ପ ଆଣିବ । ଫଳରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୦ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ୪୩.୨ ଡିଗ୍ରୀ ସହ ତାଳଚେର ରାଜ୍ୟର ଉତ୍ତପ୍ତ ସହର ।

ଏହା ମଧ୍ୟ ପଢନ୍ତୁ.......ଦିନ ଆରମ୍ଭରୁ ସିଝାଇ ଦେଉଛି ଖରା, ଶିଖର ଛୁଇଁବ ଗ୍ରୀଷ୍ମ ଲହରୀ - HEATWAVE

ଭୁବନେଶ୍ୱରରେ ୪୧.୭ ଏବଂ କଟକରେ ୪୧.୪ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି । କିଛି ସ୍ଥାନରେ ମଧ୍ୟ କାଳ ବୈଶାଖୀ ବର୍ଷା ହୋଇଥିବାବେଳେ କୋରାପୁଟର ନନ୍ଦପୁରରେ ୭.୦ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.