ତାତିଲେ ପ୍ରାଣୀ ଚିକିତ୍ସକ, ବିଭିନ୍ନ ଦାବିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

By ETV Bharat Odisha Team

Published : Jan 19, 2024, 1:18 PM IST

thumbnail

କଟକ: ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ ସେବା ସଂଘ । ଜାନୁଆରୀ ୧୮ ତାରିଖରୁ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହି ପ୍ରତିବାଦ କରୁଛନ୍ତି । ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ସଂଘ ତରଫରୁ ବିଗତ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ରାଜ୍ୟ ସରକାର କର୍ଣ୍ଣପାତ ନକରିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ଆନ୍ଦୋଳନରତ ଡାକ୍ତରଙ୍କ କହିବା ଅନୁସାରେ, "ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ରାଜ୍ୟରେ ପ୍ରାଣୀ ପାଳନର ପରିଭାଷା ବଦଳିଛି । ପ୍ରାଣୀ ପାଳକମାନେ ଆଜିର ସମୟରେ ବଡ ବଡ ସଂଗଠିତ ଫାର୍ମ ତିଆରି କରି ଅଧ‌ିକ ସଂଖ୍ୟାରେ ପ୍ରାଣୀ ପାଳନ କରୁଛନ୍ତି । ଏହା ସହିତ ସହରୀକରଣ, ଔଦ୍ୟୋଗିକରଣ ଓ ସୂଚନା-ପ୍ରଯୁକ୍ତି ବିଦ୍ୟାର ପ୍ରଭୃତ ପ୍ରଗତି ମଧ୍ୟ ରାଜ୍ୟରେ ପ୍ରାଣୀପାଳନ ବ୍ୟବସ୍ଥାକୁ ବହୁ ପରିମାଣରେ ପ୍ରଭାବିତ କରିଛି । "

ଏହା ମଧ୍ୟ ପଢନ୍ତୁ: ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଣୀ ଚିକିତ୍ସକ

ଆଜି ପ୍ରାଣୀ ଚିକିତ୍ସକମାନେ ୨୪ ଘଣ୍ଟିଆ ସେବା ଯୋଗାଇ ଆସୁଛନ୍ତି । ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଲାଉଥ‌ବା ବେଳେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥ‌ିବା ସେମାନଙ୍କୁ ହତୋତ୍ସାହିତ କରିଛି । ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି 40 ପ୍ରତିଶତ ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି, ଯାହାକି ପ୍ରାଣୀ ଚିକିତ୍ସକମାନଙ୍କୁ ଅଧ‌ିକ ଚାପଗ୍ରସ୍ତ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟ ସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଇତ୍ୟାଦି ଯୋଗୁଁ ଆଜି ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି ସଂଘ ତରଫରୁ କୁହାଯାଇଛି । ଯଦି ଆଗମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ସମୂହ କାର୍ଯ୍ୟବନ୍ଦ ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ସଂଘ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.