ETV Bharat / state

ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ଚିନ୍ତାରେ ପଶୁପାଳକ

author img

By ETV Bharat Odisha Team

Published : Feb 7, 2024, 7:08 PM IST

Veterinary Doctors Strike: ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ପଶୁପାଳକଙ୍କ ଚିନ୍ତା ବଢିଛି । ଅଧିକ ପଢନ୍ତୁ

Veterinary Doctors Strike
Veterinary Doctors Strike

Veterinary Doctors Strike

ଖୋର୍ଦ୍ଧା: ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବା ବାଧାପ୍ରାପ୍ତ । କାରଣ ପ୍ରାଣୀ ଚିକିତ୍ସକମାନେ ଜାରି ରଖିଛନ୍ତି ଆନ୍ଦୋଳନ । ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ରୂପାନ୍ତରୀକରଣ, ପ୍ରାଣୀମାନଙ୍କୁ ନିଶୁଳ୍କ ସେବା, ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାରଙ୍କ ଭଳି ଡିଏସିପି ଓ ଏନପିଏ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । ଡାକ୍ତର ପଦବୀ ସୃଷ୍ଟି, ନିଯୁକ୍ତି ଓ କ୍ୟାଡ଼ର ପୁନଃଗଠନ ଦାବିରେ ଗତ ମାସ 18 ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇଯାଇଛି ।

ଏହାରି ଭିତରେ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନକୁ 21ଦିନ ବିତିଯାଇଛି । ହେଲେ ସେମାନଙ୍କ ଦାବି ଗୁଡିକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଯାହାକୁ ନେଇ ପଶୁପାଳକଙ୍କ ଚିନ୍ତା ବଢିଛି । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ମଧ୍ୟ ଠପ୍ ହୋଇରହିଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ 21ଟି ପଶୁ ଚିକିତ୍ସା କେନ୍ଦ୍ର ଥିବାବେଳେ 135ଟି ଏଲଆଇ କେନ୍ଦ୍ର ରହିଛି । ସେହିଭଳି ଜିଲ୍ଲାରେ କାର୍ଯ୍ୟରତ 44 ଜଣ ପ୍ରାଣୀ ଚିକିତ୍ସକ ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନର ପ୍ରଭାବ ଜିଲ୍ଲାରେ ଥିବା ପଶୁ ପକ୍ଷୀଙ୍କ ଉପରେ ବହୁଳ ଭାବେ ପଡିଛି । ପ୍ରାଣୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ: ଚିକିତ୍ସା ଅଭାବରୁ ମରୁଛନ୍ତି ପଶୁପକ୍ଷୀ

ଏହା ମଧ୍ୟ ପଢନ୍ତୁ...ଦାବିପତ୍ର ଦେଲେ ପ୍ରାଣୀ ଚିକିତ୍ସକ, କେବେ ଶୁଣିବେ ସରକାର

ଏହା ମଧ୍ୟ ପଢନ୍ତୁ...ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ବୌଦ୍ଧରେ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ଠପ୍

ଖୋର୍ଦ୍ଧା ଜିଲ୍ଲାରେ 2 ଲକ୍ଷ 76 ହଜାର 331 ଗାଈ, 9 ହଜାର 636 ମଇଁଷି, 69 ହଜାର 402 ଛେଳି, 26 ହଜାର 674 ମେଣ୍ଢା ଓ 15 ଲକ୍ଷ 75 ହଜାର 988 କୁକୁଡ଼ା ଥିବା ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଦେବୀଦତ୍ତ ମାଝୀ ସୂଚନା ଦେଇଛନ୍ତି । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନକୁ ସେ କହିଛନ୍ତି, "ଜିଲ୍ଲାରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ପାଇଁ ବିଭିନ୍ନ ସ୍ଥାନରେ ଚିକିତ୍ସା ସେବା ପ୍ରଭାବିତ ହୋଇଛି ।" ଅପରପକ୍ଷେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଚିକିତ୍ସକ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.