ETV Bharat / state

ଦିନ ଆରମ୍ଭରୁ ସିଝାଇ ଦେଉଛି ଖରା, ଶିଖର ଛୁଇଁବ ଗ୍ରୀଷ୍ମ ଲହରୀ - HEATWAVE

author img

By ETV Bharat Odisha Team

Published : Apr 17, 2024, 6:11 PM IST

ଦିନ ଆରମ୍ଭରୁ ସିଝାଇ ଦେଉଛି ଖରା
ଦିନ ଆରମ୍ଭରୁ ସିଝାଇ ଦେଉଛି ଖରା

Odisha Weather Update: ରାଜ୍ୟରେ ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି । ଆଗକୁ ଆହୁରି ବୃଦ୍ଧି ପାଇବ ତାପମାତ୍ରା । ଅଧିକ ପଢ଼ନ୍ତୁ

ଦିନ ଆରମ୍ଭରୁ ସିଝାଇ ଦେଉଛି ଖରା

ଭୁବନେଶ୍ବର: ତତଲା ବାଲିରେ ଭାଜି ହେଉଛି ସାରା ଓଡ଼ିଶା । ଦିନ ଆରମ୍ଭରୁ ରାଜ୍ୟବାସୀଙ୍କୁ ସିଝାଇ ହେଉଛି ଖରା । ଘର ବାହାରକୁ ବାହାରିବା ତ ଦୂରର କଥା ଘର ଭିତରେ ରହିବା ମୁସ୍କିଲ ହୋଇପଡୁଛି । ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳିରେ ଲୋକେ ଏକ ପ୍ରକାର ସନ୍ତୁଳିତ ହୋଇ ପଡିଲେଣି । ତେବେ ଆଗାମୀ ଦିନରେ ରାଜ୍ୟରେ କେତେକ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିବାକୁ ଥିବାବେଳେ କିଛି କିଛି ସ୍ଥାନରେ 43ରୁ 45 ଡଗ୍ରୀ ତାପମାତ୍ରା ରହିବ । ରାଜ୍ୟରେ ଏଭଳି ସ୍ଥିତି ଆହୁରୀ କିଛିଦିନ ଯାଏଁ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ଖରା ସହ ଗୁଳିଗୁଳିକୁ ନେଇ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ, କନ୍ଧମାଳ, କୋରାପୁଟ,
ମାଲକାନଗିରି, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ବରଗଡ଼ । ସେହିପରି ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୧୧ ଜିଲ୍ଲା ବାଲେଶ୍ବର, ଭଦ୍ରକ , ଯାଜପୁର ,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ଆଗକୁ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଅସମ୍ଭାଳ ତାତି ହେବ । ବିଶେଷ କରି ୧୯ ଆଉ ୨୦ ତାରିଖରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିବ । ଆଗାମୀ ଏହି ଦୁଇଦିନ ତାତିରୁ ତ୍ରାହି ନଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ୧୮ ତାରିଖରେ ୪ ଜିଲ୍ଲା ମୟୂରଭଞ୍ଜ, ନୂଆପଡା, ଗଜପତି ଓ ନୟାଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୯ ତାରିଖରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାବେଳେ ୪ ଜିଲ୍ଲା ମୟୂରଭଞ୍ଜ, ନୂଆପଡା, ଗଜପତି ଓ ନୟାଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପଟେ ଆଗାମୀ ଦିନରେ ସକ୍ରିୟ ଗ୍ରୀଷ୍ମ ଲହରୀ ଶିଖର ଛୁଇଁବା ସହ କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦେଶରେ ଅଧିକ ରାଜ୍ୟରେ କମ୍‌, ଓଡ଼ିଶାରେ ସ୍ୱାଭାବିକଠୁ କମ୍ ମୌସୁମୀ ବର୍ଷା ସମ୍ଭାବନା - Indian Meteorological Department

ସେପଟେ ୫ ଦିନର ଗ୍ରୀଷ୍ମ ପ୍ରବାହ ପରେ 21 ତାରିଖ ପରେ ପାଗ ବଦଳିବ । ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ତାତିରୁ ସାମାନ୍ୟ ଅଶ୍ବସ୍ତି ମିଳିବ ବୋଲି କହିଛି ପାଣିପାଗ ବିଭାଗ । ଏହାସହ ବର୍ଷାକୁ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ଖରା ସହ କେତୋଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ସର୍ବାଧିକ ୧୮.୦ ମିମି କେନ୍ଦ୍ରାପଡା ରାଜନଗରରେ ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.