ETV Bharat / state

ଚାଷ ଜମିକୁ ସୁରକ୍ଷା ଦେବ ଝଟକା ତାର ବାଡ, ଜୀବଜନ୍ତୁ ନଷ୍ଟ କରିପାରିବେନି ଫସଲ - Shock wire fence

author img

By ETV Bharat Odisha Team

Published : Mar 31, 2024, 1:37 PM IST

Shock wire fence
Shock wire fence

Shock Wire Fence: ଯୁବ ଚାଷୀ ପ୍ରଦୀପ ପ୍ରଧାନଙ୍କ ଉଦ୍ଭାବନ । ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ତିଆରି କଲେ ଝଟକା ତାରବାଡ । ଏହାକୁ ଛୁଇଁବା ମାତ୍ର ଜୀବଜନ୍ତୁଙ୍କୁ ଲାଗୁଛି ଝଟକା । ସୁରକ୍ଷିତ ରହୁଛି ଜମିରେ ଫଳିଥିବା ଫସଲ । ଅଧିକ ପଢନ୍ତୁ

Shock wire fence

ମାଲକାନଗିରି: ଅନେକ ସମୟରେ ଜମିରେ ଚାଷ ହୋଇଥିବା ଫସଲକୁ ନଷ୍ଟ କରି ଦେଇଥାନ୍ତି ଜଙ୍ଗଲୀ ବନ୍ୟଜନ୍ତୁ ଓ ଗାଈଗୋରୁ । ଏମାନଙ୍କ କବଳରୁ ଚାଷରେ ଫଳିଥିବା ଫସଲକୁ ସୁରକ୍ଷା ଦେବା ପାଇଁ କିଏ ଜଗୁଆଳି ଜଗାଉଛି ତ ଆଉ କିଏ ରାତି ସାରା ଅନାଇ ବସୁଛି । କିନ୍ତୁ ଏବେ ଆଉ ଏତେ କଷ୍ଟ କରିବାକୁ ପଡିବ ନାହିଁ କି ଟଙ୍କା ଦେଇ ଜଗୁଆଳିକୁ ଜଗାଇବାକୁ ପଡିବ ନାହିଁ । କାହିଁକିନା ଚାଷକୁ ସୁରକ୍ଷା ଦେବାକୁ ତିଆରି ହୋଇଛି ଝଟକା ତାର ବାଡ । ଯେଉଁଥିରେ ବିଦ୍ୟୁତ ସଂଯୋଗ ହୋଇଛି । ଏହି ତାରକୁ ଜମିର ଚାରିପାଖେ ଲଗାଇବା ପରେ ଗାଈଗୋରୁ ପ୍ରବେଶ କରି ପାରିବେ ନାହିଁ । ତାରକୁ ଛୁଇଁବା ମାତ୍ର ଝଟକା ଲାଗିବ, ଏହାପରେ ସେମାନେ ଜମିକୁ ଯିବାକୁ ଭୟ କରିବେ ।

ଏହା ମଧ୍ୟ ପଢନ୍ତୁ-ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ

ଏହି ଝଟକା ତାର ବାଡ ତିଆରି କରିଛନ୍ତି ମାଲକାନଗିରି ଜିଲ୍ଲା ଉପାନ୍ତ ଟେଜଗୁଡାର ଯୁବ ଚାଷୀ ପ୍ରଦୀପ ପ୍ରଧାନ । ସେ ଦଶ ଏକର ଫସଲ ଚାଷ କରିଥିବା ବେଳେ ଗାଈଗୋରୁ ଫସଲ ନଷ୍ଟ କରିବାର ଭୟ ରହିଥିଲା । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ୟୁଟ୍ୟୁବରୁ ଦେଖି ଝଟକା ତାର ବାଡ ତିଆରି କରିଥିଲେ । ଏବେ ଜଗୁଆଳିଙ୍କ ଖର୍ଚ୍ଚ କମିବା ସହ ଅତି ସହଜରେ ଦୁଇ ପଇସା ରୋଜଗାର କରିପାରୁଛନ୍ତି ପ୍ରଦୀପ ।

ସେ ଜମିରେ ବିରି, ଭେଣ୍ଡି, ଟମାଟୋ, ଶାଗ ପରି ଅନେକ ପରିବା ଚାଷ କରିଥିଲେ । କିନ୍ତୁ ଗାଈଗୋରୁ, ଛେଳିମେଣ୍ଢା ବାରମ୍ବାର ଜମିରେ ପସି ଫସଲ ନଷ୍ଟ କରୁଥିଲେ । ତେଣୁ ପ୍ରଦୀପ ଚାରି ଜଣ ଜଗୁଆଳିଙ୍କୁ ଜଗାଇଲେ । ଦିନରେ ଜଗୁଆଳି ଜଗିଥିବା ବେଳେ ରାତିରେ କିନ୍ତୁ ଜଙ୍ଗଲି ଜନ୍ତୁ ଫସଲ ନଷ୍ଟ କରୁଥିଲେ । ଯାହାକୁ ନେଇ ଚିନ୍ତାରେ ପଡିଗଲେ ପ୍ରଦୀପ । ୟୁଟ୍ୟୁବ ଦେଖି ବାହାର କଲେ ଉପାୟ । ଗୋଟିଏ ସୋଲାର ପ୍ୟାନଲ ବ୍ୟାଟେରୀ ଓ ମେସିନକୁ ବ୍ୟବ‌ହାର କରି ଜମି ଚାରିପଟେ ବୁଲାଇଲେ ତାରବାଡ । ସେଥିରେ କଲେ ବିଦ୍ୟୁତ ସଂଯୋଗ । ଯାହା ଦ୍ବାରା କୌଣସି ଜଙ୍ଗଲୀ ଜନ୍ତୁ କିମ୍ବା ଗାଈଗୋରୁ ତାର ସଂସ୍ପର୍ଶରେ ଆସିଲେ ଝଟକା ଲାଗିଲେ ଜମି ଟାରୁ ଦୂରେଇ ଯିବେ । ଏଥିରେ ମୃତ୍ୟୁବରଣ ଯଦିଓ ହୁଏ ନାହିଁ, କିନ୍ତୁ ଝଟକାରେ ଗାଈଗୋରୁ କିମ୍ବା ଅନ୍ୟ ଜନ୍ତୁ ଆସିବାକୁ ଭୟ କରୁଛନ୍ତି ।

ଏହି ପାଚେରୀ ପରେ ପ୍ରଦୀପକୁ ନା ଲାଗିଲା ଜଗୁଆଳିର ଟଙ୍କା ନା ଫସଲ ନଷ୍ଟ ହେବାର ଚିନ୍ତା । ଶାନ୍ତିରେ ଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି ପ୍ରଦୀପ । ଏହାରି ପାଇଁ ଖର୍ଚ୍ଚ କରିଛନ୍ତି ମାତ୍ର ୨୫ ହଜାର ଟଙ୍କା । ଏହାକୁ ଦେଖିବାକୁ ଅନେକ ଚାଷୀ ପ୍ରଦୀପଙ୍କ ଘରକୁ ଆସୁଛନ୍ତି । କିନ୍ତୁ ଛୋଟ ଛୋଟ ଜମିରେ ଏତେ ଟଙ୍କା ଖର୍ଚ୍ଚ କିଭଳି କରିବେ ସେନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କ୍ଷୁଦ୍ର ଚାଷୀ । ଅନ୍ୟପଟେ କୃଷି ବିଭାଗ ଏହି କୌଶଳକୁ ଦେଖିବା ପରେ ସରକାରଙ୍କୁ ଏ ସଂପର୍କରେ ଅବଗତି କରାଇ ଆଗାମୀ ଦିନରେ ଏହା କିପରି ଅନ୍ୟ ଚାଷୀଙ୍କୁ ତାଲିମ ଦେଇ ଫସଲକୁ ସୁରକ୍ଷା କରାଯିବ ସେ ସଂପର୍କରେ ଅବଗତ କରାଇବାକୁ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.