ETV Bharat / state

ଆପାର୍ଟମେଣ୍ଟ ଚୋର ପରେ ଏବେ ରାଜଧାନୀରେ ମାତିଲେ ସ୍ପ୍ରେ ମରା ଡକାୟତି ଗ୍ୟାଙ୍ଗ

author img

By ETV Bharat Odisha Team

Published : Feb 28, 2024, 9:49 AM IST

Bhubaneswar Loot case
Bhubaneswar Loot case

Bhubaneswar Loot case: ଭୁବନେଶ୍ବରରେ ଝରକା ତଡ଼ା ଗ୍ୟାଙ୍ଗ୍ ସକ୍ରିୟ । ରାଜଧାନୀର ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗରରୁ ଘର ଝରକା ତାଡ଼ି ଲୁଟିନେଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା । ଅଧିକ ପଢନ୍ତୁ

ଭୁବନେଶ୍ବର: ଆତଙ୍କର ଗଡ଼ ସାଜିଛି ଭୁବନେଶ୍ବର । ମାତିଛନ୍ତି ଝରକା ତଡ଼ା ଗ୍ୟାଙ୍ଗ୍ । ସମସ୍ତେ ଶୋଇଥିବା ବେଳେ ନିଶା ସ୍ପ୍ରେ କରି ବୁଲାଇଛନ୍ତି କଳାକନା । ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୨୦ଟି ପାରା । ଏଭଳି ଏକ ଘଟଣା ଘଟିଛି ରାଜଧାନୀର ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗରରେ । ସେଠାରେ ରହୁଥିବା ବ୍ୟାଙ୍କ କର୍ମଚାରୀ ମନୋଜ ବେହେରାଙ୍କ ପରିବାର ଶୋଇଥିବା ବେଳେ ନିଶା ସ୍ପ୍ରେ କରି ଏଭଳି ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି ।

ଅଭିଯୋଗ ଅନୁସାରେ, ମନୋଜ ବେହେରା ପରିବାର ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପ୍ରଥମେ ଗ୍ରୀଲକୁ ତାଡି ଘରେ ପଶିଥିଲେ । ଏପରିକି ଘରେ ଲୋକ ଥିବା ଜାଣି ମଧ୍ୟ ସାହାସର ସହ ସଶସ୍ତ୍ର ମାରଣାସ୍ତ୍ର ଧରି ଘରେ ପଶିଥିଲେ । ପରେ ଘର ଲୋକ ଉଠିଯିବା ପୂର୍ବରୁ ତାଙ୍କ ଉପରକୁ ନିଶା ସ୍ପ୍ରେ କରି କଳାକନା ବୁଲାଇଥିଲେ । ଆଲମିରାରୁ ନଗଦ ଟଙ୍କା, ସୁନାରୂପା ଅଳଙ୍କାର ସହ ୨୦ଟି ପାରା ନେଇ ଛୁ ମାରିଥିଲେ । ତେବେ ପାଖାପାଖି ୧୫ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ବ୍ୟାଙ୍କ କର୍ମଚାରୀ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପାଇ ପୋଲିସ କର୍ମଚାରୀ ଲୁଟ ସମୟରେ ଲୁଟେରାଙ୍କ ଗତିବିଧି ଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ମାତିଲେ ଝରକା ତଡ଼ା ଗ୍ୟାଙ୍ଗ୍, ଏବେଠୁ ଏମିତି ନିର୍ବାଚନ ପରେ କ'ଣ ହେବ ସ୍ଥିତି ?

ତେବେ ରାଜଧାନୀରୁ ଆପର୍ଟମେଣ୍ଟ ଚୋରିର‌ ଭୟ ଏଯାଏଁ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏଭଳି ନୂଆ ଧରଣର ଗ୍ୟାଙ୍ଗ ସକ୍ରିୟ ହେବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଅନ୍ୟପଟେ ପୋଲିସ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ଲୁଟେରା ମାନଙ୍କୁ ଶିଘ୍ର କାବୁ କରାଯିବା ନେଇ କହିଛନ୍ତି ଏସିପି ଜୋନ ୫ ଗୌତମ କିଶାନ । ରାଜଧାନୀରେ ପୂର୍ବରୁ ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା । ଲୁଟେରାଙ୍କ ଧରିବା ବଦଳରେ ଲୋକଙ୍କୁ କିପରି ଏନେଇ ସଚେତନ ରହିବେ । ଆପାର୍ଟମେଣ୍ଟର ସୁରକ୍ଷା କିପରି ବଢାଯିବ । ଟେକ୍ନୋଲୋଜି କିପରି ବ୍ୟବହାର କରାଯିବ ସେନେଇ ପୋଲିସ ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲା । ତେବେ ନିର୍ବାଚନ ପୂର୍ବରୁ ଏସବୁ ଉପରେ ବ୍ରେକ ନ ଲଗାଇବାକୁ ଚେଷ୍ଟା ଚଲାଇଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.