ETV Bharat / state

ରାଜ୍ୟରେ ମେଘୁଆ ପାଗ; ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା, 19ଜିଲ୍ଲାକୁ ସତର୍କ ସୂଚନା - RAIN WITH THUNDERSTORM ALERT

author img

By ETV Bharat Odisha Team

Published : Mar 31, 2024, 6:08 PM IST

Etv Bharat
Etv Bharat

Odisha Weather Update: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ଓ କାଳବୈଶାଖୀ । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ । 19 ଜିଲ୍ଲାକୁ ସତର୍କ ସୂଚନା । ଅଧିକ ପଢ଼ନ୍ତୁ

ରାଜ୍ୟରେ ମେଘୁଆ ପାଗ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ଓ କାଳବୈଶାଖୀ । ଏହାର ପ୍ରଭାବରେ ଆଜି (ରବିବାର) ଓଡ଼ିଶାର ଅନେକ ସ୍ଥାନରେ ପାଗ ମେଘୁଆ ଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗତକାଲି ତୁଳନାରେ ଦିନର ତାପମାତ୍ରା କମିଛି । ଫଳରେ ରାଜ୍ୟବାସୀ ସହୁଥିବା ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ଓ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ହ୍ରାସ ହୋଇଛି । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବା ସହ ତାପମାତ୍ରା ମଧ୍ୟ ହ୍ରାସ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ୟାହାକୁ ନେଇ ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ଯାଜପୁର, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ 2ରୁ 3 ଡ଼ିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ହ୍ରାସ ପାଇବା ସମ୍ଭାବନା ରହିଛି । ଏହାର 2ଦିନ ମଧ୍ୟରେ ତାପମାତ୍ରା ପୁଣି 4ରୁ 5 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ । ଆଗାମୀ ଦିନରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ରାତି ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଦିନ ଓ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ପୂର୍ବାଅନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - Morning Classes In Odisha


ଏହାସହ ଗତକିଛି ଦିନ ହେବ ରାଜ୍ୟରେ ଅସହ୍ୟ ଖରା ସହ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା । ପ୍ରବଳ ଗରମ ସହ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିଲେ । କିନ୍ତୁ ଆଜିର ମେଘୁଆ ପାଗ ଯୋଗୁଁ ଏଥିରୁ ସାମାନ୍ୟ ତ୍ରାହି ମିଳିଛି । ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ବୌଦ୍ଧ ଏବଂ ଟିଟିଲାଗଡ଼ର ତାପମାତ୍ରା ୪୦.୫ ଡିଗ୍ରୀ, ବଲାଙ୍ଗୀରରେ ୪୦.୨ ଏବଂ ନୟାଗଡ଼ରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିପରି କଟକରେ ୩୭.୬ ଏବଂ ଭୁବନେଶ୍ୱରରେ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା । ଏହାସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡର ଲହୁଣୀପଡ଼ାରେ ୧୭.୪ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.