ETV Bharat / state

ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ବୌଦ୍ଧରେ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ଠପ୍

author img

By ETV Bharat Odisha Team

Published : Feb 1, 2024, 9:11 AM IST

Updated : Feb 1, 2024, 9:40 AM IST

ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ବୌଦ୍ଧରେ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ଠପ୍
ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ବୌଦ୍ଧରେ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ଠପ୍

Veterinary doctor protest: ଗତ ଦୁଇ ସପ୍ତାହ ହେଲା ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ବୌଦ୍ଧ ଜିଲ୍ଲାରେ ଅସହାୟ ହେଲେଣି ପଶୁ ପାଳକ । ଅଧିକ ପଢନ୍ତୁ

ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ

ବୌଦ୍ଧ: ରାଜ୍ୟରେ ପ୍ରାଣୀ ଚିକିତ୍ସକମାନଙ୍କ ଚାଲିଥିବା ଆନ୍ଦୋଳନକୁ ଦୁଇ ସପ୍ତାହ ବିତିଯାଇଛି । ହେଲେ ସେମାନଙ୍କ ଦାବି ଗୁଡିକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଫଳରେ ରାଜ୍ୟରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇପଡ଼ିଛି । ଏହାରି ଭିତରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ସମସ୍ତ ପ୍ରାଣୀ ଚିକିତ୍ସକ ଅନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ଜିଲ୍ଲାରେ ପ୍ରାଣୀ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ଯାହାକୁ ନେଇ ପ୍ରାଣୀ ପାଳକଙ୍କ ମଧ୍ୟରେ ଚିନ୍ତା ତଥା ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ବୌଦ୍ଧ ଜିଲ୍ଲାରେ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇ ପଡ଼ିଛି ପ୍ରାଣୀ ଚିକିତ୍ସା ସେବା । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ପ୍ରାଣୀ ଚିକିତ୍ସକମାନଙ୍କ ଦାବି ପୂରଣ ହୋଇ ପାରୁଥିବା ଅଭିଯୋଗ ହୋଇଛି । ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ୧୮ଜଣ ପ୍ରାଣୀ ଚିକିତ୍ସକ ବିଭିନ୍ନ ଦାବିକୁ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଶେଷ ଭାବରେ ପ୍ରାଣୀଧନ ବିଭାଗ ପ୍ରତି ସରକାର ବୈମାତୃକ ମନୋଭାବ ଯୋଗୁଁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଠାରୁ ନେଇ ଔଷଧ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଗୋପାଳକ ଓ ପ୍ରାଣୀ ପାଳକଙ୍କ ଠାରୁ ଅର୍ଥ ଆଦାୟକୁ ଚିକିତ୍ସକମାନେ ବିରୋଧ କରିଛନ୍ତି । ଏହାସହ ବିଭାଗର ରୂପାନ୍ତରୀକରଣ, ନୂତନ ନିଯୁକ୍ତି, ପଦୋନ୍ନତି ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ, ପଶୁପକ୍ଷୀଙ୍କ ଚିକିତ୍ସା ଠପ୍

ଏହା ମଧ୍ୟ ପଢନ୍ତୁ ...ତାତିଲେ ପ୍ରାଣୀ ଚିକିତ୍ସକ, ବିଭିନ୍ନ ଦାବିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ସେପଟେ ଜିଲ୍ଲାର ତିନୋଟି ବ୍ଲକରେ ଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ଠପ୍ ହୋଇ ରହିଛି । ଫଳରେ ଗାଈ ଗୋରୁ, ଛେଳି ମେଣ୍ଢା, କୁକୁଡା, ବତକ ମଇଁଷି, ଘୁଷୁରୀ ଭଳି ପ୍ରାଣୀ ପାଳନ କରୁଥିବା ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ଏକମାତ୍ର ମାହେଶ୍ଵରୀ ଗୋଶାଳାରେ ମଧ୍ୟ ଚିକିତ୍ସା ଅଭାବରୁ ଶତାଧିକ ଗାଈଗୋରୁ କଷ୍ଟ ପାଉଥିବା ବେଳେ ଏହାର ଦାୟିତ୍ବ ନେଇଥିବା ଗୋ'ସେବକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।ହେଲେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । ଗତ ୧୮ ତାରିଖ ଠାରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପ୍ରାଣୀ ଚିକିତ୍ସକମାନେ ଛୁଟିରେ ରହିଛନ୍ତି । ଗତକାଲି ଏହି ଆନ୍ଦୋଳନକୁ ଦୁଇ ସପ୍ତାହ ପୁରିଛି ।


ଇଟିଭି ଭାରତ,ବୌଦ୍ଧ

Last Updated :Feb 1, 2024, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.