ETV Bharat / state

ସରପଞ୍ଚଙ୍କୁ ଗିରଫ ସରକାରୀ ଅଧିକାରୀଙ୍କୁ ମାଫ, ପ୍ରତିବାଦ କଲା ସରପଞ୍ଚ ମହାସଂଘ

author img

By ETV Bharat Odisha Team

Published : Feb 7, 2024, 7:52 PM IST

ସରପଞ୍ଚ ସଂଘର ବିକ୍ଷୋଭ
ସରପଞ୍ଚ ସଂଘର ବିକ୍ଷୋଭ

Sarpanch Protest: କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ସରପଞ୍ଚ ସଂଘ । ଜିଲ୍ଲାପାଳଙ୍କୁ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦେଲେ ଦାବିପତ୍ର । ଅଧିକ ପଢ଼ନ୍ତୁ

ସରପଞ୍ଚ ସଂଘର ବିକ୍ଷୋଭ

କେନ୍ଦ୍ରାପଡା: ପୁଣି ମୁହାଁମୁହିଁ ହେଲେ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ସରପଞ୍ଚ ସଂଘ । ଜିଲ୍ଲାପାଳଙ୍କୁ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦେଲେ ଦାବିପତ୍ର । ସରପଞ୍ଚଙ୍କୁ ମାଡ଼ ମାରି ତାଙ୍କ ନାମରେ ମିଥ୍ୟା ଆରୋପ ଲଗାଇ ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ସରପଞ୍ଚ ।

ଆଜି କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ନାରା ଦେବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କରାଯାଉଥିବା ଅଣଦେଖା ନୀତି ସାଙ୍ଗକୁ ମନମାନି କାର୍ଯ୍ୟକୁ ବିରୋଧ କରିଛି ସରପଞ୍ଚ ସଂଘ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ 5T ଅଧ୍ୟକ୍ଷଙ୍କ ଅବଗତି ଏବଂ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି ସରପଞ୍ଚ ମହାସଂଘ । ତେବେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଦାବିଗୁଡିକ ଉପରେ ବିଚାର କରାନଗଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ସରପଞ୍ଚ ମହାସଂଘ ।

ଏହା ମଧ୍ୟ ପଢ଼ନ୍ତୁ.... ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ଚିନ୍ତାରେ ପଶୁପାଳକ

ସୂଚନା ଅନୁଯାୟୀ,କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଧିନ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଜ୍ଞାନରଞ୍ଜନ ଖଣ୍ଡାଇଙ୍କୁ ଗତ ଫେବୃଆରୀ 1 ତାରିଖରେ ପୋଲିସ ଗିରଫ କରିଥିଲା । ତେବେ ଜ୍ଞାନରଞ୍ଜନ ଜଣେ ଅସହାୟ ଲୋକଙ୍କ ରାସନକାର୍ଡ କରାଇଦେବା ପାଇଁ ବାରମ୍ବାର ଯୋଗାଣ ବିଭାଗ ଓ ବିଡ଼ିଓଙ୍କୁ ଅଭିଯୋଗ କରୁଥିଲେ । ଯୋଗାଣ ବିଭାଗ ଅଧିକାରୀ ସରପଞ୍ଚ ଜ୍ଞାନଙ୍କ ଆପତ୍ତି ଅଭିଯୋଗ ଶୁଣୁନଥିବା ବେଳେ ବିଡ଼ିଓ ମଧ୍ୟ ଅଣ ଦେଖା କରୁଥିଲେ । ଗତ ଜାନୁଆରୀ ୩୦ ତାରିଖ ଦିନ ସରପଞ୍ଚ ଜ୍ଞାନ ପଟ୍ଟାମୁଣ୍ଡାଇ ବ୍ଲକକୁ ଯାଇ ଏମଆଇ(ଯୋଗାଣ ନିରୀକ୍ଷକ)ଙ୍କୁ ରାସନକାର୍ଡ ବିଷୟରେ ପଚରାଉଚୁରା କରୁଥିଲେ ।

ସେହି ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଝଗଡ଼ା ବଢ଼ିବା ସହ ଦୁହିଁଙ୍କ ମଧ୍ୟରେ ହାତାହାତି ହୋଇଥିଲା । ପରେ ଜ୍ଞାନରଞ୍ଜନ ଗୁରୁତର ଆହତ ହୋଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଉଦ୍ଦେଶ୍ୟମୂଳକ ଭାବରେ ଜ୍ଞାନ ରଞ୍ଜନଙ୍କୁ ଗିରଫ କରିଛି ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ ସଂଘ । ଅନ୍ୟପଟେ ଏମଆଇଙ୍କ ବିରୋଧରେ ପଦକ୍ଷେପ ନେବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆସିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.